ଦିଲ୍ଲୀର ୭୦ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‌ ଆରମ୍ଭ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ଶନିବାର ସକାଳ ୮ଟା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀର ୭୦ଟି ବିଧାନସଭା ଆସନ ନିମନ୍ତେ ୧୩, ୭୫୧ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ଯାଏଁ ଏହି ସବୁ ବୁଥ୍‌ଗୁଡ଼ିକରେ ଭୋଟ୍‌ ଗ୍ରହଣ ଚାଲିବ। ଏଥିରେ ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

ଦିଲ୍ଲୀ ନିର୍ବାଚନରେ ରେକର୍ଡସଂଖ୍ୟକ ଭୋଟ୍‌ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି: ଦିଲ୍ଲୀବାସୀଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ୍‌ ଦିଅନ୍ତୁ, ବିଶେଷତଃ, ମୋର ଯୁବ ବନ୍ଧୁମାନଙ୍କୁ କହୁଛି।

ଦିଲ୍ଲୀ ନିର୍ବାଚନ ମଣ୍ଡଳୀର ସମୁଦାୟ ଭୋଟର୍‌ମାନଙ୍କ ମଧ୍ୟରୁ ୨ ଲକ୍ଷ ହେଉଛନ୍ତି ୧୮ ରୁ ୧୯ ବର୍ଷ ବୟସ୍କ ଯୁବ ଭୋଟ୍‌ଦାତା।

Image Source: Hindustan Times

ସକାଳ ପ୍ରାୟ ୭: ୪୫ ବେଳକୁ ବିଭିନ୍ନ ବୁଥ୍‌କୁ ଆସି ଭୋଟର୍‌ମାନେ ଧାଡ଼ିବାନ୍ଧି ଠିଆ ହୋଇଛନ୍ତି। ଏଥିନିମନ୍ତେ ଆଜି ଦିଲ୍ଲୀରେ ମେଟ୍ରୋ ଚଳାଚଳ ଶୀଘ୍ର ଆରମ୍ଭ ହୋଇଛି। ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ସ୍ପର୍ଶକାତର ଅଞ୍ଚଳଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂହ କହିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର୍‌ ଏସ୍‌. ଜୟଶଙ୍କର ତୁଗଲକ୍‌ କ୍ରିସେଣ୍ଟ୍‌ସ୍ଥିତ ‘ଏନ୍‌ଡିଏମ୍‌ସି ସ୍କୁଲ୍‌ ଅଫ୍‌ ସାଇନ୍‌ସ୍‌ ଆଣ୍ଡ୍‌ ହ୍ୟୁମାନିଟିଜ୍‌ ଏଡୁକେସନ୍‌’ ଠାରେ କରାଯାଇଥିବା ବୁଥ୍‌ରେ ଭୋଟ୍‌ ଦେଇଛନ୍ତି। ବିଜେପି ନେତା ପରବେଶ ବର୍ମା ମଧ୍ୟ ଭୋଟ୍‌ ଦେଇଛନ୍ତି। ଝାଣ୍ଡେଓ୍ଵାଲା ଅଞ୍ଚଳରେ ଥିବା ବୁଥ୍‌ରେ ବିଜେପି ନେତା ରାମ ମାଧବ ଭୋଟ୍‌ ଦେଇଛନ୍ତି।

ଓଖ୍‌ଲାର ଶାହୀନ୍‌ବାଗ୍‌ ପବ୍ଲିକ୍‌ ସ୍କୁଲ୍‌ରେ ଥିବା ବୁଥ୍‌ ସାମ୍ନାରେ ମଧ୍ୟ ଭୋଟର୍‌ମାନେ ଧାଡ଼ି ବାନ୍ଧିଛନ୍ତି।

ସମ୍ବନ୍ଧିତ ଖବର