ଅର୍ଥନୀତିରେ ସ୍ନାତକ ପରେ ଚା’ ବିକୁଛନ୍ତି ଯୁବତୀ

ପାଟନା: ବିହାରର ପାଟନା ସହରରେ ଅର୍ଥନୀତିରେ ସ୍ନାତକ ଡିଗ୍ରି ହାସଲ କରିଥିବା ଜଣେ ଯୁବତୀ ଏବେ ଚା’ ବିକ୍ରି କରୁଛନ୍ତି। ସ୍ନାତକ ଡିଗ୍ରି ହାସଲ କରିବା ପରେ ଦୁଇବର୍ଷ ପାଇଁ ଚାକିରି ଖୋଜିଥିଲେ। ସରକାରୀ ଚାକିରି, ବିଶେଷକରି ବ୍ୟାଙ୍କରେ ଚାକିରି କରିବା ତାଙ୍କର ସ୍ବପ୍ନ ଥିଲା। କିନ୍ତୁ ଦୁଇବର୍ଷର କଠିନ ପରିଶ୍ରମ ପରେ ସେ ସେଥିରେ ସଫଳ ହୋଇ ନଥିଲେ। ଏହା ପରେ ଏହି ପେସାକୁ ଆଦରି ନେଇଛନ୍ତି। ଚଳିତମାସ ୧୧ ତାରିଖରୁ ସେ ତାଙ୍କର ଚା’ ‌ଷ୍ଟଲ ଖୋଲିଛନ୍ତି। ଏହାର ନାମ ‘ଚାଇୱାଲୀ’ ରଖିଛନ୍ତି। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସେ ତାଙ୍କ ଦୋକାନର ବ୍ୟାନରରେ ‘ପିଇବାକୁ ହିଁ ପଡ଼ିବ’ ବୋଲି ଲେଖିଛନ୍ତି। ଦେଶରେ ଅନେକ ପୁରୁଷ ଚା’ ଦୋକାନ କରିଥିବାବେଳେ ଜଣେ ମହିଳା କାହିଁକି ଚା’ ବିକ୍ରି କରିବନି ବୋଲି ସେ କୁହନ୍ତି। ମସଲା ଚା’, ଚକୋଲେଟ ଚା’ ଭଳି ବିଭନ୍ନ ସ୍ବାଦର ଚା’ ସେ କପ୍‌ ପିଛା ୧୫ରୁ ୨୦ ଟଙ୍କା ଦାମ୍‌ରେ ବିକ୍ରି କରୁଛନ୍ତି। ରାଜ ଭଗତ ନାମଜ ଜଣେ ସାଙ୍ଗଠାରୁ ୩୦ ହଜାର ଟଙ୍କା ଆଣି ସେ ଟି ଷ୍ଟଲ ଆରମ୍ଭ କରିଛନ୍ତି ବୋଲି କୁହନ୍ତି।

ସଂପୃକ୍ତ ଯୁବତୀଙ୍କ ନାମ ପ୍ରିୟଙ୍କା ଗୁପ୍ତା। ୨୪ ବର୍ଷୀୟା ପ୍ରିୟଙ୍କାଙ୍କ ଘର ବିହାରର ପୂର୍ଣ୍ଣିଆ ଜିଲ୍ଲାରେ। ଚା’ ବିକ୍ରି କରୁଥିବାରୁ ସେ କେବେ ଲଜ୍ଜିତ ମଧ୍ୟ ଅନୁଭବ କରିନାହାନ୍ତି। ବରଂ ଏଥିପାଇଁ ସେ ଗର୍ବିତ ଅନୁଭବ କରୁଛନ୍ତି। ଏମବିଏ ଚା’ ବାଲା ଭାବେ ପରିଚିତ ଅହମଦାବାଦର ପ୍ରଫୁଲ ବିଲୋରଙ୍କ ଦ୍ବାରା ସେ ଅନୁପ୍ରାଣୀତ ହୋଇ ଉକ୍ତ ପେସାକୁ ଗ୍ରହଣ କରିନେଇଛନ୍ତି। ଇଣ୍ଟରନେଟ୍‌ରେ ପ୍ରିୟଙ୍କାଙ୍କ ସଂପର୍କରେ ଖବର ଭାଇରାଲ ହୋଇଛି। ପ୍ରିୟଙ୍କା ୨୦୧୯ ମସିହାରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ପାଟନାର ମହିଳା କଲେଜ ନିକଟରେ ତାଙ୍କ ଚା’ ଷ୍ଟଲ ରହିଛି। ସବୁ ବୟସର ଗ୍ରାହକ ତାଙ୍କ ଚା’କୁ ପସନ୍ଦ କରୁଛନ୍ତି। ଅନେକ ଲୋକ ତାଙ୍କ ଷ୍ଟଲରେ ଚା’ ପିଇ କାର୍ଯ୍ୟ ପ୍ରତି ପ୍ରିୟଙ୍କାଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର