ବୟସ ବଢିବା ସହିତ ସ୍ମରଣଶକ୍ତି ହ୍ରାସ ପାଇବା ଏକ ସାଧାରଣ କଥା। ମାତ୍ର ଯେତେବେଳେ ଏହା ମାତ୍ରାଧିକ ହୁଏ ତାହା ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଏ। ସେତେବେଳେ ଏହାକୁ ଡିମନେସିଆ (ସ୍ମୃତିଭ୍ରଂଶ ରୋଗ) ବୋଲି କୁହାଯାଏ। ୬୫ ବର୍ଷ ବୟସ ପରେ ଶତକଡା ୫ରୁ ୧୦ ପ୍ରତିଶତ ଲୋକଙ୍କଠାରେ ଡିମନେସିଆ ରୋଗ ଦେଖା ଦେଇଥାଏ। ୮୫ ବର୍ଷ ବୟସ ପରେ ଏହି ସମସ୍ୟା ବଢି ଯାଇଥାଏ ଓ ଶତକଡା ୨୦-୪୦ ପ୍ରତିଶତ ଲୋକଙ୍କଠାରେ ଡିମନେସିଆ ରୋଗ ଦେଖା ଦେଇଥାଏ। ଡିମନେସିଆ ରୋଗ ବିଭିନ୍ନ କାରଣରୁ ହୋଇପାରେ। ଏଥିମଧ୍ୟରୁ ପ୍ରମୁଖ (୫୦ ରୁ ୬୦ ପ୍ରତିଶତ) କାରଣ ହେଲା ଆଲଜାଇମର୍ସ ଡିମନେସିଆ।
Sambad is now on WhatsApp
Join and get latest news updates delivered to you via WhatsApp
ଡିମନେସିଆ ରୋଗର ପ୍ରମୁଖ ଲକ୍ଷଣ ହେଲା ସ୍ମରଣଶକ୍ତି ହ୍ରାସ ପାଇବା। ପ୍ରାରମ୍ଭିକ ଅବସ୍ଥାରେ ରୋଗୀର ଛୋଟ ଛୋଟ କଥା ମନେ ରହେ ନାହିଁ। ସମୟ , ଦିନ ଓ ମାସର ଖିଆଲ ରହେ ନାହିଁ। କାହାକୁ କଣ କହିଛନ୍ତି ତାହା ମଧ୍ୟ ରୋଗୀ ଭୁଲି ଯାଏ। ରୋଗୀ ନିଜର ନିଜର ଚାବି କାଠି, ମୋବାଇଲ, ଚଷମା ଆଦି କେଉଁଠି ରଖନ୍ତି ତାହା ଭୁଲି ଯା’ନ୍ତି। ପ୍ରଥାମିକ ଅବସ୍ଥାରେ ଅଳ୍ପ କିଛି ଦିନ ଓ ମାସର କଥା ରୋଗୀ ଭୁଲି ଯାଇଥାଏ। ମାତ୍ର ଅତି ପୁରୁଣା କଥା ସବୁ ମନେ ରହିଥାଏ। ମାତ୍ର ଯେତେବେଳେ ରୋଗର ତୀବ୍ରତା ବଢିଥାଏ, ସେତେବେଳେ ରୋଗୀ ପୁରୁଣା କଥାଗୁଡିକୁ ମଧ୍ୟ ଭୁଲିଯାଇଥାଏ। ସେତେବେଳେ ସେ ନିଜ ସମ୍ପର୍କୀୟମାନଙ୍କୁ ମଧ୍ୟ ଚିହ୍ନି ପାରେ ନାହିଁ। ଏହି ରୋଗରେ ଧୀରେ ଧୀରେ ଲୋକର କଥା କହିବା ଉପରେ ମଧ୍ୟ ପ୍ରଭାବ ପଡିଥାଏ, ଯାହା ଫଳରେ ତା’ର କଥା ଅନ୍ୟ ମାନେ ଠିକ ସେ ବୁଝି ପାରନ୍ତି ନାହିଁ।
ଚିକିତ୍ସା :
