୩ ତାମିଲ୍ ଲୁଟେରା ଗିରଫ: ଜଟଣୀରେ ଡେରା, ରାଜଧାନୀରେ ଲୁଟ୍‌

ମୂକ, ବଧିର ବାହାନାରେ ଖସୁଥିଲେ

ଭୁବନେଶ୍ବର: ଗତ କିଛି ମାସ ହେଲା ଜଟଣୀରେ ଡେରା ପକାଇଥିବା ଓ ରାଜଧାନୀରୁ ଲୁଟ୍‌ କରୁଥିବା ଏକ ପାଞ୍ଚ ଜଣିଆ ତାମିଲ୍‌ ଲୁଟେରା ଗ୍ୟାଙ୍ଗ୍‌କୁ ଗିରଫ କରିଛି ସହିଦନଗର ଥାନା ପୁଲିସ। ସେମାନେ ହେଲେ ତାମିଲ୍‌ନାଡ଼ୁ ଭେଲୋର ଜିଲ୍ଲା ଅମ୍ବୁର ଥାନା ଉଦୟ ରାଜପାଲ୍ୟମ୍ ଗାଁର ବାଟୁ ଶ୍ରୀନିବାସନ୍‌, ଏ ଶକ୍ତିଭେଲ୍‌ ଓ ଏସ୍‌ ଶକ୍ତିକୁମାର। ଏହି ଗ୍ୟାଙ୍ଗ୍‌ର ଦୁଇ ନାବାଳକଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯାଇଥିବା ବେଳେ ଅନ୍ୟମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ ଏମାନଙ୍କଠାରୁ ୪୦ଟି ମୋବାଇଲ୍‌ ଫୋନ୍‌, ୩ଟି ଲାପ୍‌ଟପ୍‌ ଓ ଗୋଟିଏ ଟାବ୍‌ଲେଟ୍‌ ଜବତ କରିଛି।

ଆଜି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ଏହି ଗ୍ୟାଙ୍ଗ୍‌ ବାବଦରେ ସୂଚନା ଦେଇ କହିଛନ୍ତି ଯେ ଏମାନେ ଦିନରେ ଶାଢ଼ି ବେପାର କରି ବିଭିନ୍ନ ଘରକୁ ଟାର୍ଗେଟ୍‌ କରିଥାଆନ୍ତି। କେଉଁ ଘରେ ବରିଷ୍ଠ ନାଗରିକ ରହୁଛନ୍ତି ଓ କେଉଁ ଘରୁ ଲୋକେ ସକାଳୁ ମର୍ଣ୍ଣିଂ ୱାକ୍‌ରେ ଯାଉଛନ୍ତି, ତାହାକୁ ଲକ୍ଷ୍ୟ କରନ୍ତି। ଟାର୍ଗେଟ୍‌ ଘରକୁ ସେମାନେ ସକାଳୁ ସକାଳୁ ଯାଆନ୍ତି ଓ କେହି ନଥିବା ମଉକାରେ ଘରେ ପଶି ମୋବାଇଲ୍‌ ଫୋନ୍‌, ଲାପଟପ୍‌, ପର୍ସ, ଟଙ୍କା ଆଦି ଅନ୍ୟାନ୍ୟ ଦାମୀ ଜିନିଷ ଲୁଟି ଚମ୍ପଟ ମାରନ୍ତି। ବିଶେଷକରି ଘର ଭିତରକୁ ପଶନ୍ତି ନାବାଳକଦ୍ବୟ। ଯଦି ହଠାତ୍ ଧରାପଡ଼ନ୍ତି, ତେବେ ନାବାଳକଦ୍ବୟ ମୂକ ବଧିରର ଅଭିନୟ କରନ୍ତି। ଠିକ୍ ସେତିକିବେଳେ ଅନ୍ୟମାନେ ସେଠାରେ ପହଞ୍ଚି ନାବାଳାକମାନଙ୍କୁ କୌଶଳ କରି ଖସାଇ ନିଅନ୍ତି। ତେବେ ଗତ ଦୁଇ ଦିନ ତଳେ ଏହି ଗ୍ୟାଙ୍ଗ୍‌ ସହିଦନଗର ଥାନା ଆଚାର୍ଯ୍ୟବିହାରରେ ଜନୈକ ବ୍ୟକ୍ତିଙ୍କ ଘରେ ପଶିଥିବା ବେଳେ ଧରାପଡ଼ିଥିଲେ। ଲୋକେ ନାବାଳକଦ୍ବୟଙ୍କୁ ଧରିବା ବେଳେ ଖସାଇବାକୁ ଉଦ୍ୟମ କରୁଥିବା ଦୁର୍ବୃତ୍ତମାନଙ୍କୁ ବି ଧରି ପୁଲିସ ଜିମା ଦେଇଥିଲେ। ପରେ ଏହି ଗ୍ୟାଙ୍ଗ୍‌ର କାରନାମା ପୁଲିସ ତଦନ୍ତରୁ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର