ରାଷ୍ଟ୍ରୀୟ ଡାକ୍ତର ଦିବସ: ଡାକ୍ତରଙ୍କ ପାଇଁ ଦିନଟିଏ, ଶୁଖିଲା କାଶ ଓ ତା’ର ଉପଚାର

ପ୍ରତିବର୍ଷ ଜୁଲାଇ ୧ ତାରିଖକୁ ଜାତୀୟ ଡାକ୍ତର ଦିବସ ରୂପେ ପାଳନ କରାଯାଏ। ଅବିଶ୍ରାନ୍ତ ଭାବେ ରୋଗୀ ସେବାରେ ଲାଗି ରହିଥିବା ଡାକ୍ତରମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାରତରତ୍ନ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ସ୍ମୃତିରକ୍ଷା ପାଇଁ ୧୯୯୧ରୁ ଏହି ଦିବସ ପାଳିତ ହୋଇଆସୁଛି। ଚିକିତ୍ସା କ୍ଷେତ୍ରକୁ ଡାକ୍ତର ରାୟଙ୍କ ଅବଦାନ ଅବିସ୍ମରଣୀୟ। ସେ ବିଭିନ୍ନ ଡାକ୍ତରଖାନା ସମେତ ମେଡିକାଲ କାଉନସିଲ୍‌ ଅଫ୍‌ ଇଣ୍ଡିଆ ଓ ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ ସ୍ଥାପନା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଗତ ୨ ବର୍ଷ ଡାକ୍ତରଙ୍କ ପାଇଁ ଖୁବ୍‌ କଷ୍ଟକର ଥିଲା। ଦୁର୍ବଳ ଭିତ୍ତିଭୂମି, ପ୍ରତିକୂଳ ପରିସ୍ଥିତି, ସବୁପ୍ରକାର ସମାଲୋଚନାର ସାମ୍ନା କରି ସେମାନେ କରୋନା ମହାମାରୀ ଭଳି ଅଦୃଶ୍ୟ ଶତ୍ରୁ ସହ ଯୋଦ୍ଧା ଭଳି ନିରନ୍ତର ଲଢ଼େଇ ଜାରି ରଖିଥିଲେ। ସେମାନେ ଏଭଳି ଏକ ରୋଗର ମୁକାବିଲା କରୁଥିଲେ, ଯାହାର କୌଣସି ଔଷଧ କିମ୍ବା ଚିକିତ୍ସା ନାହିଁ। ସେଥିରେ ପୁଣି ସେମାନଙ୍କୁ ରୋଗୀଙ୍କ ପରିଜନଙ୍କ ରାଗ ଏବଂ ଅସନ୍ତୋଷର ସାମ୍ନା କରିବାକୁ ପଡ଼ୁଥିଲା। କିନ୍ତୁ ସେମାନେ ଥକି କିମ୍ବା ହାରି ଯାଇନଥିଲେ। ଅହରହ ଲଢ଼େଇ ଜାରି ରଖିଥିଲେ। ଖାଲି କୋଭିଡ୍‌ ନୁହେଁ, ଅଣ-କୋଭିଡ୍‌ ରୋଗୀଙ୍କୁ ମଧ୍ୟ ସମଗୁରୁତ୍ବ ଦେଇ ବହୁ ଅମୂଲ୍ୟ ଜୀବନ ବଞ୍ଚାଇ ପାରିଥିଲେ। ସେମାନେ ଜୀବନଦାତା ନୁହନ୍ତି ସତ, କିନ୍ତୁ ସେମାନଙ୍କ ଭୂମିକା ଜୀବନଦାତାଙ୍କଠାରୁ କୌଣସି ଗୁଣରେ କମ୍‌ ବି ନୁହେଁ। ସେହି ଡାକ୍ତର ଯୋଦ୍ଧାମାନଙ୍କୁ ଯେତେ ଧନ୍ୟବାଦ, କୃତଜ୍ଞତା ଜଣାଇଲେ ବି ତାହା କମ୍‌ ପଡ଼ିବ।
ଡାକ୍ତର ହରପ୍ରୀତ୍‌ କୌର
ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରେଗ ବିଶେଷଜ୍ଞ, ଆମ୍ରି ହସ୍ପିଟାଲ
‌ମୋ: ୭୦୦୮୧୧୦୨୦୦

