ଶ୍ରୀଜଗନ୍ନାଥଙ୍କ ପରି, ଶିବ ମଧ୍ୟ ମୂଳତଃ ଥିଲେ ଶବରଙ୍କ ଦେବତା। ପରେ ସେ ବ୍ରାହ୍ମଣ୍ୟଧାରାରେ ମିଶି ବୈଦିକ ଦେବତା ହୋଇଛନ୍ତି। ଏହାର ପ୍ରମାଣ ମିଳେ ଶିବପୁରାଣ ଏବଂ ଶିବରାତ୍ରି ବ୍ରତକଥାଗୁଡ଼ିକରୁ।
ଗୋପୀନାଥ ଦାସଙ୍କ ରଚିତ ଖୁଦୁରୁକୁଣୀ ଓଷାକଥାରେ ଅଛି ବିରୂପାକ୍ଷ ନାମକ ଏକ ଶବରର କଥା। ସେହି ଓଷାକଥାରେ ବର୍ଣ୍ଣିତ ସାଧବ ଘର ସାତବୋହୂ ଓ ନଣନ୍ଦ ତଅପୋଇଙ୍କ କଥା ଖୁବ୍ ଲୋକପ୍ରିୟ। ଓଷାକଥାର ପରିଣତିରେ, ନୀଳେନ୍ଦ୍ରି ନାମକ ସାନବୋହୂ ତଅପୋଇକୁ ଭଲ ପାଉଥିବାରୁ ତାକୁ ଛାଡ଼ି ଅନ୍ୟ ଛଅବୋହୂଙ୍କର ନାକ କଟିଥିଲା ଏବଂ ସେମାନେ ନାକୋଇ ହୋଇ ବଣକୁ ପଳାଇଥିଲେ। ବଣରେ ବାଘ ଦେଖି ଭୟରେ ଅଚେତ ହୋଇଯାଇଥିଲେ।
ସେହି ବନରେ ଥିଲା ଶିବଙ୍କର ଏକ ପୂଜାସ୍ଥାନ। ଶବରଟିଏ ପ୍ରତିଦିନ ସେଠାକୁ ଆସି ପୂଜା କରୁଥିଲା। ସେ ସେହି ନାକୋଇ ଛଅବୋହୂଙ୍କୁ ଦେଖି ଶିବଙ୍କୁ ସେମାନଙ୍କ ପାଇଁ ପ୍ରାର୍ଥନା କଲା। ଫଳରେ ଶିବଙ୍କ ଆଶିଷରୁ ଛଅବୋହୂ ଚେତାପାଇ ଉଠିଲେ ଏବଂ ସେମାନଙ୍କର ନାକ ବି କଅଁଳିଲା। ସେହି ଶବରର ନାମ ଥିଲା ବିରୂପାକ୍ଷ। ବିରୂପାକ୍ଷ ମଧ୍ୟ ଶିବଙ୍କର ଏକ ପୁରାଣପ୍ରସିଦ୍ଧ ନାମ।
ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ପାଳିତ ହୁଏ ଶିବରାତ୍ରି ବ୍ରତ। ଏହା ଜାଗର ଓଷା ଭାବରେ ମଧ୍ୟ ଲୋକପ୍ରିୟ।
ସେ ବ୍ରତକଥାରେ ବି ଅଛି ଶବରଙ୍କ ଶିବପୂଜା କଥା। ଓଡ଼ିଆରେ ଅନେକ ଶିବରାତ୍ରି ବ୍ରତକଥା ଅଛି। ସେଥିରୁ ଗୋଟିକରେ ଶବରର ନାଆଁ ଲୁବ୍ଧକ ହୋଇଥିବା ବେଳେ, ଅନ୍ୟ ଏକ ବ୍ରତକଥାରେ ଶବରର ନାଆଁ ଅଇରି ମର୍ଦ୍ଦନ। ପୁଣି ଆଉ ଏକ ବ୍ରତକଥାରେ ଅଛି ସୁନ୍ଦରସେନ ନାମକ ଜଣେ ଚଣ୍ଡାଳ ରାଜାଙ୍କ କଥା। ଏ ସମସ୍ତେ ନିଜ ନିଜର ଅଜାଣତରେ, ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ଶିବଲିଙ୍ଗରେ ଜଳ ଓ ବେଲପତ୍ର ଦେଇଥିବାରୁ ବ୍ରତର ପୁଣ୍ୟଫଳ ପାଇଥିଲେ। ସମ୍ଭବତଃ ସେଇଥିପାଇଁ ଅନେକ ଶିବପୀଠରେ ଶିବଙ୍କର ପୂଜକ ବ୍ରାହ୍ମଣ ନୁହନ୍ତି; ଶୂଦ୍ର।
ଶିବପୁରାଣ ଆଧାରିତ ଏକ ଶିବରାତ୍ରି ବ୍ରତକଥାରେ ବି ଅଛି ପାପକର୍ମା ନାମକ ଜଣେ ଶବରର କଥା। ସେ ଅନେକ ପାପ କରିଥିବା ସତ୍ତ୍ୱେ, ନିଜ ଅଜାଣତରେ ଶିବରାତ୍ରି ଦିନ ଶିବପୂଜା କରି ତାହାର ସୁଫଳ ପାଇଥିଲା।
ପରବର୍ତ୍ତୀ କାଳରେ କିନ୍ତୁ ହର (ଶିବ) ଓ ହରି (ବିଷ୍ଣୁ) ପରସ୍ପର ସହ ସମନ୍ୱିତ ହୋଇଛନ୍ତି। ପ୍ରଚଳିତ ହୋଇଛି ହରି-ହର ଉପାସନା। ଜଗନ୍ନାଥଙ୍କ ପରି, ଶିବ ମଧ୍ୟ ହୋଇଛନ୍ତି ଉଭୟ ଶାବର ଓ ବୈଦିକ ଦେବତା। ଓଡ଼ିଶାର ଶ୍ରୀଲିଙ୍ଗରାଜ ମନ୍ଦିରର ସେବାପୂଜା ଏହାର ଏକ ଆଦର୍ଶ ନିଦର୍ଶନ। କାର୍ତ୍ତିକ ଶୁକ୍ଳ ପ୍ରତିପଦାଠାରୁ ଦଶମୀ ମଧ୍ୟରେ ପଡ଼ୁଥିବା ସୋମବାର ଦିନ ଶ୍ରୀମନ୍ଦିରରେ ବଡ଼ଠାକୁର ଶ୍ରୀବଳଭଦ୍ର ଅଧେ ହରି ଓ ଅଧେ ହର ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଇ ଥାଆନ୍ତି । ଏହା ତାଙ୍କର ହରି-ହର ବେଶ ।