ନ୍ୟୁୟର୍କରେ କମାଲ ଦେଖାଇବେ ବଲାଙ୍ଗୀର ପୁଅ, ଜନ୍ମମାଟି ତୁଷୁରାରେ ଖୁସିର ମାହୋଲ

ବଲାଙ୍ଗୀର : ନ୍ୟୁୟର୍କରେ କମାଲ ଦେଖାଇବେ ପ୍ରିୟବ୍ରତ ପାଣିଗ୍ରାହୀ। ଆସନ୍ତା ମାସରେ ନ୍ୟୁୟର୍କଠାରେ ଫିଲ୍ମ ନିର୍ଦେଶକ ତଥା ଷ୍ଟାର୍‌ସେଫ୍‌ ବିକାଶ ଖାନ୍ନାଙ୍କ ସାଂସ୍କୃତିକ ଅନୁଷ୍ଠାନ ‘ବାଇଣ୍ଡର’ ତରଫରୁ ‘ଟିବ୍ୟୁଟ୍‌ ଟୁ ଲତା ମଂଗେସକର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଟିମ୍‌ରେ ଭାରତ, ୟୁଏସ୍‌, ୟୁକେ, ୟୁରୋପ, ଆଫ୍ରିକାର ବଛାବଛା ୫୦ ଜଣ କଣ୍ଠଶିଳ୍ପୀ ସାମିଲ ହୋଇ ଲତା ମଂଗେସକରଙ୍କ ଉପରେ ସଂଗୀତ ପରିବେଷଣ କରିବେ। ସୋସିଆଲ ମିଡିଆରେ ଏହି କାର୍ଯ୍ୟକ୍ରମ ସମଗ୍ର ବିଶ୍ୱ ଦେଖିବ। ଟିମ୍‌ରେ ସାମିଲ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲା ତୁଷୁରାର ଅବସରପ୍ରାପ୍ତ ଇଂଜିନିୟର ସୁଧୀର ପାଣିଗ୍ରାହୀଙ୍କ ପୁଅ ପ୍ରିୟବ୍ରତ ପାଣିଗ୍ରାହୀ। ଏହା ଜଣାପଡ଼ିବା ପରେ ତୁଷୁରା ସହିତ ସାରା ବଲାଙ୍ଗୀର ଜିଲ୍ଲାରେ ଖୁସିର ମାହୋଲ ଦେଖାଦେଇଛି।

ପ୍ରିୟବ୍ରତ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନରେ ବିଟେକ୍‌ ପାଠପଡ଼ି ଯାଜପୁରର ଏକ କଂପାନିରେ ଇଂଜିନିୟର ଭାବରେ କାମ କରୁଥିଲେ। କିନ୍ତୁ ତାଙ୍କର ନିଶା ଥିଲା ଗୀତ ଗାଇବା ଓ ସଂଗୀତ ନିର୍ଦେଶନା ଦେବା। ନିଶା ଆଗରେ ଫିକାପଡ଼ିଲା ପେସା। ୨୦୧୧ ମସିହାରେ ଚାକିରି ଛାଡ଼ି ପୁନେସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ବା ଏଫ୍‌ଟିଟିଆଇରେ ସାଉଣ୍ଡ ରେକର୍ଡିଂ ଏବଂ ଡିଜାଇନିଂ ବିଷୟରେ ଶିକ୍ଷା ଗ୍ରହଣ କଲେ। ତାପରେ ଲତା ମଂଗେସକରଙ୍କ ସ୍ୱରଲତା ଷ୍ଟୁଡିଓରେ କିଛି ଦିନ କାମ କଲେ। ତାପରଠୁ ଗୋଟିଏ ପରେ ଗୋଟିଏ ଫିଲ୍ମରେ ସଂଗୀତ ନିର୍ଦେଶନା ଦେଉଥିବା ବେଳେ ଗୀତ ମଧ୍ୟ ଗାଇଛନ୍ତି। ୨୦୧୩ ମସିହାରେ ସଂଜୟ ପଟ୍ଟନାୟକଙ୍କ ଫିଲ୍ମ ଶୁଖା ଆସୁଛିରେ ପ୍ରିୟବ୍ରତ ସଂଗୀତ ନିର୍ଦେଶନା ଦେଇଥିଲେ। ଏହା ସହିତ ଦି ଲାଷ୍ଟ ରାଇଟ୍‌, ୱାର୍କ୍‌ ଫ୍ରମ୍‌ ହୋମ୍‌, ଦି ସନ୍‌ରାଇଜେସ୍‌ ଇନ୍‌ ଦି ଇଷ୍ଟ ଭଳି ଆନ୍ତର୍ଜାତୀୟ ଫିଲ୍ମରେ ସଂଗୀତ ନିର୍ଦେଶନା ଦେଇଛନ୍ତି ପ୍ରିୟବ୍ରତ। ଏଥିପାଇଁ ଅନେକ ଆନ୍ତର୍ଜାତୀୟ ସମ୍ମାନ ମଧ୍ୟ ପାଇଛନ୍ତି। ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀରେ ଅନେକ ସଚେତନତାଧର୍ମୀ ଡକ୍ୟୁମେଣ୍ଟାରି, ୧୫ରୁ ଅଧିକ କ୍ଷୁଦ୍ର ଚଳଚ୍ଚିତ୍ର, ଆଂଚଳିକ ଭାଷାରେ ନିର୍ମିତ ଆଲବମରେ ସଂଗୀତ ନିର୍ଦେଶନା ଦେଇସାରିଛନ୍ତି। ଏହା ସହିତ ୫ରୁ ଅଧିକ ବଲିଉଡ଼, ଓଲିଉଡ଼ ଚଳଚ୍ଚିତ୍ରରେ ପ୍ରିୟବ୍ରତ ସଂଗୀତ ନିର୍ଦେଶନା ଦେଇସାରିଛନ୍ତି। ୨୦୨୦ରେ ଓସ୍କାର ପାଇଁ ମନୋନୀତ ଫିଲ୍ମ ଦି ଲାଷ୍ଟ କଲର୍‌ରେ ମଧ୍ୟ ସେ ସଂଗୀତ ନିର୍ଦେଶନା ଦେଇଛନ୍ତି। ଏବେ ଟ୍ରିବ୍ୟୁଟ୍‌ ଟୁ ଲତା ମଂଗେସକର କାର୍ଯ୍ୟକ୍ରମକରେ ଭାଗ ନେବା ପାଇଁ ସୁଯୋଗ ପାଇଥିବାରୁ ବହୁତ ଖୁସି ପ୍ରିୟବ୍ରତ। ନ୍ୟୁୟର୍କ ସିଟିର ବ୍ୟସ୍ତବହୁଳ ଟାଇମ୍‌ ସ୍କୋୟାର୍‌ଠାରେ ଏହି କାର୍ଯ୍ୟକ୍ରମକୁ ନେଇ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର ପ୍ରସାର କରାଯାଉଛି।

ସମ୍ବନ୍ଧିତ ଖବର