ମୁଁ ପେସାରେ ଜଣେ ଆୟୁର୍ବେଦିକ ଡାକ୍ତର। ଦୀର୍ଘ ଦିନ ହେଲା ରୋଗୀ ସେବା ସହ ଜଡ଼ିତ ଅଛି। ରୋଗୀଙ୍କୁ ଚିକିତ୍ସା କରିବା ସମୟରେ ଭିନ୍ନଭିନ୍ନ ଲୋକଙ୍କ ସହ ମିଶି ମୁଁ ବହୁତ କିଛି ଜାଣିବାକୁ ପାଇଛି। ଅନେକ ଲୋକ ମୋତେ ନିଜ ଜୀବନର କାହାଣୀ ମଧ୍ୟ କହିଛନ୍ତି। କିଛି ବର୍ଷ ତଳର କଥା, ଦିନେ ମୁଁ ନିଜର କଟକସ୍ଥିତ କ୍ଲିନିକ୍‌ରେ ପହଞ୍ଚିଲା ବେଳକୁ ଜଣେ ରୋଗୀ ଜୋରଜୋର୍‌ରେ କାଶୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ମୁଁ ତାଙ୍କୁ ପଚାରିଲି ଆପଣଙ୍କର କାହିଁକି ଏପରି କାଶ ହେଉଛି, କିଛି ଔଷଧ ଖାଉନାହାନ୍ତି କି? ସେ ଉତ୍ତର ଦେଲେ, କଟକ ଓ ଭୁବନେଶ୍ବରର ବହୁତ ଡାକ୍ତରଙ୍କଠାରୁ ଔଷଧ ଆଣି ଖାଇଲିଣି, କିନ୍ତୁ କିଛି ଲାଭ ହେଉନାହିଁ। ତା’ ପରେ ମୁଁ ଏହି ରୋଗ ଓ ଏପରି ରୋଗୀମାନଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କଲି ଓ ଦେଖିବାକୁ ପାଇଲି ଯେ ଏପରି ରେଗୀଙ୍କ ସଂଖ୍ୟା ଏବେ ବହୁତ ସଂଖ୍ୟାରେ ବଢ଼ି ଚାଲିଛି। ଶରୀରରେ ହେଉଥିବା ବିଭିନ୍ନ ପ୍ରକାର ରୋଗର ପ୍ରଭାବରୁ ଏହା ଉପୁଜିଥାଏ। କିଛି ପାର୍ଶ୍ବପ୍ରତିକ୍ରିୟା କିମ୍ବା ଔଷଧର ମାତ୍ରାଧିକ ବ୍ୟବହାର ପରିଣାମରୁ ବି ହୋଇପାରେ। ବିଭିନ୍ନ ଔଷଧ ଖାଇ ମଧ୍ୟ ଏହା କମି ନଥାଏ ଓ ଶରୀରକୁ ଆହୁରି ଦୁର୍ବଳ କରିଦେଇଥାଏ। ଜ୍ବର, ଥଣ୍ଡା, କଫ, କାଶ, କାମଳ, ପେଟ, ଗଣ୍ଡ‌ଗୋଳ, ଦୀର୍ଘ ଦିନର ମଧୁମେହ ଭଳି ରୋଗ ଏହିପରି କାଶର କାରଣ ହୋଇପାରେ। କୋଭିଡ୍‌ ସମୟରେ ରୋଗୀଠାରେ କାଶର ମାତ୍ରା ଓ ପ୍ରଭାବ ବହୁ ଅଧିକ ଥିଲା। ବହୁ ଲୋକ ଏହାଦ୍ବାରା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଭିନ୍ନ ପ୍ରକାରର ଏଲୋପାଥିକ୍‌ ମେଡିସିନ୍‌ ଓ ଅନ୍ୟାନ୍ୟ ଚିକିତ୍ସା କରି ମଧ୍ୟ ଏହି ରୋଗରୁ ଆରୋଗ୍ୟ ହୋଇନଥିଲେ।

