ଆସନ୍ତାକାଲି ନାମାଙ୍କନର ଶେଷ ତାରିଖ, କେନ୍ଦ୍ରାପଡା ପାଇଁ କାହାକୁ ଭରସା କରିବେ ବିଜେଡି ସୁପ୍ରିମୋ ? ଜାରି ରହିଛି ସସପେନ୍ସ

ଭୁବନେଶ୍ବର :୧୪୭ ବିଧାନସଭା ଆସନରୁ ୧୪୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । କିନ୍ତୁ ଏଯାଏଁ କେନ୍ଦ୍ରାପଡା ଆସନକୁ ନେଇ ବିଜେଡିର ଅଙ୍କ ଛିଣ୍ଡୁନି । ଆସନ୍ତାକାଲି ନାମାଙ୍କନପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ କେନ୍ଦ୍ରାପଡା କୁରୁକ୍ଷେତ୍ରରେ ବିଜେଡିର ଯୋଦ୍ଧା କିଏ ତାହା ଏଯାଏଁ ସସପେନ୍ସରେ ରହିଛି । କେନ୍ଦ୍ରାପଡା ଆସନ ପାଇଁ ବିଜେଡିର ଦ୍ୱନ୍ଦ୍ୱ ବଢି ଚାଲିଥିବା ବେଳେ କାହାକୁ ଭରସା କରିବେ ବିଜେଡି ସୁପ୍ରିମୋ ତାହାକୁ ନେଇ ଉତ୍କଣ୍ଠା ବଢିଚାଲିଛି ।

ବିଜେପି ଓ କଂଗ୍ରେସ ନିଜ ଯୋଦ୍ଧାଙ୍କୁ ମୈଦାନକୁ ଓହ୍ଳାଇ ସାରିଥିବା ବେଳେ କେନ୍ଦ୍ରାପଡା ଆସନରେ ବିଜେଡି ଏଯାଏଁ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ । ଟିକେଟ ପାଇଁ ଆଶାୟୀ ଆଶା ବାନ୍ଧି ବସିଥିବା ବେଳେ ବିଜେଡି ସୁପ୍ରିମୋ କିନ୍ତୁ ନିଜ କାର୍ଡ ଖୋଲିନାହାନ୍ତି । ବିଧାୟକ ଥିବା କିଶୋର ତରାଇ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଓ ଅର୍ଥମନ୍ତ୍ରୀ ଥିବା ଶଶୀଭୂଷଣ ବେହେରାଙ୍କ ନାଁକୁ ନେଇ ମାନସମନ୍ଥନ ଚାଲିଥିବା ଚର୍ଚ୍ଚା ହେଉଛି । କିନ୍ତୁ କୌଣସି ନାଁରେ ଏଯାଏଁ ମୋହର ମାରିନାହାନ୍ତି ନବୀନ । ଗୋଟିଏ ପଟେ କିଶୋରଙ୍କ ପ୍ରାର୍ଥୀତ୍ୱକୁ ଦଳ ଦ୍ୱନ୍ଦ୍ୱରେ ପଡିଥିବା ବେଳେ ମହିଳା କାର୍ଡ ଅନୁଯାୟୀ ସିପ୍ରା ଟିକେଟ ପାଇଁ ଅଡି ବସିଥିବା ଚର୍ଚ୍ଚା ହେଉଛି । ତେବେ ଏହି ୨ ନେତାଙ୍କ ମଧ୍ୟରୁ ଯଦି ଜଣକୁ କାହାକୁ ଟିକେଟ ଦେଲେ ଅନ୍ୟ ଜଣେ ବିଦ୍ରୋହୀ ଭୂମିକାରେ ଆସିବା ନେଇ ଚର୍ଚ୍ଚା ହେଉଛି । ତେଣୁ ଏହି ଆସନ ପାଇଁ ଦଳ ମଧ୍ୟରେ ଜୋରଦାର ମାନସମନ୍ଥନ ଚାଲିଛି ।

ଆଉ ଏକ ଚର୍ଚ୍ଚା ଅନୁଯାୟୀ, ଅର୍ଥମନ୍ତ୍ରୀ ଥିବା ଶଶୀଭୂଷଣ ବେହେରାଙ୍କୁ କେନ୍ଦ୍ରାପଡାରୁ ପ୍ରାର୍ଥୀ କରାଯିବା ନେଇ ଦଳର ଥିଙ୍କ୍ ଟ୍ୟାଙ୍କ୍ ଚିନ୍ତା କରୁଥିବା ଜଣାପଡିଛି, ଯେଉଁଥିପାଇଁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଛି । ଜୟଦେବରୁ ଶଶୀଭୂଷଣଙ୍କ ଟିକେଟ କଟିବା ପରେ ତାଙ୍କୁ ଦଳ କେନ୍ଦ୍ରାପଡାରୁ ମୈଦାନକୁ ଓହ୍ଲାଇବାକୁ ଚିନ୍ତା କରୁଛି । ଯେହେତୁ ଶଶୀଭୂଷଣଙ୍କ ଶ୍ୱଶୁର ଘର କେନ୍ଦ୍ରାପଡା ତେଣୁ ଏଠାରୁ ତାଙ୍କୁ ପ୍ରାର୍ଥୀ କଲେ ଦଳକୁ କୌଣସି ବିପଦ ନାହିଁ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଜିଲ୍ଲା ବାହାରର ନେତାଙ୍କୁ କେନ୍ଦ୍ରାପଡାରେ ପ୍ରାର୍ଥୀ କରାଗଲେ ବିରୋଧ ଆଶଙ୍କା ରହିଥିବାରୁ ଶଶୀଭୂଷଣଙ୍କ ପ୍ରାର୍ଥୀତ୍ୱକୁ ନେଇ ମଧ୍ୟ ସସପେନ୍ସ ଦେଖାଦେଇଛି ।

 

ସମ୍ବନ୍ଧିତ ଖବର