ଋଷିକୁଲ୍ୟା ମୁହାଣରେ ଖୁବଶୀଘ୍ର ହୋଇପାରେ ଅଲିଭରିଡଲେଙ୍କ ଗଣ ଅଣ୍ଡାଦାନ

ଗୋଟିଏ ରାତିରେ ଅଣ୍ଡା ଦେଲେ ୫୪ କଇଁଛ

ବ୍ରହ୍ମପୁର: ପ୍ରତିକୂଳ ପାଗ ଯୋଗୁଁ ଋଷିକୁଲ୍ୟା ମୁହାଣରେ ଅଲିଭ୍‌ ରିଡଲେଙ୍କ ଗଣଅଣ୍ଡଦାନ ଚଳିତ ବର୍ଷ ବିଳମ୍ବିତ ହୋଇଛି। ବର୍ତ୍ତମାନ ପାଗ ଅନୁକୂଳ ହେବାରୁ ଗଞ୍ଜାମର ଗୋଖରକୁଦା ବେଳାଭୂମିରେ ବିରଳ ଅଲିଭ୍‌ ରିଡଲେଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାର ରାତିରେ ପୁରୁଣାବନ୍ଧ ଠାରୁ ପୋଡ଼ମପେଟା ବେଳାଭୂମିରେ ୫୪ଟି କଇଁଛ ଅଣ୍ଡା ଦେଇଛନ୍ତି। ଏହା ପରେ ବ୍ରହ୍ମପୁର ବନ ବିଭାଗ ତତ୍ପର ହୋଇପଡ଼ିଛି। ଗତବର୍ଷ ଅନିୟମିତ ବର୍ଷା ସାଙ୍ଗକୁ ପ୍ରତିକୂଳ ପାଗ ଯୋଗୁଁ ଗଞ୍ଜାମ ଉପକୂଳରେ ଗଣଅଣ୍ଡାଦାନ ବ୍ୟାହତ ହୋଇଥିଲା।

ଗତ ନଭେମ୍ବର ୧ତାରିଖରୁ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ମାତ୍ର ୪୦ଟି କଇଁଛ ଅଣ୍ଡା ଦେଇଥିଲେ। ଅଣ୍ଡା ଗୁଡ଼ିକ ସଂଗ୍ରହ କରି ବନବିଭାଗ ପକ୍ଷରୁ ପ୍ରସ୍ତୁତ ହ୍ୟାଚେରୀରେ ରଖାଯାଇଛି। ଅଲିଭ୍‌ ରିଡ଼ଲେ କଇଁଛ ପ୍ରତିବର୍ଷ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ବେଳାଭୂମିରେ ଗଣଅଣ୍ଡାଦାନ କରିଥାନ୍ତି। ଏବେ ପୁରୁଣାବନ୍ଧ ଠାରୁ ବଟେଶ୍ୱର ପର୍ଯ୍ୟନ୍ତ ପ୍ରାୟ ୫ କିମି ବେଳାଭୂମିରେ ଗଣଅଣ୍ଡାଦାନ ହେଉଛି। ପରିବର୍ତ୍ତିତ ଜଳବାୟୁ ଓ ପ୍ରତିକୂଳ ପାଗ ଯୋଗୁଁ ଚଳିତ ବର୍ଷ ଗଣଅଣ୍ଡାଦାନ ବିଳମ୍ବିତ ହୋଇଛି। ବାରମ୍ବାର ପାଗରେ ପରିବର୍ତ୍ତନ ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ବି ଗଣଅଣ୍ଡାଦାନ ପ୍ରଭାବିତ ହେବ ବୋଲି ବନ ବିଭାଗ ଆଶାଙ୍କା କରିଥିଲା। କିନ୍ତୁ ଗତ କିଛିଦିନ ହେଲା ପାଗରେ ସୁଧାର ଆସିବା ସହିତ ତାପାମାତ୍ର ବୃଦ୍ଧି ପାଇଥିଲା। ଏଥିସହ ଦକ୍ଷିଣା ପବନ ବହିବା ଆରମ୍ଭ ହୋଇଛି। ଅଲିଭ୍‌ ରିଡଲଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ସ୍ୱାଭାବିକ ହେବାର ସମ୍ଭବନା ରହିଛି।

ବ୍ରହ୍ମପୁର ବନବିଭାଗ ପକ୍ଷରୁ ପୁରୁଣାବନ୍ଧ ଠାରୁ ବଟେଶ୍ୱର ପର୍ଯ୍ୟନ୍ତ ବେଳାଭୂମିରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ୫କିମି ବେଳାଭୂମିକୁ ୧୦ଟି ସେକ୍ଟରରେ ବିଭକ୍ତ କରାଯାଇଛି। ପ୍ରତି ସେକ୍ଟର୍‌ ଲାଗି ଜଣେ ଲେଖାଏଁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପାଳି କରି ୨୪ ଘଣ୍ଟିଆ ପହରା ଆରମ୍ଭ ହୋଇଛ। ଗୋଖରକୁଦାରେ ବନବିଭାଗ ପକ୍ଷରୁ କଣ୍ଟ୍ରୋଲ୍‌ ରୁମ୍‌ ଅଛି। ବେଳାଭୂମିରେ ଆଲୋକ ପଡ଼ିଲେ ଅଲିଭ୍‌ରିଡଲେଙ୍କ ଅଣ୍ଡାଦାନ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ତେଣୁ ଷ୍ଟ୍ରିଟ ଲାଇଟ୍‌ ଗୁଡ଼ିକୁ ବନ୍ଦ କରିବା ଲାଗି ଗଞ୍ଜାମ ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ଏଥିସହ ଗ୍ରାସୀମ୍‌ ଇଣ୍ଡଷ୍ଟ୍ରିଜରେ ଲାଗିଥିବା ଲାଇଟ୍‌ ଗୁଡ଼ିକ ବନ୍ଦ କରିବା ଲାଗି ଅନୁରୋଧ କରା ଯାଇଥିବା ବ୍ରହ୍ମପୁର ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର