ଶ୍ରୀନଗରରେ ୟେଚୁରୀ, ତରିଗାମୀଙ୍କୁ ଭେଟିଲେ

ଶ୍ରୀନଗର: କଡ଼‌ା ସୁରକ୍ଷା‌ ବଳୟ‌ରେ ସିପିଏମ୍‌ ନେତା ସୀତାରାମ ୟେଚୁରୀ ଆଜି ଶ୍ରୀନଗର ପହଞ୍ଚିଛନ୍ତି ଏବଂ ତାଙ୍କ ସହଯୋଗୀ ବିଧାୟକ ୟୁସୁଫ୍‌ ତରିଗାମୀଙ୍କୁ ସାକ୍ଷାତ କରିଛନ୍ତି। ତରିଗାମୀ ଶ୍ରୀନଗରରେ ତାଙ୍କ ବାସଭବନରେ ଗୃହବନ୍ଦୀ ଅଛନ୍ତି। ୟେଚୁରୀ ପ୍ରଥମ ବିରୋଧୀ ଦଳ ନେତାଭାବେ ଧାରା ୩୭୦ ଉଚ୍ଛେଦ ହେବାପରେ କଶ୍ମୀର ଗସ୍ତ ପାଇଁ ଅନୁମତି ପାଇଛନ୍ତି। ୟେଚୁରୀଙ୍କୁ ଆଜି କଡ଼ା ସୁରକ୍ଷା ବଳୟରେ ତରିଗାମୀଙ୍କ ଗୁପ୍‌କର ରୋଡ୍‌ ବାସଭବନ ପର୍ଯ୍ୟନ୍ତ ନିଆଯାଇଥିଲା। ୟେଚୁରୀଙ୍କ ସହ ଆଜି ସୁରକ୍ଷାକର୍ମୀଙ୍କର ୧୦ଟି କାର୍‌ ଥିଲା। ତେବେ କଶ୍ମୀରକୁ ୟେଚୁରୀଙ୍କର ଏହା ଦ୍ବିତୀୟ ଗସ୍ତ। ପୂର୍ବରୁ ସେ କଶ୍ମୀର ଯିବାପାଇଁ ‌ଚେ‌ଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଶ୍ରୀନଗର ବିମାନବନ୍ଦରରୁ ଦିଲ୍ଲୀ ଫେରାଇ ଦିଆଯାଇଥିଲା। ତେବେ ସୁପ୍ରିମକୋର୍ଟ ୟେଚୁରୀଙ୍କୁ ତାଙ୍କ ସହଯୋଗୀଙ୍କୁ ସାକ୍ଷାତ କରିବାପାଇଁ ଅନୁମତି ଦେବାପରେ ସେ ଶ୍ରୀନଗର ଗସ୍ତ କରିଛନ୍ତି। କିନ୍ତୁ ୟେଚୁରୀ ତାଙ୍କ ଗସ୍ତ କାର୍ଯ୍ୟକ୍ରମରେ କୌଣସି ପ୍ରକାର ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହୋଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ। ଗତକାଲି ୟେଚୁରୀଙ୍କ ସମେତ ଅନ୍ୟ ଜଣେ ଆଇନ ଛାତ୍ରଙ୍କୁ ତାଙ୍କ ବାପା ମା’ଙ୍କୁ ଭେଟିବାପାଇଁ ସୁପ୍ରିମକୋର୍ଟ ଶ୍ରୀନଗର ଯିବାକୁ ଅନୁମତି ଦେଇଥିଲେ।

ସମ୍ବନ୍ଧିତ ଖବର