ଡିମନେସିଆ ରୋଗର ଲକ୍ଷଣ ଦେଖା ଦେଲେ ସମୟ ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ଏଥି ନିମନ୍ତେ ରୋଗୀର ସଂପୂର୍ଣ୍ଣ ଯାଂଚ ଦରକାର ପଡିଥାଏ। ଯଦି ରୋଗୀର ଅନ୍ୟ କୌଣସି ଶାରୀରିକ ସମସ୍ୟା ଯଥା ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ ଆଦି ଥାଏ, ତେବେ ସେଗୁଡିକର ଚିକିତ୍ସା ତୁରନ୍ତ ଆରମ୍ଭ କରିବାକୁ ପଡିଥାଏ। ଏହା ସହିତ ଆଲଜାଇମର୍ସ ଡିମନେସିଆ ରୋଗ ପାଇଁ କେତେକ ନିର୍ଦ୍ଦିଷ୍ଟ ଔଷଧ ବ୍ୟବହାର କରାଯାଇଥାଏ। ଯାହା ରୋଗୀର ସ୍ମରଣଶକ୍ତି ଓ ବ୍ୟବହାରରେ ଉନ୍ନତି ଆଣିଥାଏ। ମାତ୍ର ଉନ୍ନତି ଅତି ଧୀରେ ଧୀରେ ହୋଇଥାଏ। ଔଷଧ ସହିତ ପରିବାରର ସଦସ୍ୟମାନେ ରୋଗୀର ଉପଯୁକ୍ତ ଯତ୍ନ ନେବା ଉଚିତ। ଏହାଛଡା ରୋଗୀଙ୍କ ସହିତ ଧୀରେ ଧୀରେ ଓ ଛୋଟ ଛୋଟ ବାକ୍ୟରେ କଥାବାର୍ତ୍ତା କରନ୍ତୁ। କଥା ହେଲାବେଳେ ରୋଗୀର ଆଖିରେ ଆଖି ମିଶାଇ ଓ ହସି ହସି କଥା ହୁଅନ୍ତୁ। ତାଙ୍କୁ ଦିନ ଓ ବାର ବିଷୟରେ ବାରମ୍ବାର ଅବଗତ କରାନ୍ତୁ। ତାଙ୍କ ପାଖରେ ଏକ ବଡ ଘଣ୍ଟା ଓ କ୍ୟାଲେଣ୍ଡର ରଖନ୍ତୁ। ରୋଗୀ ବ୍ୟବହାର କରୁଥିବା ଜିନିଷ ପତ୍ର ଗୁଡିକୁ ତାଙ୍କ ପାଖରେ ସଜାଡି ରଖନ୍ତୁ। ଯାହା ଫଳରେ ସେ ସହଜରେ ଏ ସବୁକୁ ପାଇପାରିବେ। ରୋଗୀର ଦରକାର ପଡୁଥିବା ଫୋନ ନମ୍ବର ଏକ ପେପରରେ ଲେଖି ରୋଗୀ ପାଖରେ ଦିଅନ୍ତୁ। ରୋଗୀ ଏହି ସମୟରେ ପଡ଼ି ଯିବାର ଯଥେଷ୍ଟ ସମ୍ଭାବନା ଥାଏ। ତେଣୁ ଗାଧୁଆ ଘରେ ଯେପରି ଝୁଣ୍ଟି ନ ପଡିବେ ସେ ପ୍ରତି ଧ୍ୟାନ ଦିଅନ୍ତୁ। ରାତିରେ ଶୋଇଲା ବେଳେ ରୋଗୀର ରୁମକୁ ସଂପୂର୍ଣ୍ଣ ଅନ୍ଧକାର କରନ୍ତୁ ନାହିଁ। ରୁମକୁ ରାତିରେ ହାଲକା ଆଲୋକିତ ରଖନ୍ତୁ। ରୋଗୀକୁ ଯେତେ ସମ୍ଭବ ତାଙ୍କର ନିଜ କାମ ଆତ୍ମନିର୍ଭରଶୀଳ ହୋଇ କରିବା ପାଇଁ ପ୍ରୋତ୍ସାହିତ କରନ୍ତୁ। ରୋଗୀକୁ ଯଥେଷ୍ଟ ସମୟ ଦିଅନ୍ତୁ। ସେମାନଙ୍କର ମନର କଥା ଜାଣିବା ପାଇଁ ଚେଷ୍ଟା କରନ୍ତୁ। ଦିନକୁ ୩୦ ରୁ ୪୫ ମିନିଟ ଶାରୀରିକ ବ୍ୟାୟମ କରାଇବାକୁ ଚେଷ୍ଟା କରନ୍ତୁ। ୩୦ ମିନିଟ ଯୋଗଅଭ୍ୟାସ କରିବା ପାଇଁ ଅଭ୍ୟାସ କରାନ୍ତୁ।
ଆସିଷ୍ଟାଣ୍ଟ ପ୍ରଫେସର ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ
ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