ବନ୍ଧୁ ମୁଖା ପିନ୍ଧା ଶତ୍ରୁ, ଶତ୍ରୁ ମୁଖା ପିନ୍ଧା ବନ୍ଧୁଙ୍କୁ ଚିହ୍ନିବେ କିପରି?

ଅନ୍ୟକୁ ଚିହ୍ନିବା ଯେତିକି ସହଜ ମନେ ହେଉଥାଏ ସେତିକି ସହଜ ଆଦୌ ବି ନୁହେଁ। ବେଳେ ବେଳେ ଆମକୁ ଏମିତି ଲାଗେ ଯେପରି ଆମେ ଭଲ ଭାବୁଥିବା ବ୍ୟକ୍ତିଟିଏ ଖୁବ୍‌ ଭଲ ଏବଂ ଆମକୁ ଖରାପ ଲାଗୁଥିବା ବ୍ୟକ୍ତିଟି ମନ୍ଦ ହୋଇଥାଏ। ମାତ୍ର ସବୁ ସମୟରେ ସେପରି ହୋଇନଥାଏ। ଆମକୁ ଭଲ ଲଗିବା ବା ଖରାପ ଲାଗିବାକୁ ନେଇ ଆଉ କାହାର ଚରିତ୍ର ନିର୍ଣ୍ଣୟ କରିବା ଉଚିତ ନୁହେଁ। ବେଳେ ବେଳେ ଆମେ ଆମ ନିକଟର ମନ୍ଦ ପ୍ରବୃତ୍ତିିର ଲୋକଟିକୁ ଚିହ୍ନିବା ପରେ ବି ସ୍ନେହ ବଶତଃ ତା’ର ମନ୍ଦ ଗୁଣକୁ ଅଣଦେଖା କରିଥାଉ। ଠିକ୍‌ ସେହିପରି ଆମକୁ ଭଲ ଲାଗୁନଥିବା ବ୍ୟକ୍ତିଟିର ଶହେ ଭଲ ଗୁଣ ଥିବା ସତ୍ତ୍ୱେ ଅହଂକାର ହେତୁ ଆମେ ତାହାକୁ ଦେଖିବାକୁ ଚାହୁଁନା। ଏମିତି ବି ହୁଏ, ଆମେ ଅତି ବିଶ୍ୱାସ କରୁଥିବା ଲୋକ ଜଣକ ବିଶ୍ୱସ୍ତ ହୋଇ ନଥାନ୍ତି ଏବଂ ଅବିଶ୍ୱାସ କରୁଥିବା ଲୋକଟି ବଡ଼ ବିପଦରୁ ବଞ୍ଚାଇବାକୁ ଧାଇଁ ଆସନ୍ତି। ତେବେ, କେମିତି ଜାଣିବେ କାହାକୁ ବିଶ୍ୱାସ କରାଯାଇପାରେ? କେମିତି ଲୋକକୁ ବିଶ୍ୱାସ କରି ଆପଣ ଠକି ଯିବେନି? ସେ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି।

-ସବୁବେଳେ ମିଠା କଥା କହୁଥିବା ବ୍ୟକ୍ତି ଖରାପ ବୋଲି କହିବା ତ ଭୁଲ୍‌ ହେବ, ମାତ୍ର ସିଏ ଯେ ନିଶ୍ଚିତ ରୂପେ ଆପଣଙ୍କ ଭଲ ଚାହାନ୍ତି ଏକଥା କହିବା ବି ଭୁଲ୍‌। ମନେ ରଖନ୍ତୁ ବାସ୍ତବରେ ଯିଏ ଆପଣଙ୍କ ଭଲ ଚାହାନ୍ତି ସିଏ ଆପଣଙ୍କ ଦୋଷକୁ ଅଣଦେଖା କରିବେ ନାହିଁ। ଆପଣଙ୍କ ଭାବନାକୁ ଡରି ଭୁଲ୍‌କୁ ସମର୍ଥନ କରିବେ ନାହିଁ। ଆପଣଙ୍କୁ ସାମାନ୍ୟ କଷ୍ଟ ହେଉ ବରଂ, ଆପଣଙ୍କ ଶୁଭାକାଂକ୍ଷୀ ହୋଇଥିଲେ ସେ ନିଶ୍ଚିତ ଭୁଲ୍‌ ଦେଖିବା ପରେ ପ୍ରତିବାଦ କରିବେ।

-ସବୁବେଳେ ଗାଳି ଦେଉଥିବା ବା ଚିଡ଼ି ଯାଉଥିବା ଲୋକଙ୍କ ଉପରେ ଧାରଣା ନକାରାତ୍ମକ ରହିବା ସ୍ୱଭାବିକ। ମାତ୍ର ମନେ ରଖନ୍ତୁ, ଏମିତି ବି ଲୋକ ଥାଆନ୍ତି ଯାହାଙ୍କ ଗାଳି ବା ଚିଡ଼ିଚିଡ଼ା ପଣରେ ଆପଣଙ୍କ ମଙ୍ଗଳ ଲୁଚି ରହିଥାଏ। ସେ ଆପଣଙ୍କ ମଙ୍ଗଳ ଚିନ୍ତା କରି ନିଜକୁ ଖରାପ କରିବାକୁ ମଧ୍ୟ ଡରନ୍ତି ନାହିଁ। ଆପଣ ସୁଧୁରିଯାଆନ୍ତୁ ଭାବି ସେ ଗାଳି ଜରିଆରେ ନିଜର ସ୍ନେହ ଯଚାନ୍ତି। ଗାଳି ପଛର ସ୍ନେହକୁ ଖୋଜି ପାଇଲେ ସେ ଗାଳି ଆଉ ଆଦୌ ବାଧିବ ନାହିଁ।

-ଆପଣଙ୍କ ସମ୍ମୁଖରେ ଅନ୍ୟର ମନ୍ଦ କହି ବାରମ୍ବାର ଆପଣଙ୍କୁ ଭଲ କହୁଥିବା ବ୍ୟକ୍ତି ହୁଏତ ଆପଣଙ୍କୁ ଭଲ ଲାଗୁଥାଇ ପାରନ୍ତି। ମାତ୍ର ସେ ଯେ ଆପଣଙ୍କ ଶୁଭାକାଂକ୍ଷୀ ତାହାର କୌଣସି ମାନେ ନାହିଁ। ଅନ୍ୟ ସମ୍ମୁଖରେ ଆପଣଙ୍କ ନାଁରେ ଯେ ସେ କହିବେ ନାହିଁ ସେପରି ଭରସା କରିବା ଅନୁଚିତ। ମଣିଷର ପ୍ରକୃତି ସମସ୍ତଙ୍କ ସମ୍ମୁଖରେ ସମାନ ହୋଇଥାଏ। ଅନ୍ୟ ବିଷୟରେ ଆପଣଙ୍କୁ କହୁଥିବା ବ୍ୟକ୍ତି ଆପଣଙ୍କ ବିଷୟରେ ଅନ୍ୟକୁ କହିବା କିଛି ବିସ୍ମୟଜନକ କଥା ନୁହେଁ।

-ସବୁବେଳେ ଟଙ୍କା-ପଇସା ଦେଇ ସହାଯ୍ୟ କରୁଥିବା ବ୍ୟକ୍ତି ଯେ ବିଶ୍ୱସ୍ତ ତାହାର କୌଣସି ମାନେ ନାହିଁ। ଏପରି ଆଦୌ ଭାବିବେ ନାହିଁ ଯେ ଆର୍ଥିକ ସହାୟତା ଦେଉଥିବା ବ୍ୟକ୍ତି ମନ୍ଦ ହୋଇଥାନ୍ତି। ମାତ୍ର ଆର୍ଥିକ ସାହାଯ୍ୟ କରିପାରୁନଥିବା ବ୍ୟକ୍ତି ଯେ ଆମର ଭଲ ଚାହାନ୍ତିନି ସେକଥା ମଧ୍ୟ କହି ହେବ ନାହିଁ। ବନ୍ଧୁ ଓ ଶତ୍ରୁର ଚିହ୍ନଟ ଟଙ୍କାରୁ ନୁହେଁ, ସମବେଦନାରୁ ଜାଣିହୁଏ।

-କଥାଟି ଅତି ପୁରୁଣା ହେଲେ ବି ଆଦୌ ଭୁଲିବେ ନାହିଁ, ଦୁଃଖ ବେଳେ ପାଖରେ ଠିଆ ହେଉଥିବା ବ୍ୟକ୍ତି ପ୍ରକୃତ ବନ୍ଧୁ ହୋଇଥାନ୍ତି। ସୁଖ ବେଳେ ପାଖରେ ରହୁଥିବା ବ୍ୟକ୍ତି ଯେ ଶତ୍ରୁ ହୋଇଥାନ୍ତି ତାହା ଆମେ କହୁ ନାହୁଁ।

ସମ୍ବନ୍ଧିତ ଖବର