କାଶର କାରଣ: ଅସମୟ ଭୋଜନ, ଅତିରିକ୍ତ ଭୋଜନ, ଅତ୍ୟଧିକ ତୈଳଯୁକ୍ତ ଖାଦ୍ୟ, ଖାଲି ପେଟରେ ବେଶି ସମୟ ରହିବା ବା ଖାଲି ପେଟରେ କ୍ଷୀର ଚା’ ପିଇବା ଇତ୍ୟାଦି। ଆଉ ଏକ ପ୍ରଧାନ କାରଣ ହେଉଛି ଆଜିକାଲି ଯେଉଁ ବିନା ପରୀକ୍ଷା କରି ଆମ୍ଭେମାନେ ଆଣ୍ଟିବାୟୋଟିକ୍ସ ବ୍ୟବହାର କରୁଛୁ, ତାହାଦ୍ବାରା ମଧ୍ୟ ଶୁଖିଲା କାଶ ହୋଇଥାଏ।
ଘରୋଇ ଚିକିତ୍ସା: ଅଦା ରସକୁ ମହୁ‌ରେ ମିଶାଇ ଖାଇବା, ପାନମଧୁରିକୁ ପାଣିରେ ଭିଜାଇ ଆଠଘଣ୍ଟା ପରେ ସେହି ପାଣି ପିଇବା, ମିଶ୍ରି ପାଣି ପିଇବା, ପୋସ୍ତକ ଭିଜା ପାଣି ପିଇବା, ତୁଳସୀପତ୍ରର ରସ ସେବନ ଦ୍ବାରା କାଶରୁ ଉପଶମ ମିଳିଥାଏ। ଆୟୁର୍ବେଦିକ ଉପଚାର: ଶୀ‌ତ୍ଥୋପାଳନୀ ଚୂର୍ଣ୍ଣ, ନାରଦୀୟ ଲକ୍ଷ୍ମୀବିଳାସ ରସ, କଫକେତୁ ଚୂର୍ଣ୍ଣ, ଲକ୍ଷ୍ମୀ ବିଳାସ ରସାୟନ ଇତ୍ୟାଦି। ଚେରମୂଳି ଚିକିତ୍ସା: ତାଳମିଶ୍ରିର ରସକୁ ସେବନ କରିବା, ଜ୍ୟାଷ୍ଟିମଧୁ ଚୂର୍ଣ୍ଣ, ବଚ ଚୂର୍ଣ୍ଣ, ଚିରାଇତା ଭିଜା ପାଣି, ଶୁଣ୍ଠି ଚୂର୍ଣ୍ଣ ଇତ୍ୟାଦି।

ଏହି ସବୁ ଜଡ଼ିବୁଟି ଦ୍ବାରା ବହୁତ ରୋଗୀଙ୍କୁ ଚିକିତ୍ସା କରିବା ପରେ ମଧ୍ୟ ମୋର ଅନୁଭବ ହୋଇଛି ଯେ ତାଳମିଶ୍ରି, ନିରଂଜନ ଫଳ, କୋଇଲେଖା ସହ ଆଉ କିଛି ଔଷଧୀୟ ଚେରମୂଳିଯୁକ୍ତ ଔଷଧ ଖାଇ ଅନେକ ରୋଗୀ ଶୁଖିଲା କାଶ ସମସ୍ୟାରୁ ମୁକ୍ତି ପାଇ ପାରିଛନ୍ତି। ଏହି ଚିକିତ୍ସା ଦ୍ବାରା ପ୍ରଥମ ଦିନରୁ ରୋଗୀ ଉପଶମ ପାଇ ବହୁତ ଖୁସି ଅନୁଭବ କରିଥାଏ। ଶୁଖିଲା କାଶର କଷ୍ଟରୁ ରକ୍ଷା ପାଇବାକୁ ହେଲେ, ଏହି ସମସ୍ତ ଉପାୟ ଅବଲମ୍ବନ କରି ଚିକିତ୍ସିତ ହେଲେ, ଯେକେହି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ବୋଲି ମୋର ବିଶ୍ବାସ।
ଡା. ଅମର କୁମାର ରଣା, ଆୟୁର୍ବେଦିକ ଡାକ୍ତର
ମୋ: ୯୪୩୭୩୧୧୮୮୧

ସମ୍ବନ୍ଧିତ ଖବର