ଖାଦ୍ୟ ସୁରକ୍ଷାକୁ ବିପଦ ଜଳବାୟୁ ପରିବର୍ତ୍ତନ

ବ୍ୟାଂକକ୍: ବିଶ୍ବରେ ଖାଦ୍ୟ ସୁରକ୍ଷା ପ୍ରତି ଭୟଙ୍କର ବିପଦ ଦେଖାଦେଇଛି। ଜଳବାୟୁ ପରିବର୍ତ୍ତନ ସହିତ ଜମି ଓ ଅନ୍ୟାନ୍ୟ ସମ୍ପଦ ହ୍ରାସ ପାଉଥିବାରୁ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ହେଲେ ସରକାରଙ୍କ ଉତ୍ତମ ନୀତି ପ୍ରସ୍ତୁତ କରିବା ସହିତ ପ୍ରଯୁକ୍ତିର ଉପଯୋଗ ମଧ୍ୟ କରିବାକୁ ହେବ ବୋଲି ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ପକ୍ଷରୁ କୁହାଯାଇଛି। ଲୋକସଂଖ୍ୟା ବଢ଼ିଲେ ସେମାନଙ୍କୁ ସୁଲଭ ମୂଲ୍ୟରେ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବାର ଆବଶ୍ୟକତା ରହିଛି। କିନ୍ତୁ ଲୋକସଂଖ୍ୟା ଯେଉଁ ମାତ୍ରାରେ ବଢ଼ୁଛି ପୃଥିବୀର ଧାରଣ କ୍ଷମତା (ଜମି, ଜଳ ଓ ଜଳବାୟୁ ପରିବର୍ତ୍ତନ ଆଦି ଦୃଷ୍ଟିରୁ)କୁ ତାହା ବଳିଯିବାରେ ଲାଗିଛି। ବିଶ୍ବରେ ପ୍ରାୟ ୮୨ କୋଟି ଲୋକ କୁପୋଷଣର ଶିକାର ହୋଇଛନ୍ତି ବୋଲି ଏଫଏଓ ଏବଂ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଦାରିଦ୍ର୍ୟ ଯୋଗୁ ଅନେକ ନିୟୁତ ଲୋକ ଖାଦ୍ୟ ସୁରକ୍ଷା ପାଇପାରୁ ନାହାନ୍ତି। ସଂଘର୍ଷ ଏବଂ ଆନ୍ଦୋଳନ ଆଦିର ପ୍ରଭାବ ମଧ୍ୟ ଖାଦ୍ୟ ସୁରକ୍ଷା ଉପରେ ପଡ଼ୁଛି। ସାଉଦି ଆରବ ନେତୃତ୍ବରେ ୟେମେନ ଉପରେ ହୋଇଥିବା ଆକ୍ରମଣ ଫଳରେ ୮୫ ହଜାର ଶିଶୁ କ୍ଷୁଧା ଏବଂ ରୋଗରେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ଆଫାଗାନିସ୍ଥାନରେ ଭୟଙ୍କର ମରୁଡ଼ି ଓ ସଂଘର୍ଷ ଯୋଗୁ ଅଢ଼େଇ ଲକ୍ଷ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ପଡ଼ିଛି। ଏକ ଦଶନ୍ଧି ପୂର୍ବେ ବିଶ୍ବରେ କ୍ଷୁଧା ଏବଂ କୁପୋଷଣର ଶିକାର ଯେତିକି ଲୋକ ହୋଇଥିଲେ ଏବେ ତାହା ସେହି ସ୍ତରକୁ ବୃଦ୍ଧି ପାଇଛି ବୋଲି ଏଫଏଓର ମହାନିର୍ଦ୍ଦେଶକ ଜୋସ୍ ଗ୍ରାଜିଆନୋ ଡା ସିଲଭା କହିଛନ୍ତି। ଦୀର୍ଘ ଦଶନ୍ଧି ଧରି କୁପୋଷଣ ହ୍ରାସ ପାଇଁ ପଦକ୍ଷେପ ନେବା ସତ୍ତ୍ବେ ଏହି ଘଟଣା ନିଶ୍ଚିତଭାବେ ଚିନ୍ତାଜନକ। ୨୦୧୩ରୁ ୨୦୫୦ ମସିହା ମଧ୍ୟରେ ବିଶ୍ବରେ ଖାଦ୍ୟ ଚାହିଦା ୫୦% ବୃଦ୍ଧି ପାଇବ ବୋଲି ଏଫଏଓ ଆକଳନ କରିଛି। କୃଷକମାନେ ଅଧିକରୁ ଅଧିକ ଜମିରେ ଚାଷ କରି ଏହି ସମସ୍ୟାର ସମାଧାନ କରିପାରନ୍ତେ। କିନ୍ତୁ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଦେଶ ଗୁଡ଼ିକରେ ଏହି ସମସ୍ୟାର ସମାଧାନ ଅନେକ କାରଣ ଯୋଗୁ ହେବା କଷ୍ଟକର। ଏପରିକି ପୂର୍ବରୁ ଯେଉଁ ଜମିରେ ଚାଷ ହେଉଥିଲା ସେଠାରେ ଏବେ ସହର ଗଢ଼ି ଉଠିଲାଣି। ସେହିଭଳି କୃଷି ସାମଗ୍ରୀର ଉତ୍ପାଦନ ଏକ ନିଦ୍ଦିଷ୍ଟ ଏବଂ ନିରନ୍ତର ସ୍ତରରୁ ଅଧିକ କରାଗଲେ ତାହା ପରିବେଶ ଓ ପରିସଂସ୍ଥାନକୁ କ୍ଷତି ପହଞ୍ଚାଇବ। ଏଥିଯୋଗୁ ମୃତ୍ତିକା କ୍ଷୟ, ପ୍ରଦୂଷଣ ବୃଦ୍ଧି ଏବଂ ଜୈବ ବିବିଧତାର ଅବକ୍ଷୟ ଘଟିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର