ରୁଷିଆ ୟୁକ୍ରେନ୍ ଆକ୍ରମଣ କଲେ କ’ଣ ହେବ? ତୃତୀୟ ବିଶ୍ବଯୁଦ୍ଧ ନା ତୈଳ ଦରବୃଦ୍ଧି??

ନୂଆଦିଲ୍ଲୀ : ୟୁକ୍ରେନ୍ ଉପରେ ରୁଷ୍‌ ଯେକୌଣସି ସମୟରେ ଆକ୍ରମଣ କରିପାରେ ବୋଲି ଆମେରିକା ଗୁରୁବାର ଦିନ କହିବା ଉପରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ହଇଚଇ ଆରମ୍ଭ ହୋଇଯାଇଛି। ଏହି ଯୁଦ୍ଧ ହେଲେ ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା ସୃଷ୍ଟି ପାଇପାରେ। ତେଣୁ ବିଶ୍ବ ନେତାମାନଙ୍କୁ ମସ୍କୋ ବିରୋଧରେ ଏକଜୁଟ କରିବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ଯୋଜନା ବିଷୟରେ ଘୋଷଣା କରିଛନ୍ତି। ଏଥିପାଇଁ ସେ ଉପରାଷ୍ଟ୍ରପତି କମଳା ହାରିସ ଏବଂ ବିଦେଶ ସଚିବ ଟୋନି ବ୍ଲିଙ୍କେନଙ୍କୁ ମ୍ୟୁନିକ୍ (ବାଭେରିଆ) ସମ୍ମିଳନୀକୁ ପଠାଇବେ।

ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ ଜେନ ସାକି ଯୁଦ୍ଧ ଯେକୌଣସି ସମୟରେ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। ତା’ ପୂର୍ବରୁ ରୁଷିଆ ନିଜ ଆକ୍ରମଣକୁ ଯୁକ୍ତିଯୁକ୍ତ ଦର୍ଶାଇବା ପାଇଁ ବଡ଼ ବାହାନା ଦେଖାଇପାରେ ବୋଲି ସେ କହିଛନ୍ତି। ୟୁକ୍ରେନ୍ ରାସାୟନିକ ଅସ୍ତ୍ର ରଖିଥିଲା ବା ରୁଷିଆ ସୈନ୍ୟଙ୍କ ଉପରେ ପ୍ରଥମେ ଆକ୍ରମଣ କଲା ଇତ୍ୟାଦି। ଏହି ପରିସ୍ଥିତିରେ ସମ୍ଭାବ୍ୟ ଯୁଦ୍ଧ ଓ ତଜ୍ଜନିତ ପରିସ୍ଥିତି ପାଇଁ ବିଶ୍ବନେତାମାନେ ପ୍ରସ୍ତୁତ ହେଉଛନ୍ତି। ଯୁଦ୍ଧ ହେଲେ ସଂପୃକ୍ତ ଦେଶଗୁଡ଼ିକ ଅର୍ଥନୈତିକ ସଂକଟ ଭିତରକୁ ଠେଲି ହୋଇଯିବେ ଏବଂ ସମଗ୍ର ପୃଥିବୀ ଉପରେ ଏହାର ରାଜନୈତିକ ଓ ଆର୍ଥିକ ପ୍ରଭାବ ପଡ଼ିବ।

ମସ୍କୋ ହେଉଛି ତୈଳ ଓ ଗ୍ୟାସ୍‌ର ଏକ ବଡ଼ ରପ୍ତାନିକାରୀ। ଯୁଦ୍ଧ ହେଲେ ଏହା ପ୍ରଥମେ ୟୁରୋପକୁ ତୈଳ ଓ ଗ୍ୟାସ୍ ପରିବହନ ବନ୍ଦ କରିଦେବ। ଫଳରେ ତୈଳ ଓ ଗ୍ୟାସ୍ ଦର ବଢ଼ିଯିବ। ଏହା ଅର୍ଥନୀତି ଓ ଅନ୍ୟାନ୍ୟ ଜିନିଷର ବଜାର ଦର ଉପରେ ପ୍ରଭାବ ପକାଇବ। ଗତକାଲି ୟୁକ୍ରେନରେ ହୋଇଥିବା ବିଶାଳ ସାଇବର୍ ଆକ୍ରମଣ ଏହାର ଦୁର୍ବଳତାକୁ ପଦାରେ ପକାଇ ଦେଇଛି।

ସମ୍ବନ୍ଧିତ ଖବର