୨୦୨୪ ପାଇଁ ମହାମେଣ୍ଟ ନୁହେଁ, ୧୩୦ କୋଟି ଭାରତୀୟଙ୍କ ସହ ସମ୍ପର୍କ ରଖିବୁ: କେଜ୍ରିୱାଲ୍‌

ନାଗପୁର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨୦୨୪ ପାଇଁ କୌଣସି ମହାମେଣ୍ଟ ସହ ଜଡ଼ିତ ହେବା ସମ୍ଭାବନାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ତାଙ୍କର ମେଣ୍ଟ ବା ସମ୍ପର୍କ କେବଳ ୧୩୦ କୋଟି ଭାରତୀୟଙ୍କ ସହ। ସୋମବାର ନାଗପୁରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ବହୁଦଳୀୟ ମେଣ୍ଟ କ’ଣ ସେ ଆଜିଯାଏ ବୁଝିପାରିଲେନି ଏବଂ କାହା ସହ ମେଣ୍ଟ କରିବାକୁ ସେ ଆଗ୍ରହୀ ନୁହନ୍ତି। ଜଣକୁ ହରେଇବା ପାଇଁ ୧୦ଟା ବା ଅଧିକ ଦଳ ସହ ମେଣ୍ଟ କରି କେମିତି ରାଜନୀତି କରାଯାଏ ତାଙ୍କୁ ତାହା ଜଣାନାହିଁ। ସେ କାହାକୁ ହରେଇବାକୁ ଚାହାନ୍ତି ନାହିଁ।

ସେ ଚାହାନ୍ତି ଦେଶର ଓ ଦେଶବାସୀଙ୍କର ବିଜୟ ହେଉ। ତାଙ୍କର ଫ୍ରିବି (ମାଗଣା ବଣ୍ଟନ) ରାଜନୀତିକୁ ନେଇ ଅନେକ ସମାଲୋଚନା ହେଉଥିବାରୁ ତାହାର ଉତ୍ତର ଦେଇ କେଜ୍ରିୱାଲ କହିଛନ୍ତି, ଅର୍ଥନୀତିଜ୍ଞମାନେ ଲେଖୁଛନ୍ତି ଯେ ଫ୍ରିବି ସଂସ୍କୃତି ଦେଶକୁ ଧ୍ବଂସ କରିଦେବ। କିନ୍ତୁ ସେମାନେ କେବେ ବି ଏକଥା ଲେଖିନାହାନ୍ତି ଯେ ଦୁର୍ନୀତିର ସଂସ୍କୃତି ଦେଶକୁ ଧ୍ବଂସ କରିଦେବ। ମୁଁ ମାଗଣା ଦେଇପାରୁଛି କାରଣ ମୁଁ ଦୁର୍ନୀତିର ଅନ୍ତ କରିଦେଇଛି। ଏହା ମାଧ୍ୟମରେ ଯେଉଁ ଟଙ୍କା ସଂଚୟ ହେଉଛି ତାହାକୁ ମୁଁ ଫ୍ରିବି ଆକାରରେ ଲୋକଙ୍କୁ ଫେରାଇ ଦେଉଛି।

ସମ୍ବନ୍ଧିତ ଖବର