ଦିଲ୍ଲୀରେ ପହଞ୍ଚିଲା ସହିଦଙ୍କ ମରଶରୀର: ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଓ ତିନି ବାହିନୀର ମୁଖ୍ୟ ଜଣାଇଲେ ଶେଷ ସମ୍ମାନ

କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଜଣାଇଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ୩୮ ସିଆର୍‌ପିଏଫ୍‌ ଯବାନଙ୍କ ମରଶରୀର ଶ୍ରୀନଗରରୁ ଆସି ନୂଆଦିଲ୍ଲୀର ପାଲାମ୍‌ ବିମାନ ବନ୍ଦରରେ ପହଞ୍ଚିଛି। ଏଠାରୁ ସହିଦ ଯବାନଙ୍କ ମରଶରୀରକୁ ସେମାନଙ୍କ ଘରକୁ ପଠାଯିବାର ବ୍ୟବସ୍ଥା କରାଯିବ। ପାଲାମ୍‌ ବିମାନ ବନ୍ଦରରେ ସେନାଧ୍ୟକ୍ଷ ଜେନେରାଲ୍‌ ବିପିନ ରାଓ୍ଵତ୍‌, ନୌସେନାମୁଖ୍ୟ ଆଡମିରାଲ୍‌ ସୁନୀଲ୍‌ ଲାମ୍ବା ଓ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ୍‌ ବି.ଏସ୍‌.ଧନଓ୍ଵା ସାମରିକ ସମ୍ମାନ ପ୍ରଦାନ କରିଥିଲେ।

ବିମାନବନ୍ଦରରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି ଗୃହମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି, ଓ ସେନାର ଅନ୍ୟ ବରିଷ୍ଠ ଅଧିକାରୀ ସହିଦ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ପାଲାମ୍‌ ବିମାନ ବନ୍ଦରରେ ସହିଦମାନଙ୍କର ମରଶରୀର ପହଞ୍ଚିବା ପରେ ଭାବଗମ୍ଭୀର ପରିବେଶ ସୃଷ୍ଟି ହୋଇଛି। ତ୍ରିରଙ୍ଗାରେ ଆଚ୍ଛାଦିତ ସହିଦଙ୍କ ମରଶରୀରକୁ ସଂପୂର୍ଣ୍ଣ ସାମରିକ ସମ୍ମାନ ପ୍ରଦର୍ଶନ କରାଯାଇଛି।

ଅନ୍ୟପକ୍ଷରେ ଏକ ଭିନ୍ନ ଘଟଣାକ୍ରମରେ ତେଲେଙ୍ଗନା ରାଜଧାନୀ ହାଇଦ୍ରାବାଦରେ ସୁରକ୍ଷା ବଳ ପକ୍ଷରୁ ଆତଙ୍କବାଦୀ ଆକ୍ରମଣର ପ୍ରତିବାଦରେ ପ୍ରଦର୍ଶନ କରାଯାଇଛି।

ସମ୍ବନ୍ଧିତ ଖବର