ମହାକାଶକୁ କାଠରେ ନିର୍ମିତ ଉପଗ୍ରହ ପଠାଇବ ଜାପାନ

ଟୋକିଓ: ମହାକାଶରେ ପ୍ରଦୂଷଣ କମାଇବାକୁ ଜାପାନ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛି | ଜାପାନ ଖୁବ ଶୀଘ୍ର କାଠରେ ନିର୍ମିତ ଉପଗ୍ରହ ଉତକ୍ଷେପଣ କରିବାକୁ ଘୋଷଣା କରିଛି। ଜାପାନର କହିବା ଅନୁଯାୟୀ ଏହା ମହାକାଶରେ ପ୍ରଦୂଷଣକୁ ରୋକିବ। ଏହାକୁ ଇକୋ-ଫ୍ରେଣ୍ଡଲି ଉପଗ୍ରହ କୁହାଯାଉଛି, ଯାହାକୁ ୨୦୨୩ ସୁଦ୍ଧା ଆଣିବାକୁ ଯୋଜନା କରାଯାଇଛି। ଜାପାନ ପରିବେଶ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଥିବାବେଳେ, ବର୍ତ୍ତମାନ ଏକ କାଠ ନିର୍ମିତ ଉପଗ୍ରହ ଆଣି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବାକୁ ଯାଉଛି।

କାଇଟୋ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଦିଗରେ କାର୍ଯ୍ୟ ଆରମ୍ଭ କରାଯାଇଛି । ମହାକାଶରେ ପ୍ରଦୂଷଣକୁ କମ୍ କରିବାକୁ ଯଥାଶୀଘ୍ର ଜାପାନ ସରକାର ଏପରି ଉପଗ୍ରହ ପ୍ରସ୍ତୁତ କରିବାକୁ ଆଗ୍ରହ ଦେଖାଇଛନ୍ତି । ସୂଚନା ଥାଉ ଯେ, ପୃଥିବୀ କେବଳ ଜଳବାୟୁ ପରିବର୍ତ୍ତନର ଶିକାର ହେଉନାହିଁ ବରଂ ମହାକାଶରେ ମଧ୍ୟ ଜଳବାୟୁ ପରିବର୍ତ୍ତନ ହୋଇପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି | ଏହାର କାରଣ ହେଉଛି ଯେ ଦେଶମାନେ ପରସ୍ପର ମଧ୍ୟରେ ଉପଗ୍ରହ ପଠାଇବାକୁ ନେଇ ପ୍ରତିଦ୍ବନ୍ଦିତା କରୁଛନ୍ତି | ଆଉ ଏହି କ୍ରମରେ ମହାକାଶରେ ବହୁ ମାତ୍ରାରେ ଭାଙ୍ଗିଯାଇଥିବା ଉପଗ୍ରହ ଜମା ହୋଇ ରହିଛି |

ଯାହାକି ସଠିକ୍ ଭାବରେ କାର୍ଯ୍ୟ କରୁଥିବା ଉପଗ୍ରହଗୁଡିକ ପାଇଁ ମଧ୍ୟ ବଡ଼ ବିପଦ ସୃଷ୍ଟି କରିପାରେ | ତେବେ କାଠ ଉପଗ୍ରହ ନିର୍ମାଣ ଯଦି ସମ୍ଭବ ହେବ, ତେବେ ଏହା ମହାକାଶର ପରିବେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ | କାରଣ କାଠ ଉପଗ୍ରହ ଏହାର କାର୍ଯ୍ୟ ସମାପ୍ତ କରିବା ପରେ ମହାକାଶରେ ଜଳି ନଷ୍ଟ ହୋଇଯିବ କିମ୍ବା ଯଦି ପୃଥିବୀକୁ ଫେରିଆସିବ ତେବେ ଏହାକୁ ପୁନଃ ବ୍ୟବହାର କରାଯାଇପାରିବ | ବର୍ତ୍ତମାନ କାଠ ଉପଗ୍ରହକୁ ନେଇ ଗବେଷଣା ଚାଲିଛି ଏବଂ ଆଗାମୀ ତିନି ବର୍ଷରେ ଏହା କରି ଦେଖାଇବ ବୋଲି ଜାପାନ ଦାବି କରିଛି | ଯଦି ଏହା ଘଟେ, ତେବେ ମହାକାଶ ଜଗତ ପାଇଁ ଏହା ଏକ ଚମତ୍କାରଠାରୁ କମ୍ ହେବ ନାହିଁ |

ସମ୍ବନ୍ଧିତ ଖବର