ନିଜ ସ୍ତ୍ରୀର ଶ୍ରାଦ୍ଧ ନକରି ୩୨ ପରିବାରକୁ ଖାଦ୍ୟ ଯୋଗାଇ ଚର୍ଚ୍ଚାରେ ଆସାମର ଏହି ବ୍ୟକ୍ତି

ହୋଜାଇ: କରେନା ଭାଇରସ୍‌ ହେତୁ ସାରା ଦେଶରେ ଲକ୍‌ଡାଉନ୍‌ ଲାଗୁ ହୋଇଥିବା ବେଳେ ଆସାମର ହୋଜାଇ ଜିଲ୍ଲାର ଜଣେ ବ୍ୟକ୍ତି ଏକ ମହତ୍‌ କାର୍ଯ୍ୟ କରି ଚର୍ଚ୍ଚା ପାଲଟିଛନ୍ତି। ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କର ଶ୍ରାଦ୍ଧ କ୍ରିୟା ନକରି ସେହି ଟଙ୍କାରେ ଆବଶ୍ୟକତା ଥିବା ଲୋକମାନଙ୍କୁ ଖାଦ୍ୟ ବାଣ୍ଟୁଥିବା ଘଟଣା ଏବେ ଚାରିଆଡ଼େ ବେଶ୍‌ ଚର୍ଚ୍ଚା ପାଲଟିଛି। ବ୍ୟକ୍ତି ଜଣକ ହେଉଛନ୍ତି ଗୋଲାପ ଗୋଗଇ। ତାଙ୍କୁ ୫୨ ବର୍ଷ ବୟସ। ତାଙ୍କ ଘର ଭେଲଗୁରି ଗ୍ରାମରେ। ବୃତ୍ତିରେ ସେ ଜଣେ ଗାଡ଼ି ଚାଳକ।

ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ପ୍ରତି ବର୍ଷ ଶ୍ରାଦ୍ଧ ଦେଇ ଆସିଛନ୍ତି। ମାତ୍ର ୨୦୨୦ ତାଙ୍କ ପାଇଁ ଏକ ନୂଆ ଅନୁଭୂତି ଆଣି ଦେଇଛି। ଗୋପାଲ ପତ୍ନୀଙ୍କ ଶ୍ରାଦ୍ଧ କରିବା ବଦଳରେ ଏବର୍ଷ କରୋନା ଭାଇରସ୍‌ ପାଇଁ ଅସୁବିଧାରେ ପଡ଼ିଥିଲେ ଲୋକମାନଙ୍କୁ ସେ ଖାଇବା ଯୋଗାଇଛନ୍ତି।

କରେନା ଭାଇରସ୍‌ ପାଇଁ ଗୋପାଳ ତାଙ୍କ ପତ୍ନୀଙ୍କ ଶ୍ରାଦ୍ଧ ଦେବା ବଦଳରେ ୩୨ଟି ପରିବାରକୁ ଖାଦ୍ୟ ଯୋଗାଇଛନ୍ତି। ଗଣମାଧ୍ୟମରେ ନିଜର ମତ ରଖି ଗୋପାଳ କହନ୍ତି କି ଏପରି କରି ସେ ବେଶ୍‌ ଖୁସି। ତାଙ୍କ ପତ୍ନୀଙ୍କୁ ୟାଠାରୁ ଭଲ ଶ୍ରଦ୍ଧାଞ୍ଜଳି ଆଉ କିଛି ହୋଇ ପାରି ନଥାନ୍ତା।

ଉଲ୍ଲେଖଯୋଗ୍ୟ, ଏବେ ସୁଦ୍ଧା ଆସାମରେ ସମୁଦାୟ ୩୨ ଜଣକ କରେନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଏପ୍ରିଲ୍‌ ୧୦ ତାରିଖରେ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର