‌ସହରୀ ଭୋଟରଙ୍କ ପରିବର୍ତ୍ତିତ ମାନସିକତା: କର୍ପୋରେଟର, ମେୟର ବାଛିବାରେ ପସନ୍ଦ ଭିନ୍ନ

ଭୁବନେଶ୍ବର: ବିଏମ୍‌ସି ନିର୍ବାଚନରେ ଏଥର ୩ ଲକ୍ଷ ୧୪ ହଜାର ୨୬୮ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏଥିରୁ ମେୟର୍‌ ଭାବେ ବିଜୟ ଲାଭ କରିଥିବା ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସଙ୍କୁ ୧ ଲକ୍ଷ ୭୪ ହଜାର ୪୮୭ ଭୋଟ୍‌ ମିଳିଛି। ୬୭ ଯାକ ବିଜେଡି କର୍ପୋରେଟର ପ୍ରାର୍ଥୀ ମିଶି ୧ ଲକ୍ଷ ୫୩ ହଜାର ୯୦୪ ଭୋଟ୍‌ ପାଇଛନ୍ତି। ଅର୍ଥାତ୍‌ ମେୟର ପ୍ରାର୍ଥିନୀ ୫୫.୫ ପ୍ରତିଶତ ଭୋଟ୍‌ ପାଇଥିବା ବେଳେ ବିଜେଡି କର୍ପୋରେଟର ପ୍ରାର୍ଥୀମାନେ ମିଶି ୪୮ ପ୍ରତିଶତ ଭୋଟ୍‌ ପାଇଛନ୍ତି।

ଠିକ୍‌ ସେମିତି ବିଜେପି ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡ୍‌ ପାଇଛନ୍ତି ୧ ଲକ୍ଷ ୧୩ ହଜାର ୪ଶହ ଭୋଟ୍‌। ବିଜେପିର ୬୭ କର୍ପୋରେଟର ପ୍ରାର୍ଥୀ ମିଶି ପାଇଛନ୍ତି ୯୧ ହଜାର ୧୧୯ ଭୋଟ୍‌। ଅର୍ଥାତ୍‌ ମେୟର ପ୍ରାର୍ଥୀ ୩୬ ପ୍ରତିଶତ ଭୋଟ୍‌ ପାଇଥିବା ବେଳେ କର୍ପୋରେଟର ପ୍ରାର୍ଥୀମାନେ ପାଇଛନ୍ତି ୨୮ ପ୍ରତିଶତ ଭୋଟ୍‌।

Update Odisha

କର୍ପୋରେଟର୍‌ମାନେ ପାଇଥିବା ଭୋଟ୍‌ଠାରୁ ବିଜେଡି ମେୟର୍‌ ପ୍ରାର୍ଥୀ ୨୨ହଜାର ୨୮୧ଭୋଟ୍‌ ଅଧିକ ପାଇଥିବା ବେଳେ ବିଜେପି ମେୟର ପ୍ରାର୍ଥୀ ତାଙ୍କ ଦଳର କର୍ପୋରେଟର ପ୍ରାର୍ଥୀ ପାଇଥିବା ଭୋଟ୍‌ଠାରୁ ୨୦ହଜାର ୫୮୩ ଅଧିକ ଭୋଟ୍‌ ପାଇଛନ୍ତି। ୪୨ ହଜାର ୮୬୪ଜଣ ମେୟର ଓ କର୍ପୋରେଟରଙ୍କୁ ବାଛିବା ବେ‌ଳେ ସେମାନଙ୍କର ପସନ୍ଦ ଭିନ୍ନ ଭିନ୍ନ ରହିଛି। ଅର୍ଥାତ୍‌ ଏହି ଭୋଟରମାନେ ମତଦାକ କେନ୍ଦ୍ରକୁ ପ୍ରବେଶ କରିବା ପରେ ଗୋଟିଏ ଦଳର ମେୟର ଓ କର୍ପୋରେଟର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ନାହାନ୍ତି। ବରଂ ଗୋଟିଏ ଦଳ କିମ୍ବା ସ୍ବାଧୀନ କର୍ପୋରେଟର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଥିବା ବେଳେ ଅନ୍ୟ ଦଳର ମେୟରଙ୍କୁ ଭୋଟ୍‌ ଦେଇଛନ୍ତି।

୪୦ ହଜାର ଭୋଟରଙ୍କ ଆଭିମୁଖ୍ୟରୁ ପ୍ରମାଣିତ
ସାଧାରଣ ନିର୍ବାଚନରେ ବି ଏଭଳି ହୋଇଥିଲା

ମତଦାନ ହାରକୁ ତର୍ଜମା କଲା ବେଳେ ସହରୀ ଭୋଟରଙ୍କର ଏମିତି ଭିନ୍ନ ମାନସିକତା କଥା ପଦାକୁ ଆସିଛି। ଠିକ୍‌ ଏହି ଭଳି ମାନସିକତା ଗତ ସାଧାରଣ ନିର୍ବାଚନ ବେଳେ ମଧ୍ୟ ଦେଖା ଦେଇଥିଲା। ଭୁବନେଶ୍ବରର ତିନି ବିଧାୟକ ବିଜେଡିରୁ ବିଜୟ ଲାଭ କରିଥିବା ବେଳେ ଲମ୍ବା ଭୋଟ୍‌ ବ୍ୟବଧାନରେ ବିଜେପି ଏମ୍‌ପି ବିଜୟ ଲାଭ କରିଥିଲେ। ଗତ ସାଧାରଣ ନିର୍ବାଚନଠାରୁ ସହରୀ ଭୋଟର୍‌ଙ୍କର ଏହି ମାନସିକତାକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି।

ଗତଥର ଓ ଚଳିତ ନିର୍ବାଚନର ଭୋଟ୍‌ ପ୍ରତିଶତକୁ ହିସାବକୁ ନିଆଯାଏ ତେବେ ପୂର୍ବଥର ତୁଳନାରେ ଚଳିତ ବର୍ଷ ବିଜେଡି କର୍ପୋରେଟରଙ୍କୁ ଅଧିକ ଭୋଟ୍‌ ମିଳିଛି। ଗତଥର ୬୭ କର୍ପୋରେଟର୍‌ ପ୍ରାର୍ଥୀଙ୍କୁ ୧ ଲକ୍ଷ ୪୫ ହଜାର ୮୮୦ ଭୋଟ୍‌ ମିଳିଥିଲା। ଏଥର ୬୭ ପ୍ରାର୍ଥୀଙ୍କୁ ୧ ଲକ୍ଷ ୫୩ ହଜାର ୯୦୪ଜଣ ଭୋଟ୍‌ ମିଳିଛି। ଅର୍ଥାତ୍‌ ୮ ହଜାର ଭୋଟ୍‌ ଅଧିକ ମିଳିଛି।

ଏଣେ ବିଜେପି ପୂର୍ବଥର ଅପେକ୍ଷା ଦୁଇଗୁଣ ଅଧିକ ଭୋଟ୍‌ ପାଇଛି। ପୂର୍ବଥର ୧୫ ପ୍ରତିଶତ ଭୋଟ୍‌ ମିଳିଥିବା ବେଳେ ଏଥର ୨୯ ପ୍ରତିଶତରେ ପହଞ୍ଚିଛି। ଯଦି ଉଭୟ ଦଳର ସ୍ଥିତି କଥାକୁ ବିଚାରକୁ ନେବା ତେବେ ବିଜେପି ଉନ୍ନତି କରିଛି। ବିଜେପି ପ୍ରଚାରରେ କେବଳ ଏମ୍‌ପିଙ୍କୁ କାଁ ଭାଁ ଦେଖିବାକୁ ମିଳିଥିବା ବେଳେ ଅନ୍ୟ ବଡ଼ ବଡ଼ ନେତାଙ୍କ ମଧ୍ୟ ଦେଖା ମିଳିନଥିଲା। ମେୟର ପ୍ରାର୍ଥୀ ମଧ୍ୟ ରାଜନୀତିରେ ନଥିଲେ। ତଥାପି ମତଦାନ ହାରରେ ଦୁଇଗୁଣ ବୃଦ୍ଧି ପାଇବା ସହ ୧୦ଟି କର୍ପୋରେଟର ପଦ ହାତେଇବା ବଡ଼ କଥା ବୋଲି କୁହାଯାଉଛି। ଅନ୍ୟପଟେ ବିଜେଡିକୁ ବିପୁଳ ସଫଳତା ମିଳିଥିଲେ ମଧ୍ୟ ତୁଳନାତ୍ମକ ଭାବରେ ବିଚାର କଲେ ବିଜେଡିର କଳେବର ବୃଦ୍ଧି ହୋଇ ନାହିଁ ବୋଲି କୁହାଯାଉଛି।

ଅନ୍ୟପଟେ ଗତ ନିର୍ବାଚନ ତୁଳନାରେ ଏଥର ବିଏମ୍‌ସିରେ ୬ ହଜାର ଭୋଟର ବଢ଼ିଛନ୍ତି। କିନ୍ତୁ ମତଦାନ ହାର ଅପରିବର୍ତ୍ତିତ ରହିଛି। ଯେତିକି ଭୋଟର ପୂର୍ବଥର ଦେଇଥିଲେ ସେତିକି ଭୋଟର ଏଥର ମଧ୍ୟ ଭୋଟ ଦେଇଛନ୍ତି। ଅର୍ଥାତ୍‌ ଯୋଗ ହୋଇଥିବା ନୂଆ ୬ ହଜାର ଭୋଟରଙ୍କୁ ବିଚାରକୁ ନେଲେ ମତଦାନ ହାର କମିଥିବା ସ୍ପଷ୍ଟ ହେଉଛି। ମତଦାନ ପ୍ରତି ଭୋଟରଙ୍କ ଅନାଗ୍ରହ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ବଡ଼କଥା ହେଉଛି ଏଥର ନୋଟାକୁ ୩ ହଜାରରୁ ବେଶି ଭୋଟ୍‌ ଯାଇଛି। ସେଥିରୁ ୨୩୫୧ ଜଣ ମେୟର ପ୍ରାର୍ଥୀଙ୍କୁ ନାପସନ୍ଦ କରି ନୋଟାକୁ ଦେଇଛନ୍ତି। ଭୋଟରମାନେ ଅସନ୍ତୋଷ ବ୍ୟକ୍ତ କରିବାକୁ ବାଛିଥିବା ଏହି ନୂଆ ବାଟ ମଧ୍ୟ ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧିତ ଖବର