କିଏ ହେବ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ? ସୋନିଆ, ରାହୁଲ୍ ନା ଆଉ କିଏ ?

ନୂଆଦିଲ୍ଲୀ: ପାଖେଇ ଆସୁଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ । ବର୍ତ୍ତମାନ ଏହା କଂଗ୍ରେସ ଲାଗି ଏକ ବଡ଼ ଚ୍ୟାଲେଞ୍ଜ୍ । ଯଦି ରାହୁଲ ଗାନ୍ଧୀ ଦାୟିତ୍ୱ ନେବାକୁ ପ୍ରସ୍ତୁତ ନୁହନ୍ତି, ତେବେ କିଏ ହେବ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ? ଏହାକୁ ନେଇ କଂଗ୍ରେସ ଭିତରେ ହଟଚମଟ ଦେଖିବାକୁ ମିଳିଛି। ବର୍ତ୍ତମାନ ଦୁଇଟି ବିକଳ୍ପ ଦେଖା ଯାଉଛି। ପ୍ରଥମତଃ,  ଯଦି ରାହୁଲ ଗାନ୍ଧୀ ପ୍ରସ୍ତୁତ ନୁହନ୍ତି, ତେବେ ଗାନ୍ଧୀ ପରିବାରର ଜଣେ ବିଶ୍ୱସ୍ତ ନେତାଙ୍କୁ ଚୟନ କରାଯିବ କିଂବା  ପରବର୍ତ୍ତୀ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀଙ୍କୁ ଅଧ୍ୟକ୍ଷ ଦାୟିତ୍ବ ରଖିବାକୁ ଅନୁରୋଧ କରାଯିବ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଅଗଷ୍ଟ ୨୧ରୁ କଂଗ୍ରେସ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସେପ୍ଟେମ୍ବର ୨୦ ସୁଦ୍ଧା ଶେଷ ହେବ । ଅନ୍ୟପକ୍ଷରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ମୁଖ୍ୟ ମଧୁସୂଦନ ମିସ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରତିନିଧୀଙ୍କ ତାଲିକା ଭୋଟ୍ ପାଇଁ ପ୍ରସ୍ତୁତ । ଆମ ପଟରୁ ଆମେ ପ୍ରସ୍ତୁତ ଅଛୁ । କଂଗ୍ରେସ କାର୍ଯ୍ୟକାରୀ କମିଟିକୁ ନିର୍ବାଚନ ତାରିଖ ସ୍ଥିର କରିବାକୁ ପଡିବ ।

ଗତ ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ରାହୁଲ ଗାନ୍ଧୀ ନୈତିକ ଦାୟିତ୍ବ ଗ୍ରହଣ କରି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଏବଂ ସେହି ଦିନଠାରୁ ସୋନିଆ ଗାନ୍ଧୀ ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷଙ୍କ ଦାୟିତ୍ବ ତୁଲାଉଛନ୍ତି। ପାର୍ଟି ସୂତ୍ରରୁ ପ୍ରକାଶ ଯେ ସୋନିଆ ଗାନ୍ଧୀଙ୍କ ସମେତ ଅଧିକାଂଶ କଂଗ୍ରେସ ନେତା ମତ ଦେଇଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀ ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରନ୍ତୁ । କିନ୍ତୁ ଏ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ସହମତି ଏହି ପ୍ରସଙ୍ଗରେ ଆସିନାହିଁ । ଯାହାକୁ ନେଇ କଂଗ୍ରେସର ବିଭିନ୍ନ ନେତା, ରାଜନୈତିକ ଗବେଷକ, ବରିଷ୍ଠ ସାମ୍ବାଦିକ ଭିନ୍ନ ଭିନ୍ନ ମତ ପୋଷଣ କରୁଛନ୍ତି । କେହି କେହି ରାହୁଲଙ୍କୁ ଅଧ୍ୟକ୍ଷ ଚୟନ ସପକ୍ଷରେ କହୁଥିବା ବେଳେ ଅନେକ ସୋନିଆ ଓ ବରିଷ୍ଠ ସଦସ୍ୟଙ୍କୁ ଅଧ୍ୟକ୍ଷ କରାଯିବା ନେଇ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର