ଆଦାୟ ହୋଇପାରୁନି ମହାସୁଲ୍‌, ୭ ବର୍ଷରେ କ୍ଷତି ୫୩ କୋଟି

ଭୁବନେଶ୍ବର: ବ୍ୟବସ୍ଥିତ ହୋଇ ପାରୁନି ଟ୍ରେଡ୍‌ ଲାଇସେନ୍ସ ବାବଦ ମହାସୁଲ୍‌ ଆଦାୟ ପ୍ରକ୍ରିୟା। ସର୍ଭେ କରାଯାଇ ଷ୍ଟ୍ରିଟ୍‌ ଭେଣ୍ଡରଙ୍କ ସଂଖ୍ୟା ନିରୁପଣ ହୋଇଥିଲେ ମଧ୍ୟ ଟଙ୍କାଟିଏ ଆଦାୟ ହୋଇ ପାରୁନି। ଏଣେ ୨୦୦୬ ମସିହାରୁ ଟ୍ରେଡ୍‌ ଲାଇସେନ୍ସ ସଂଶୋଧିତ ହୋଇନାହିଁ। ଏହା ସଂଶୋଧନ ହେଲେ ପରିମାଣ ଦୁଇଗୁଣ ହେବ। ଏଣୁ ଏହି ବାଇ ଲ’କୁ ସଂଶୋଧନ କରିବାକୁ ବିଏମ୍‌ସି ୨୦୧୨ ମସିହାରୁ ସରକାରଙ୍କୁ ଚିଠି ଲେଖିଛି। ହେଲେ ୧୦ ବର୍ଷ ହେଲାଣି ସରକାରଙ୍କ ଅନୁମୋଦନ ମିଳିନାହିଁ। ଏଣେ ବିଏମ୍‌ସି କର୍ମଚାରୀ ଅଭାବ ଦେଖାଇ ଷ୍ଟ୍ରିଟ୍‌ ଭେଣ୍ଡରଙ୍କ ଠାରୁ ଏହି ଟ୍ରେଡ୍‌ ଲାଇସେନ୍ସ ବାବଦରେ ଟିକସ ଆଦାୟ କରୁନାହିଁ। ଏଭଳି ସ୍ଥିତିରେ ବିମ୍‌ଏସି ବର୍ଷକୁ ୭ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହରାଉଛି। ଏଣୁ ଏହି ସବୁ ଷ୍ଟ୍ରିଟ୍‌ ଭେଣ୍ଡରଙ୍କ ଠାରୁ ଏକ ଆଉଟ୍‌ସୋର୍ସିଂ ଏଜେନ୍ସି ଜରିଆରେ ଟ୍ରେଡ୍‌ ଲାଇସେନ୍ସ ମହାସୁଲ୍‌ ଆଦାୟ କରିବାକୁ ବିଏମ୍‌ସି ଯୋଜନା କରିଛି। ଇତିମଧ୍ୟରେ ଯଦି ଟ୍ରେଡ୍‌ ଲାଇସେନ୍ସ ବାଇ ଲ’ ସଂଶୋଧନ ପତ୍ରକୁ ସରକାର ଅନୁମୋଦନ କରନ୍ତି ତେବେ ବର୍ଷକୁ ବିଏମ୍‌ସି ପ୍ରାୟ ୧୦ କୋଟି ପାଇବ ବୋଲି ଆଶା ରଖିଛି।

ଆଦାୟ କରିବ ଆଉଟ୍‌ସୋର୍ସିଂ ଏଜେନ୍ସି
ବାଇ ଲ’ ସଂଶୋଧନ ପାଇଁ ସରକାରଙ୍କୁ ଚିଠି
ନେତା ଓ ଗୁଣ୍ଡାଙ୍କ ପକେଟ୍‌ ଭର୍ତ୍ତି

୨୦୧୫ ମସିହାରେ ଭୁବନେଶ୍ବରରେ ଥଇଥାନ ହୋଇନଥିବା କେତେ ଉଠାଦୋକାନୀ ଅଛନ୍ତି ତାହାର ସର୍ଭେ କରିଥିଲା ବିଏମ୍‌ସି। ଏକ ଆଉଟ୍‌ସୋର୍ସିଂ ଏଜେନ୍ସି ଦ୍ବାରା ହୋଇଥିବା ସର୍ଭେ ପାଇଁ ବିଏମ୍‌ସି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ଦୀର୍ଘ ୬ ମାସ ସର୍ଭେ କରିବା ପରେ ଏହି ସଂସ୍ଥା ବିଏମ୍‌ସିକୁ ରିପୋର୍ଟ ଦେଇଥିଲା। ସଂସ୍ଥାର ରିପୋର୍ଟ ଅନୁସାରେ ବିଏମ୍‌ସିର ୬୭ ୱାର୍ଡରେ ୨୧ ହଜାର ଭେଣ୍ଡର୍‌ ରହିଥିବା ଆକଳନ ହୋଇଥିଲା। ରିପୋର୍ଟ ପାଇବା ପରେ ବିଏମ୍‌ସି ପ୍ରତି ଭେଣ୍ଡର୍‌ ପିଛା ଦିନକୁ ୧୦ ଟଙ୍କା (ମାହାସୁଲ ବାବଦକୁ) ଆଦାୟ କରିବା ନିଷ୍ପତ୍ତି ହୋଇଥିଲା। ଏହି ହିସାବରେ ଦିନକୁ ୨ ଲକ୍ଷ ୧୦ ହଜାର ଟଙ୍କା ଆଦାୟ ହୋଇଥାନ୍ତା। ଆଜି ପର୍ଯ୍ୟନ୍ତ ଅର୍ଥାତ୍‌ ୭ ବର୍ଷରେ ୫୩ କୋଟି ୬୫ ଲକ୍ଷ ୫୦ ହଜାର ଟଙ୍କା ଆଦାୟ ହେବା କଥା। କିନ୍ତୁ ଟଙ୍କାଟିଏ ଆଦାୟ ହେଉନି।
ପ୍ରଥମେ ତୃତୀୟ ପକ୍ଷ ସଂସ୍ଥା ଜରିଆରେ ୬୦ ଲକ୍ଷ ଟଙ୍କା ବିଏମ୍‌ସି ରାଜକୋଷରୁ ଖର୍ଚ୍ଚ କଲେ।

ଏହି ଖର୍ଚ୍ଚ ଉଠାଇବା ପାଇଁ ମଧ୍ୟ ବାବୁମାନେ ଉଦ୍ୟମ କଲେ ନାହିଁ। ବର୍ଷ ବର୍ଷ ବିତିବା ପରେ ଗତ ଜୁନ୍‌ ମାସରେ ଏହାକୁ ବ୍ୟବସ୍ଥିତ କରିବା ପାଇଁ ବିଏମ୍‌ସି ଟାଉନ୍‌ ଭେଣ୍ଡିଂ କମିଟି ଗଠନ କରିଥିଲା। କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ୧୧ ଜଣ ସଦସ୍ୟ ରହିଥିଲେ। ଭୁବନେଶ୍ବର ଡିସିପିଙ୍କ ସମେତ ବିଏମ୍‌ସି ପ୍ଲାନର, ଖୋର୍ଦ୍ଧା ଜିଲ୍ଲା ଲିଡ୍‌ ବ୍ୟାଙ୍କ୍‌ ମ୍ୟାନେଜର, ୱାର୍ଡ ନମ୍ବର ୧୨ କର୍ପୋରେଟର, କଳିଙ୍ଗ ନଗର ରେସିଡେନ୍‌ସିଆଲ ଆସୋସିଏସନ ସଭାପତି, ୟୁନିଟ୍‌-୧ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ସଭାପତି, ଏନ୍‌ଜିଓ ସିଏଫ୍‌ଏଆର ସଦସ୍ୟ, ଆଇଆର୍‌ସି ଗଜଲକ୍ଷ୍ମୀ ଭେଣ୍ଡିଂ ଜୋନ୍‌ର ସଦସ୍ୟ, ୟୁନିଟ୍‌-୯ ଗଜଲକ୍ଷ୍ମୀ ଭେଣ୍ଡିଂ ଜୋନ୍‌ ସଦସ୍ୟା, ସିଆର୍‌ପି ଛକ ଲୋକନାଥ ଭେଣ୍ଡିଂ ଜୋନ୍‌ ସଦସ୍ୟ ଓ ସ୍ମାର୍ଟ ଜନପଥର ଜଣେ ବ୍ୟବସାୟୀ ରହିଥିଲେ। ହେଲେ ୩ ମାସ ବିତିଥିଲେ ମଧ୍ୟ ଏମାନେ ଗୋଟିଏ ଥର ଏକାଠି ବସି ଆଲୋଚନା କଲେ ନାହିଁ କିମ୍ବା ରାସ୍ତା ବାହାର କଲେ ନାହିଁ।

ଏବେ ଘରୋଇ ସଂସ୍ଥା ମହାସୁଲ୍‌ ଆଦାୟ କାରିବାକୁ ଯାଉଛି। ତେବେ ଏହି ମହାସୁଲ୍‌ ଆଦାୟକୁ ନେଇ ଏକ ବଡ଼ ଅଭିଯୋଗ ରହିଛି। ମାହାସୁଲ ବିଏମ୍‌ସିକୁ ସିନା ଆସୁନଥିଲା, କିନ୍ତୁ ଷ୍ଟ୍ରିଟ୍‌ ଭେଣ୍ଡର୍‌ମାନେ ମହାସୁଲ୍‌ ଦେଉଥିଲେ। ଭିନ୍ନ ଭିନ୍ନ ଜାଗାରେ କେତେକ ଗୁଣ୍ଡାଶ୍ରେଣୀୟ ବ୍ୟକ୍ତି ଓ କେତେକ ନେତାଙ୍କ ପକେଟ୍‌କୁ ଏ ବାବଦରେ ମୋଟା ଅଙ୍କର ଟଙ୍କା ଯାଉଥିବା ଅଭିଯୋଗ ରହିଥିଲା। ଏହା ବଦଳରେ ସେମାନେ ଏହି ବ୍ୟବସାୟୀମାନଙ୍କୁ ବିଭିନ୍ନ ସମୟରେ ସୁରକ୍ଷା ଯୋଗାଉଥିଲେ। ଏମାନଙ୍କ ସହ ଲଢ଼େଇ ନ କରି ବିଏମ୍‌ସି ମହାସୁଲ୍‌ ଆଦାୟ ବ୍ୟବସ୍ଥାକୁ ଆଉଟ୍‌ସୋର୍ସିଂ କରିବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର