ଭୁବନେଶ୍ୱର : କମିସନରେଟ୍ ପୁଲିସ( ଭୁବନେଶ୍ୱର ସହାରାଞ୍ଚଳ)ରେ କାର୍ଯ୍ୟରତ ୧୧ ଜଣ ଇନ୍ସପେକ୍ଟରଙ୍କର ଏସ୍ପି ର୍ୟାଙ୍କକୁ ପଦୋନ୍ନତି ଘଟିଛି। ଏହି ୧୧ ଜଣ ଇନ୍ସପେକ୍ଟରଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱରର ବିଭିନ୍ନ ଥାନା, ସ୍ପେସାଲ୍ ସ୍କ୍ଵାଡ୍ ଓ ଡିଆଇବିର ଅଧିକାରୀ ପ୍ରମୁଖ। ଏହି ଇନ୍ସପେକ୍ଟରମାନଙ୍କ ପଦୋନ୍ନତି ପରେ ଏବେ ଏକାଧିକ ଥାନା ଇନ୍ସପେକ୍ଟର, ପିିଆର୍ଓ, ସ୍ପେସାଲ ସ୍କ୍ଵାଡ୍ ଓ ଡିଆଇବି ଭଳି ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ ପଦବି ଖାଲି ପଡ଼ିବ। ତେଣୁ ଇନ୍ସପେକ୍ଟରସ୍ତରରେ ଖୁବ୍ ଶୀଘ୍ର ଏକ ବଡ଼ ଧରଣର ଅଦଳ ବଦଳ ହେବ। ବିଶେଷକରି ଗତ କିଛି ଦିନ ତଳେ ଏସ୍ଆଇରୁ ଇନ୍ସପେକ୍ଟରକୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ଏବେ ଥାନା ଦାୟିତ୍ୱ ପ୍ରଦାନ କରାଯିବ ବୋଲି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କମିସନର ଶ୍ରୀ ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରର ଖାରବେଳନଗର ଥାନା ଇନ୍ସପେକ୍ଟର ଅନୁପକାନୁନ ଗୋ, ସହିଦନଗର ଥାନା ଇନ୍ସପେକ୍ଟର କିଶୋର ମୁଣ୍ଡ, କ୍ୟାପିଟାଲ ଥାନା ଇନ୍ସପେକ୍ଟର ମାନସ ଗଡ଼ନାୟକ, ଏୟାରଫିଲ୍ଡ ଥାନା ଇନ୍ସପେକ୍ଟର ଡିଏସ୍ ପ୍ରତାପ, ତମାଣ୍ଡୋ ଥାନା ଇନ୍ସପେକ୍ଟର ଅତୁନୁ କୁମାର ରାଉତ, ବଡ଼ଗଡ଼ ଥାନା ଇନ୍ସପେକ୍ଟର ଶୁଭେନ୍ଦୁ ସିହ୍ନା, ଏନର୍ଜି ଥାନା ଇନ୍ସପେକ୍ଟର ଚନ୍ଦ୍ରଶେଖର ସାହୁ, ଧଉଳି ଥାନା ଇନ୍ସପେକ୍ଟର ପ୍ରଭାସ ପାଳ, ପିଆର୍ଓ ଇନ୍ସପେକ୍ଟର ସୂର୍ଯ୍ୟମଣି ପ୍ରଧାନ, ସେସ୍ପାଲ ସ୍କ୍ଵାଡ୍ ଇନ୍ସପେକ୍ଟର ସଂଜୀବ ଶତପଥୀ ଓ ଡିଆଇବି ଇନ୍ସପେକ୍ଟର ରଜତ ରାୟ ପ୍ରମୁଖଙ୍କର ଏସ୍ପି ର୍ୟାଙ୍କକୁ ପଦୋନ୍ନତି ଘଟିଛି। ପ୍ରଭାସ ପାଳ, ଚନ୍ଦ୍ରଶେଖର ସାହୁ ଓ ଅତୁନୁ କୁମାର ରାଉତଙ୍କୁ କମିସନରେଟ୍ ପୁଲିସରୁ ଜିଲ୍ଲାକୁ ବଦଳି କରାଯାଇଛି। ଅନ୍ୟ ୮ ଜଣ କମିସନରେଟ୍ ପୁଲିସରେ ପୁନଃ ନିଯୁକ୍ତି ପାଇଛନ୍ତି। ଏଭଳି ପରିସ୍ଥିତିରେ ଯେଉଁ ଅଧିକାରୀମାନଙ୍କର ପଦୋନ୍ନତି ଘଟିଛି ସେମାନଙ୍କୁ ନୂଆ ସ୍ଥାନରେ ପ୍ରଥମେ ନିଯୁକ୍ତି ଦିଆଯିବ। ପରେ ଇନ୍ସପେକ୍ଟର ନିଯୁକ୍ତି ନେଇ ସ୍ଥିର ହେବ ବୋଲି ପୁଲିସ କମିସନର ଖୁରାନିଆ କହିଛନ୍ତି ।
ଗୋଟିଏ ପଟେ ଭୁବନେଶ୍ୱରରୁ ୧୧ ଜଣ ଇନ୍ସପେକ୍ଟର ପଦୋନ୍ନତି ପାଉଥିବାବେଳେ ବଳକା ରହି ଯାଉଥିବା ଇନ୍ସପେକ୍ଟର ର୍ୟାଙ୍କର ଅଧିକାରୀଙ୍କ ସଂଖ୍ୟା ମାତ୍ର ୪। ସେମାନେ ହେଲେ ଇନ୍ସପେକ୍ଟର ଆକାଶ ଚନ୍ଦ୍ର ରଣା, ମନୋଜ କୁମାର ସ୍ୱାଇଁ, ଜୟଦେବ ବିଶ୍ୱଜିତ, ରଶ୍ମିତା ଜେନା ପ୍ରମୁଖ। ଏମାନଙ୍କୁ ଥାନା ଦାୟିତ୍ୱ ଦେବା ପରେ ବି ଆଉ ୭ଟି ଥାନାର ଇନ୍ସପେକ୍ଟର ପଦବି ଖାଲି ପଡ଼ିବ। ତେଣୁ ଏଭଳି ପରିସ୍ଥିତିରେ କମିସନରେଟ୍ ପୁଲିସର ଥାନାରେ ଇନ୍ସପେକ୍ଟର କିଏ ହେବ ତାକୁ ନେଇ ଏବେ କଳ୍ପନା ଜଳ୍ପନା ପ୍ରକାଶ ପାଇବା ଆରମ୍ଭ ହେଲାଣି। କାରଣ ଉମାକାନ୍ତ ପ୍ରଧାନ, ଦୟାନିଧି ନାୟକ, ବନିତା ମାଝୀ, ଅଞ୍ଜଳି ଛୋଟରାୟ, ଅନିତା ସାହୁ, ଲୋକେଶ୍ୱର ସାହୁ ପ୍ରମୁଖ ଇନ୍ସପେକ୍ଟରଙ୍କର କମିସନରେଟ୍ ପୁଲିସକୁ ବଦଳି ହୋଇଥିଲେ ମଧ୍ୟ ସେମାନେ ଏଯାଏ ଯୋଗ ଦେଇ ନାହାନ୍ତି।