କରୋନାରେ ସ୍ୱାମୀଙ୍କ ମୃତ୍ୟୁ ପରେ କେନ୍ଦ୍ରାପଡା ଫେରାଇ ଆଣିବାକୁ ଗୁହାରୀ କରିଥିଲେ ମହିଳା, ବିଧାୟକ ଓ ସରକାର ସାହାଯ୍ୟ କଲେ

ନୂଆଦିଲ୍ଲୀ:  ଦିଲ୍ଲୀରେ ଫସିଥିବା ଜଣେ ଅସହାୟ ମହିଳାଙ୍କ ଦୁଃଖ ଶୁଣିଲେ ସରକାର । କରୋନାରେ ସ୍ୱାମୀଙ୍କ ମୃତ୍ୟୁ ପରେ ଦିଲ୍ଲୀରୁ କେନ୍ଦ୍ରାପଡା ଫେରାଇ ଆଣିବାକୁ ଗୁହାରି କରିଥିଲେ ଅସହାୟ ମହିଳା ଓ ତାଙ୍କର ଦୁଇ  ପିଲା । ଏହା ପରେ ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ମହିଳାଙ୍କୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିବା ସହ ବିମାନରେ ଓଡିଶା ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ପଟେ ଗାଁରେ ଥିବା ବୃଦ୍ଧ ବାପା ମା’ଙ୍କ ପାଖରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ପକ୍ଷରୁ ୧୦ ହଜାର ଟଙ୍କାର ସହାୟତା ଦିଆଯାଇଛି । ଲକଡାଉନ ପାଇଁ ଦିଲ୍ଲୀରେ ଫସି ରହିଥିଲେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ହାତିଆ ଗାଁର ରଞ୍ଜନ ସାହୁ ।

ଦୀର୍ଘ ୨୦ ବର୍ଷ ହେବ ଦିଲ୍ଲୀରେ ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ ରଞ୍ଜନ । କାମଧନ୍ଦା ବନ୍ଦ ଥିବାରୁ ବହୁ ଦୁଃଖେ କଷ୍ଟେ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ଦିଲ୍ଲୀରେ ରହୁଥିଲେ ରଞ୍ଜନ । ହେଲେ ଗତ ଦୁଇ ଦିନ ତଳେ ଦେହ ଅସୁସ୍ଥ ପରେ କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ । ଆଉ ରଞ୍ଜନ ଆଖିବୁଜିବା ପରେ ଏବେ ଭାଙ୍ଗିପଡିଛନ୍ତି ତାଙ୍କ ସ୍ତ୍ରୀ ଓ ଦୁଇ କଅଁଳା ପିଲା । ସ୍ୱାମୀ ଚାଲିଯିବା ପରେ କେମିତି ଦୁଇ ପିଲାଙ୍କୁ ଧରି ଓଡିଶା ଫେରିବେ କାନ୍ଦି କାନ୍ଦି ନେହୁରା ହୋଇଛନ୍ତି ରଞ୍ଜନଙ୍କ ସ୍ତ୍ରୀ । ତେବେ ବାପ ଛେଉଣ୍ଡ ହେବା ପରେ ଅସହାୟ ମାଆକୁ ଦେଖି ନିଜକୁ ବୁଝାଇ ପାରୁନାହାନ୍ତି ଦୁଇ ଭାଇ ଭଉଣୀ ।

ସମ୍ବନ୍ଧିତ ଖବର