ମାଓବାଦୀଙ୍କ ସହିଦ୍ ସପ୍ତାହ ଆରମ୍ଭ, ଆନ୍ଧ୍ର-ଓଡ଼ିଶା ସୀମା ସିଲ୍

ରାୟଗଡ଼ା: ଆଜିଠୁ ଆରମ୍ଭ ହୋଇଛି ମାଓବାଦୀଙ୍କ ସହିଦ୍ ସପ୍ତାହ। ପୁଲିସ୍ ପକ୍ଷରୁ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା କଡାକଡ଼ି କରାଯିବା ସହ ଆନ୍ଧ୍ର-ଓଡ଼ିଶା ସୀମାକୁ ସିଲ୍ କରାଯାଇଛି। ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖି ଏସଓଜି-ସିଆରପିଏଫ୍-ବିଏସ୍ଏଫ୍ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍। ରାୟଗଡ଼ା ଜିଲ୍ଲାକୁ ଲାଗିଥିବା କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ବଂଶଧାରା-ଘୁମୁସର-ନାଗାବଳୀ ମାଓ ଡିଭିଜନ୍ ସକ୍ରିୟ ରହିଛି। ଗତ କିଛି ଦିନ ମଧ୍ୟରେ କନ୍ଧମାଳରେ ପୁଲିସ୍ ଏନକାଉଣ୍ଟରରେ ଏହି ସଂଗଠନର ୭ ମାଓବାଦୀ ନିହତ ହୋଇଥିବାରୁ ସହିଦ୍ ସପ୍ତାହରେ ମାଓବାଦୀ କିଛି ଅଘଟଣ ଘଟାଇବାକୁ ଯୋଜନା କରିଛନ୍ତି। ଗୁଇନ୍ଦା ସୂଚନା ପରେ ପୁଲିସ୍ ପକ୍ଷରୁ ଅଘଟଣ ରୋକିବାକୁ ପଦକ୍ଷେପ ନିଆଯାଇଛି।

ମାଓ ପ୍ରବଣ କଲ୍ୟାଣସିଂହପୁର, ଚନ୍ଦ୍ରପୁର, ମୁନିଗୁଡା, ବିଷମକଟକ, କାଶୀପୁର, ରାୟଗଡ଼ା ବ୍ଲକ ଅଞ୍ଚଳରେ ୫ ପ୍ଲାଟୁନ୍ ସିଆରପିଏଫ୍, ୨ ପ୍ଲାଟୁନ୍ ବିଏସ୍ଏଫ୍ ଯବାନ କମ୍ବିଂରେ ସାମିଲ୍ ହୋଇଛନ୍ତି। ବିଶେଷ କରି ନିୟମଗିରି ଓ ବେଲଘର ଜଙ୍ଗଲ ଉପରେ ତୀକ୍ଷଣ୍ ଦୃଷ୍ଟି ରଖିଛି ପୁଲିସ୍। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ-କୋଟଗଡ଼ରୁ ରାୟଗଡ଼ା ଦେଇ ମାଓବାଦୀ କଳାହାଣ୍ଡିକୁ ଯାତାୟାତ କରୁଥିବାରୁ ପୁଲିସ୍ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର୍ କରିଛି। ଏଥି ସହିତ ଆନ୍ତଃ ଜିଲ୍ଲା ସୀମାନ୍ତରେ ନାକାବନ୍ଦୀ ଲଗାଇ ଯାଞ୍ଚକୁ କଡାକଡ଼ି କରିଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ଆନ୍ଧ୍ରକୁ ସଂଯୋଗ ହୋଇଥିବା ରାସ୍ତା ସିଲ୍ ସହ ମାଓ ପ୍ରଭାବିତ ଗାଁ ଗୁଡ଼ିକ ଉପରେ ପୁଲିସ୍ ନଜର ରଖିଛି। ଜୁଲାଇ ୮ ତାରିଖରେ ମାଓବାଦୀ ଅମ୍ବାଦଳା ଥାନାର ମାଓ ପ୍ରବଣ ଗୁରୁଗାଁ, ସୁକୁଲାଭଟ୍ଟାରେ ପୋଷ୍ଟର ମାରି ସ୍ଥିତି ଜାହିର୍ କରିଥିଲେ। ପୁଲିସ୍ ଦୁଇ ପୋଷ୍ଟରକୁ ଜବତ କରିବା ସହ ଅପରେସନ୍ ଆରମ୍ଭ କରିବା ପୂର୍ବରୁ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ।

