କିଏ ଗଢ଼ିବ ସରକାର?

ମେ’ ୨୩ ବୈଠକ ପାଇଁ ସୋନିଆଙ୍କ ରଣନୀତି ନୂଆ ଦଳଙ୍କୁ ସାମିଲ କରିବାକୁ ବିଜେପି ତତ୍ପର

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେବା ସହିତ ସରକାର ଗଠନ ପାଇଁ ରଣନୀତିକ ପ୍ରୟାସ ଜୋର୍‌ଦାର ହୋଇଛି। ବର୍ତ୍ତମାନ ସୁଦ୍ଧା ଆକଳନ ଅନୁସାରେ କୌଣସି ଦଳର ପକ୍ଷ ଓ ବିରୋଧରେ ହାଵା ନଥିବାରୁ ଚଳିତ ନିର୍ବାଚନ ଅତ୍ୟନ୍ତ ରୋଚକ ହୋଇଯାଇଛି। ମଇ ୨୩ ନିର୍ବାଚନ ପରିଣାମ ତାରିଖ ଯେତିକି ପାଖେଇ ଆସୁଛି ବିରୋଧୀଦଳ ମାନଙ୍କର ଗତିବିଧିରେ ସେତିକି ତୀବ୍ରତା ଆସୁଛି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିର୍ବାଚନ ଫଳ ପ୍ରକାଶ ପାଇବା ଦିନ ସନ୍ଧ୍ୟାରେ ସମସ୍ତ ବିରୋଧୀ ଦଳର ନେତାମାନଙ୍କୁ ବୈଠକ ପାଇଁ ଆମନ୍ତ୍ରଣ କରିଛନ୍ତି। ଏଥିରେ ମିଳିତ ସରକାର ଗଠନ ଦିଗରେ ଆଲୋଚନା ହେବ। ପୂର୍ବରୁ କଂଗ୍ରେସ ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ ଠିକ୍ ସମୟରେ ରଣନୀତି ପ୍ରସ୍ତୁତ ନ କରିବା ଯୋଗୁଁ ଉଭୟ ରାଜ୍ୟରେ ସରକାର ଗଠନ ବାଜି ବିଜେପି ମାରିନେଇଥିଲା। ଅତୀତର ସେହି ଅଭିଜ୍ଞତାକୁ ଦୃଷ୍ଟିରେ ରଖି ସୋନିଆ ଗାନ୍ଧୀ ନିର୍ବାଚନ ଫଳ ପ୍ରକାଶ ଦିନ ହିଁ ସରକାର ଗଠନ କରିବା ସଂକ୍ରାନ୍ତ ସମସ୍ତ ସମ୍ଭାବନା ସମ୍ପର୍କରେ ବିଚାରବିମର୍ଶ କରିବେ ବୋଲି ଜଣାପଡ଼ିଛି। ବିରୋଧୀ ମହାମେଣ୍ଟ ଦ୍ବାରା ସରକାର ଗଠନର ସମସ୍ତ ସମ୍ଭାବନା ଉପରେ ମାନସ ମନ୍ଥନ କରାଯାଇ ଯୋଜନା ପ୍ରସ୍ତୁତ କରାଯିବ। ସୂତ୍ର ଅନୁସାରେ ସୋନିଆ ଗାନ୍ଧୀ ଦୁଇ ସପ୍ତାହ ହେଲା ନିର୍ବାଚନ ପରବର୍ତ୍ତୀ ରଣନୀତି ପାଇଁ ବରିଷ୍ଠ ନେତାଙ୍କ ସହ ଆଲୋଚନା ଚଳାଇଛନ୍ତି।
ବିଶେଷ କରି ୪ଟି ରାଜ୍ୟ- ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ ଓଡ଼ିଶାର ୬ଟି ଆଞ୍ଚଳିକ ଦଳ ର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ଥିବା ସୋନିଆ ସେସବୁ ଦଳ ସହିତ ସଂପର୍କରେ ଅଛନ୍ତି। ଏହି ଦଳଗୁଡ଼ିକ ହେଲା ଏସପି, ବିଏସପି, ତେଲୁଗୁଦେଶମ ପାର୍ଟି, ଵାଇଏସ୍ଆର କଂଗ୍ରେସ , ଟିଆରଏସ ଓ ବିଜେଡି। ଏହି ଆଂଚଳିକ ଦଳର ନେତାମାନଙ୍କ ସହିତ ସୋନିଆ ଗାନ୍ଧୀ ବିସ୍ତୃତ ଭାବେ ଆଲୋଚନା କରିବେ ବୋଲି ସ୍ଥିର