ଛାତ୍ରଛାତ୍ରୀ ମେସ୍‌ରେ ରୁମ୍ ସେୟାର କରୁଥିଲେ ଧ୍ୟାନ ଦିଅନ୍ତୁ..

ଭୁବନେଶ୍ବର: କରୋନା କଟକଣା ଧୀରେ ଧୀରେ ହଟୁଛି। ସବୁକିଛି ସ୍ବାଭାବିକ ଆଡ଼କୁ ଗତି କରୁଛି। ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲିଲାଣି। ଅନ୍ୟପଟେ ଆଉ କେଇଟା ଦିନ ଗଲା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବେ। ଏପରି ସମୟରେ ଛାତ୍ରଛାତ୍ରୀମାନେ ମେସ୍ ମୁହାଁ ହେଲେଣି। ମେସ୍ ବ୍ୟବସ୍ଥା ନେଇ ଉଦ୍ୟମ ଆରମ୍ଭ କରିଦେଲେଣି। କେଉଁଠି କମ୍ ଖର୍ଚ୍ଚରେ ରହିହେବ, ସେ ନେଇ ତର୍ଜମା କରୁଛନ୍ତି। କାରଣ ଅନେକ ଛାତ୍ରଛାତ୍ରୀ ମଧ୍ୟବିତ୍ତ ପରିବାରରୁ ଆସିଥାଆନ୍ତି। ଯେଉଁମାନେ ରହିବା ଓ ଖାଇବା ସହ ସାଲିସ କରି ପାଠପଢ଼ା ପାଇଁ ଅଧିକ ଖର୍ଚ୍ଚ କରିବାକୁ ଚାହାଁନ୍ତି। ଏପରି ସମୟରେ ଛାତ୍ରଛାତ୍ରୀମାନେ ସହପାଠୀଙ୍କ ସହ ନିଜ ରୁମ୍ ସେୟାର କରିବା ପାଇଁ ଚିନ୍ତା କରୁଛନ୍ତି।
ଆମ ଭିତରେ ବ୍ୟକ୍ତିଗତ ବିଭେଦ ରହିଥାଏ। ତେଣୁ ରୁମ୍ ସେୟାର କରିବା ପୂର୍ବରୁ ଜଣେ ଛାତ୍ର ବା ଛାତ୍ରୀଙ୍କୁ ଅନେକ ଚିନ୍ତା କରିବାକୁ ପଡ଼ିବ। ବିଚାରବିମର୍ଷ କରି ନିଜ ରୁମ୍ ସାଥୀ ବାଛିବାକୁ ହେବ। କେବଳ ସେତିକି ନୁହେଁ, ଗୋଟିଏ ଛାତ ତଳେ ଦୁଇ ବା ଏକାଧିକ ଛାତ୍ରଛାତ୍ରୀଙ୍କ ଚଳଣି ନେଇ ସମସ୍ତେ ମାନସିକ ଓ ଶାରୀରିକ ଭାବେ ପ୍ରସ୍ତୁତ ରହିବା ଉଚିତ।
ଯେଉଁ ଛାତ୍ରଛାତ୍ରୀ ମେସ୍‌ରେ ରୁମ୍ ସେୟାର କରିବାକୁ ଚାହୁଁଛନ୍ତି, ସେମାନେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ଉଚିତ।
-ରହିବା ପାଇଁ ଶିକ୍ଷାନୁଷ୍ଠାନ ନିକଟରେ ଥିବା ମେସ୍‌କୁ ବାଛନ୍ତୁ।
-ମେସ୍‌ର ମାଲିକଙ୍କ ବାବଦରେ ତଥା ସୁରକ୍ଷା ବାବଦରେ ପରଖି ନିଅନ୍ତୁ।
-ରୁମ୍ ସେୟାର କରିବା ଓ ଭଡ଼ା ବାବଦରେ ମାଲିକଙ୍କ ସହ ସ୍ପଷ୍ଟ କଥା ହୁଅନ୍ତୁ।
-ଆପଣ ଯାହା ସହିତ ବା ଯେଉଁମାନଙ୍କ ସହ ରୁମ୍ ସେୟାର କରିବାକୁ ଚାହୁଁଛନ୍ତି, ସେମାନଙ୍କ ବାବଦରେ ଅଧ୍ୟୟନ କରନ୍ତୁ।
-ରୁମ୍‌ମେଟଙ୍କ ଶିକ୍ଷାନୁଷ୍ଠାନ ବିଷୟରେ ଜାଣି ରଖନ୍ତୁ।
-ପରସ୍ପର ମଧ୍ୟରେ ଘରର ଠିକଣା ତଥା ଅଭିଭାବକଙ୍କ ଯୋଗାଯୋଗ ନମ୍ବର ସେୟାର କରିଦିଅନ୍ତୁ। ଆବଶ୍ୟକ ଭାବିଲେ ଫୋନ୍ କରି ଥରେ କଥା ମଧ୍ୟ ହୁଅନ୍ତୁ।
-ସମସ୍ତ ରୁମ୍‌ମେଟ୍‌ ଏକାଠି ବସି ରୁମ୍ ପରିଚାଳନା ପାଇଁ ସ୍ବତନ୍ତ୍ର ନୀତିନିୟମ କରନ୍ତୁ।
-କାହାର କେଉଁ ଦାୟିତ୍ବ ରହିବ, ତାହା ନିର୍ଧାରିତ କରନ୍ତୁ।
-ସବୁଠାରୁ ବଡ଼କଥା ହେଲା; ରୁମ୍‌ରେ ପରିଷ୍କାର ପରିଚ୍ଛନ୍ନତା ନେଇ ସମସ୍ତେ ଉତ୍ତରଦାୟୀ ରହନ୍ତୁ।
-ଅଯଥାରେ ଫୋନ୍‌ରେ କଥା ହୋଇ କିମ୍ବା ଅନ୍ୟ କାମ କରି ରୁମ୍‌ମେଟ୍‌ଙ୍କୁ ହଇରାଣ କରନ୍ତୁ ନାହିଁ।
-ବୈଦ୍ଧିକ ବିକାଶ ପାଇଁ ସାଂପ୍ରତିକ ଘଟଣାଗୁଡ଼ିକୁ ନେଇ ପ୍ରତିଦିନ କିଛି ସମୟ ଚର୍ଚ୍ଚା କରନ୍ତୁ।
-ଯିଏ ଯେଉଁଠିକୁ ଯାଉଛନ୍ତି ରୁମ୍‌ମେଟ୍‌ଙ୍କୁ ଜଣାଇ ଯାଆନ୍ତୁ।
-ପରସ୍ପର ମଧ୍ୟରେ ବିଶ୍ବାସ ଓ ଭରସା ରଖନ୍ତୁ।
ସମୟ ବଦଳିବା ସହ ପରିସ୍ଥିତି ବଦଳୁଛି। ଘର ଛାଡ଼ି ବାହାରେ ରହି ପାଠପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ବଦଳୁଥିବା ପରିସ୍ଥିତି ସହ ଖାପଖୁଆଇ ଚଳିବାକୁ ପଡ଼ିବ। ଯେଉଁ ଯେଉଁ ଦିଗ ବିଷୟରେ ଆମେ କହିଲୁ, ସେହି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ। ଏପରି ହେଲେ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ନ ଥିବ।

ସମ୍ବନ୍ଧିତ ଖବର