ମାଓ ନେତା ବଣ୍ଟିର ସ୍ତ୍ରୀ ଇନ୍ଦୁ ନେତୃତ୍ବରେ ୩୦ ଜଣିଆ ଟିମ୍ କଲ୍ୟାଣସିଂହପୁର ବ୍ଲକର ନିୟମଗିରି, ଲାମ୍ବେସୁ, ପାତାଲାମା, ମୁନିଗୁଡ଼ା ବ୍ଲକର ରଘୁବାରୀ, ଡିମିରିଗୁଡା, ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର, ଜାରପା, ହାକୁସପଙ୍ଗା, ଗର୍ଲାଗୁଡ଼ି, କାର୍କାମାର୍କା ଜଙ୍ଗଲରେ ଲୁଚିଥିବା ଗୁଇନ୍ଦା ସୂଚନା ମିଳିଛି। ଏହି ସମସ୍ତ ଇଲାକାରେ ପୁଲିସ୍ ଓ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ୍ ଚାଲିଛି। ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ସହିଦ୍ ସପ୍ତାହ ଚାଲିବାକୁ ଥିବାରୁ ମାଓ ପ୍ରବଣ ଅଞ୍ଚଳ ସମେତ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଲକଡାଉନ୍ କାରଣରୁ ମାଓ ପ୍ରବଣ ଅଞ୍ଚଳକୁ ଯାତ୍ରୀବାହୀ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଯାତ୍ରୀସେବା ବାଧାପ୍ରାପ୍ତ ହେବ ନାହିଁ।

ତଥାପି ମୁନିଗୁଡ଼ା-ଚନ୍ଦ୍ରପୁର, କଲ୍ୟାଣସିଂହପୁର-ତ୍ରିଲୋଚନପୁର-କଳାହାଣ୍ଡି, ଅମ୍ବାଦଳା-ବେଲଘର, ମୁନିଗୁଡ଼ା-କୋଟଗଡ଼-ବାଲିଗୁଡ଼ା ରାସ୍ତା ଉପରେ ମାଓବାଦୀ କିଛି ଅଘଟଣ ଘଟାଇବାର ଆଶଙ୍କା ରହିଛି। ସହିଦ୍ ସପ୍ତାହର ପ୍ରଥମ ଦିନରେ ରାୟଗଡ଼ା ଜିଲ୍ଲାର କୌଣସି ସ୍ଥାନରେ ମାଓବାଦୀ ପୋଷ୍ଟର, ବ୍ୟାନର ଲଗାଇବାରେ ସକ୍ଷମ ହୋଇନାହାନ୍ତି। ତଥାପି ପୁଲିସ୍ ପକ୍ଷରୁ ମାଓବାଦୀଙ୍କ ସହିଦ୍ ସପ୍ତାହକୁ ଗୁରୁତର ସହ ନେଇ ସୁରକ୍ଷା ବ୍ୟବସ୍ଥା ସହ କମ୍ବିଂ, ସର୍ଚ୍ଚ ଅପରେସନକୁ ଜୋରଦାର୍ କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି। ଜିଲ୍ଲାର କାଶୀପୁର ବ୍ଲକ୍ ଅଞ୍ଚଳରେ ବିଏସଏଫ୍, ରାୟଗଡ଼ା, କଲ୍ୟାଣସିଂହପୁର, ଅମ୍ବାଦଳା, ମୁନିଗୁଡ଼ା, ଚନ୍ଦ୍ରପୁର, ବିଷମକଟକ ମାଓ ପ୍ରବଣ ଇଲାକାରେ ସିଆରପିଏଫ୍ ଯବାନ କମ୍ବିଂରେ ସାମିଲ୍ ହୋଇଛନ୍ତି।

ସମ୍ବନ୍ଧିତ ଖବର