ଭାରତକୁ ଡବ୍ଲ୍ୟୁଏଚ୍ଓର ପ୍ରଶଂସା‌: ଅନ୍ୟ ଦେଶ ତୁଳନାରେ ଭାରତରେ ସଂକ୍ରମଣ କମ୍‌

ନୂଆଦିଲ୍ଲୀ: ବିଶ୍ବରେ ଅନ୍ୟ ପ୍ରମୁଖ ରାଷ୍ଟ୍ର ଗୁଡ଼ିକ ତୁଳନାରେ ଭାରତରେ ସଂକ୍ରମଣ ଏବଂ ମୃତ୍ୟୁ ମାମଲା କମ୍‌ ରହିଛି। ଭାରତ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିପାରିଛି। ଅନ୍ୟ ଦେଶ ତୁଳନାରେ ଭାରତରେ ସଂକ୍ରମଣ କମ୍‌ ରହିବା ପ୍ରଶଂସନୀୟ ବୋଲି ଡବ୍ଲ୍ୟୁଏଚ୍‌ଓର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ କହିଛନ୍ତି। କୋଭିଡ୍‌-୧୯ ପାଇଁ ଟିକା ଆରମ୍ଭ କରିବାରେ ବି ଭାରତ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିଭାଇବ ବୋଲି ସେ କହିଛନ୍ତି। ତେବେ ସମଗ୍ର ବିଶ୍ବ ଅନେକ ମାସ କିମ୍ବା ଅନେକ ବର୍ଷ ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପିବା ନେଇ ପ୍ରସ୍ତୁତ ହେବାକୁ ପଡ଼ିବ। କେବଳ ଟିକା ଆରମ୍ଭ କରିଦେବା କିମ୍ବା ଟିକା ପରୀକ୍ଷା କରିଦେଲେ ହେବନାହିଁ।

ଅଧିକ ଟିକା ତିଆରି କରିବା ଏବଂ ଅଧିକ ପରିମାଣରେ କ୍ରୟ ବଢ଼ାଇବା ଏବଂ ଏଥି ସହ ଟିକାକରଣ ପାଇଁ ଉତ୍ତମ ସ୍ବାସ୍ଥ୍ୟ ପଦ୍ଧତି ମଧ୍ୟ ଆବଶ୍ୟକ। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସରେ ସ୍ବାମୀନାଥନ କହିଛନ୍ତି ଯେ, ଭାରତ କୋଭିଡ୍‌ ମହାମାରୀକୁ ନିୟନ୍ତ୍ରଣରେ ରଖିଥିବାରୁ ସେ ସ୍ବାଗତ କରୁଛନ୍ତି। ଏହା ଅତ୍ୟନ୍ତ ପ୍ରଶଂସନୀୟ ଯେ, ଭାରତ ଅନ୍ୟ ଦେଶ ତୁଳନାରେ ଏହାର ସଂକ୍ରମଣ ଏବଂ ମୃତ୍ୟୁ ମାମଲାକୁ ନିୟନ୍ତ୍ରଣରେ ରଖିପାରିଛି। ସେହିପରି ଟିକା ଆରମ୍ଭ ଦିଗରେ ଭାରତ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବ। ଯଦି ଏହି ପ୍ରକ୍ରିୟାରେ ଭାରତ ସାମିଲ୍‌ ନହୁଏ ‌ତେବେ ବିଶ୍ବ ସମସ୍ତଙ୍କ ପାଇଁ ଟିକା ଯୋଗାଇପାରିବନି। ଟିକା ବିକାଶ କରିବାପାଇଁ ସାଧାରଣତଃ ୧୦ ବର୍ଷ ଲାଗିଥାଏ। କିନ୍ତୁ ଇବୋଲା କ୍ଷେତ୍ରରେ ଏହା ୫ ବର୍ଷରେ ସଫଳ ହୋଇଥିଲା। ହେଲେ କରୋନା ଭାଇରସ୍‌ ପାଇଁ ବ‌ର୍ଷକ ମଧ୍ୟରେ ଟିକା ଆରମ୍ଭ କରିବା ପାଇଁ ଉଦ୍ୟମ ଜାରି ରହିଛି।

ସମ୍ବନ୍ଧିତ ଖବର