ମଣିପୁରରେ ପୁଣି ହିଂସା, ସୁରକ୍ଷା କଡ଼ାକଡ଼ି, ସ୍ଥିତି ସମୀକ୍ଷା କଲେ ସେନା ମୁଖ୍ୟ

ନୂଆଦିଲ୍ଲୀ : ମଣିପୁରରେ ସଦ୍ୟ ହିଂସା ଉପୁଜିବାପରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଆଜି ମଣିପୁର ଗସ୍ତ କରି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ସେନା ମୁଖ୍ୟ ଏବେ ୨ ଦିନିଆ ମଣିପୁର ଗସ୍ତରେ ଅଛନ୍ତି। ପୂର୍ବାଞ୍ଚଳ କମାଣ୍ଡ ଅଧିକାରୀମାନେ ସେନା ମୁଖ୍ୟଙ୍କୁ ମଣିପୁରର ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ଅବଗତ କରାଇଛନ୍ତି । ଇତିମଧ୍ୟରେ ଭାରତୀୟ ‌ସେନା ଏବଂ ଆସାମ ରାଇଫଲ୍ସ ମଣିପୁରରେ ସୁରକ୍ଷା କଡ଼ାକଡ଼ି କରିଛନ୍ତି। ଗତ ୩ ସପ୍ତାହ ଧରି ମଣିପୁରରେ ଅଶାନ୍ତ ସ୍ଥିତି ଲାଗି ରହିଛି। ‌ମେ’ ୩ ତାରିଖରେ ମଣିପୁରରେ ୨ ଗୋଷ୍ଠୀ ମଧ୍ୟରେ ହିଂସା ଉପୁଜିଥିଲା।

ପ‌ରେ ଏହି ହିଂସା ସମଗ୍ର ରାଜ୍ୟରେ ବ୍ୟାପି ଯାଇଥିଲା। ରାଜ୍ୟରେ ଏବେ ବି କର୍ଫ୍ୟୁ ଜାରି ରହିଛି। ସମଗ୍ର ରାଜ୍ୟରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିଲା। ଉଲ୍ଲେଖଯୋଗ୍ୟ, ୨ ଦିନର ଗସ୍ତ ଅବସରରେ ସେନାମୁଖ୍ୟ ବିଭିନ୍ନ ସ୍ଥାନ ବୁଲିବେ ଏବଂ ସ୍ଥାନୀୟ କମା‌ଣ୍ଡରଙ୍କ ସହ କଥା ହେବେ। ସେନା‌ ମୁଖ୍ୟ ତାଙ୍କ ଗସ୍ତ ଅବସରରେ ରବିବାର ଦିନ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ସଚିବଙ୍କୁ ଭେଟିବେ ଏବଂ ସେମାନଙ୍କ ସହ ରାଜ୍ୟର ବର୍ତ୍ତମାନର ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିବେ।

ସମ୍ବନ୍ଧିତ ଖବର