ବାପା-ମା’ଙ୍କ ଆତ୍ମାହୁତି ଉଦ୍ୟମ ପରେ ବିଧାନସଭାରେ ଉଠିଲା ପରୀ ମୃତ୍ୟୁ ପ୍ରସଙ୍ଗ: ଗୃହରେ ବାଚସ୍ପତିଙ୍କ ରୁଲିଂ, ଆସନ୍ତାକାଲି ଉତ୍ତର ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ବର: ଯେଉଁ ବୟସରେ ଝିଅର ଭବିଷ୍ୟତ ପାଇଁ ସ୍ୱପ୍ନ ବୁଣିବା କଥା, ସେହି ବୟସରେ ତାର ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିଥିବା ବାପାମାଆ, ଶେଷରେ ଜୀବନ ହାରିଦେବାକୁ ଉଦ୍ୟମ କରି ବିଧାନସଭା ଆଗରେ ଦେହରେ ଡିଜେଲ ଢାଳି ଦେଇଛନ୍ତି । ୫ ବର୍ଷର ଝିଅର ମୃତ୍ୟୁ ପରେ ନ୍ୟାୟ ପାଇଁ ବାର ଦୁଆର ବୁଲି ନିରାଶ ହେବାରୁ ଗଣତନ୍ତ୍ରର ମନ୍ଦିର ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଏମାନେ ହେଉଛନ୍ତି ନୟାଗଡରେ ମୃତ ନାବାଳିକା ପରୀର ବାପା ଅଶୋକ ସାହୁ ଓ ମାଆ ସୌଦାମିନୀ ସାହୁ ।

ଏମାନଙ୍କ ଅଭିଯୋଗ, ନାବାଳିକା ଝିଅକୁ ମାରି ତାର ଆଖି ଓ କିଡନୀ ତାଡି ନିଆଗଲା । ନ୍ୟାୟ ମାଗିବାରୁ ସେମାନଙ୍କୁ ଗାଁରୁ ବିଦା କରାଯାଉଛି । ତେବେ ସବୁଠାରୁ ବଡକଥା ହେଉଛି ଝିଅର ହତ୍ୟା ପାଇଁ ସେମାନେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି । ମନ୍ତ୍ରୀଙ୍କ ପାଖ ଲୋକ ଝିଅକୁ ହତ୍ୟା କରିଥିବାବେଳେ ମନ୍ତ୍ରୀ କିଛି କରୁ ନାହାନ୍ତି ବରଂ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ।

ନିଜର ଶିଶୁ କନ୍ୟାକୁ ହରାଇଥିବା ଏହି ଦମ୍ପତିଙ୍କ ଅଭିଯୋଗରେ କ’ଣ ସତ୍ୟତା ରହିଛି? ସେମାନେ ଅଭିଯୁକ୍ତ କହୁଥିବା ବାବୁଲି ନାୟକଙ୍କ ସହ ମନ୍ତ୍ରୀ ଅରୁଣ ସାହୁଙ୍କ କୌଣସି ସଂପର୍କ ରହିଛି ନା ନାହିଁ, ତାହା ତ ପରେ ଜଣାପଡିବ । କିନ୍ତୁ ବିଧାନସଭା ଚାଲିଥିବାବେଳେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆଣି ଦମ୍ପତି ଆତ୍ମହୁତି ଉଦ୍ୟମ କରିବା ପ୍ରସଙ୍ଗ ତତକ୍ଷଣାତ ବିଧାନସଭାରେ ଉଠିଥିଲା । ବାଚସ୍ପତିଙ୍କୁ ରୁଲିଂ ଦାବି କରିଥିଲେ ବିରୋଧୀ । ଏହାପରେ ଆସନ୍ତକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ଉତ୍ତର ରଖିବା ପାଇଁ ବାଚସ୍ପତି ରୁଲିଂ ଦେଇଛନ୍ତି ।

ଗତ ଜୁଲାଇ ୧୪ ତାରିଖରେ ନୟାଗଡ ସଦର ଥାନା ଯଦୁପୁର ଗାଁର ୫ ବର୍ଷର ଝିଅ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେହି ତାକୁ ଅପହରଣ କରିନେଇଥିଲା । ଏ ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ହେଲେ ୧୦ଦିନ ପରେ ଏକ ବସ୍ତାରେ ବନ୍ଧା ହୋଇ ପରୀର ଖଣ୍ଡଖଣ୍ଡ ଗଳିତ ମୃତଦେହ ମିଳିଥିଲା । ପୁଲିସ ଏହି ମାମଲାରେ ବିଭିନ୍ନ ଲୋକଙ୍କୁ ଥାନାକୁ ନେଇ ଜେରା କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ । ଅନ୍ୟ ପକ୍ଷରେ ନ୍ୟାୟ ଦାବି କରି ପରୀର ପରିବାର ଆକ୍ରୋଶର ଶିକାର ହେଉଥିବା ଅଭିଯୋଗ ବାଢିଥିଲେ ।

ସମ୍ବନ୍ଧିତ ଖବର