ହୋଇଛି। ଏହି ୪ଟି ରାଜ୍ୟରେ ଲୋକସଭାର ୧୪୩ ଆସନ ଥିବା ବେଳେ ଗତ ୨୦୧୪ ସାଧାରଣ ନିର୍ବାଚନରେ ୬ଟି ଆଞ୍ଚଳିକ ଦଳଙ୍କୁ ୫୯ଟି ଆସନ ମିଳିଥିଲା। ଚଳିତ ନିର୍ବାଚନରେ ଏହି ୬ ଦଳକୁ ୮୦ରୁ ୯୦ ଆସନ ମିଳିବ ବୋଲି ଅନୁମାନ କରାଯାଉଛି। ନୂଆ ସରକାର ଗଠନରେ ଏସବୁ ଦଳମାନଙ୍କର ଭୂମିକା ନିର୍ଣ୍ଣାୟକ ଦେବ। ୨୩ ତାରିଖ ସୋନିଆ ଗାନ୍ଧୀଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ଏସପି, ବିଏସପି, ତେଲୁଗୁଦେଶମ ପାର୍ଟି ଓ ଵାଇଏସଆର କଂଗ୍ରେସ ପାର୍ଟି, ଟିଆରଏସ, ତୃଣମୂଳ କଂଗ୍ରେସ ଯୋଗ ଦେବେ। ବିଜେଡିର ପ୍ରତିନିଧି ମଧ୍ୟ ବୈଠକରେ ଯୋଗ ଦେଇପାରନ୍ତି ବୋଲି ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି।
ଅପରପକ୍ଷେ କେନ୍ଦ୍ରରେ ନୂଆ ସରକାର ଗଠନ ପାଇଁ ବିରୋଧୀ ମେଳି ବାନ୍ଧୁଥିବା ବେଳେ ଏନଡିଏ ମଧ୍ୟ ଏହି ଦୌଡ଼ରେ ପଛରେ ନାହିଁ। ସୂତ୍ର ଅନୁସାରେ ବିଜେପି ଏନ୍‌ଡିଏରେ ନୂଆ ଦଳଙ୍କୁ ସାମିଲ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏନ୍‌ଡିଏ ବାହାରେ ଥିବା ସମଭାବାପନ୍ନ ଦଳଗୁଡ଼ିକ ସହ ଆଲୋଚନା କରିବାକୁ ଦାୟିତ୍ବ ଦିଆଯାଇଛି । ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ଦେବା ଦାବିକୁ ନୀତୀଶ କୁମାର ସମର୍ଥନ ଜଣାଇଛନ୍ତି। ଏଥି ସହିତ ନୀତୀଶ ଵାଇଏସଆର କଂଗ୍ରେସ ନେତା ଜଗନମୋହନ ରେଡ୍ଡୀଙ୍କ ସମ୍ପର୍କରେ ମଧ୍ୟ ରହିଛନ୍ତି। ପୂର୍ବରୁ ଜଗନମୋହନ ରେଡ୍ଡୀ କହିସାରିଛନ୍ତି, ଯେଉଁ ସରକାର ଆନ୍ଧ୍ର ପ୍ରଦେଶକୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ଦେବ ସେ ସେହି ଦଳକୁ ସମର୍ଥନ ଜଣାଇବେ। ଏହି ପରିପ୍ରେକ୍ଷୀରେ ନୀତୀଶ କୁମାର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଵାଇଏସଆର କଂଗ୍ରେସ ନେତା ଜଗନମୋହନ ରେଡ୍ଡୀଙ୍କୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ସର୍ତ୍ତରେ ଏନଡିଏରେ ସାମିଲ କରାଇପାରନ୍ତି। ଯିଦ ଫଳାଫଳ ପ୍ରକାଶ ପରେ କେନ୍ଦ୍ରରେ କୌଣସି ଦଳକୁ ସରକାର ଗଠନ ପାଇଁ ପୂର୍ଣ୍ଣ ବହୁମତ ନମିଳେ, ସେଭଳି ସ୍ଥିତିରେ ଏନଡିଏ ପକ୍ଷରୁ କିଛି ସହଯୋଗୀ ରିଜର୍ଭ ରୂପେ ରହିବେ।

ସମ୍ବନ୍ଧିତ ଖବର