ବୈଷ୍ଣବ ପରିଡ଼ାଙ୍କ ୮୨ତମ ଜୟନ୍ତୀ ସମାରୋହ: ‌‘ରୋଜଗାରର ମାଧ୍ୟମ ହେଉ ଓଡ଼ିଆ ଭାଷା’

ଭୁବନେଶ୍ବର : ଯେଉଁମାନେ ଓଡ଼ିଆ ଭାଷାର ନେତୃତ୍ବ ନେବା କଥା, ତାଙ୍କ ପରିବାରରେ ଓଡ଼ିଆ ଲିଭିଲିଭି ଯାଉଛି। ରାଜ୍ୟରେ ଓଡ଼ିଆକୁ ସରକାରୀ ଭାଷାର ମାନ୍ୟତା ମିଳିଥିଲେ ହେଁ ଓଡ଼ିଶାର ଶାସନ ଓଡ଼ିଆରେ ହେଉନାହିଁ। ଭାଷା ଯଦି ଏଭଳି ବ୍ୟବହାର ନ ହେବ, ତେବେ ହଜାର ବର୍ଷର ଓଡ଼ିଆ ଭାଷାକୁ ଦୁର୍ବଳ ହେବାକୁ ବେଶି ସମୟ ଲାଗିବ ନାହିଁ। ଓଡ଼ିଆକୁ ବଞ୍ଚାଇବାକୁ ହେଲେ ଓଡ଼ିଆ ଭାଷାକୁ ରୋଜଗାରର ମାଧ୍ୟମ କରିବାକୁ ପଡ଼ିବ। ଓଡ଼ିଆ ପଢ଼ିଲେ, ଶିଖିଲେ ଓ ବ୍ୟବହାର କଲେ ପେଟକୁ ଦାନା ଓ ସମାଜରେ ସମ୍ମାନ ମିଳିଲେ, ଭାଷା ପ୍ରତି ଆଦର ବଢ଼ିବ ଏବଂ ଭାଷା ଚିରଦିନ ବଞ୍ଚି ରହିବ। ତେଣୁ ସରକାର ତୁରନ୍ତ ଓଡ଼ିଶାର ଶାସନ ଓଡ଼ିଆ ଭାଷାରେ କରିବା ସହ ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମ ଉଚ୍ଚ ବିଦ୍ୟାଳୟରେ ଓଡ଼ିଆ ଭାଷାକୁ ବାଧ୍ୟତାମୂଳକ କରା‌ନ୍ତୁ। ଏହାସହ ଓଡ଼ିଆ ଭାଷା କମିସନ୍‌ ଗଠନ କରନ୍ତୁ। ବୈଷ୍ଣବ ପରିଡ଼ା ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ ଲୋହିଆ ଏକାଡେମିରେ ଆୟୋଜିତ ବିଶିଷ୍ଟ ରାଜ‌ନୀତିଜ୍ଞ, ସାହିତ୍ୟିକ ଓ ଭାଷା ସୁରକ୍ଷା ସମ୍ମିଳନୀର କର୍ଣ୍ଣଧାର ବୈଷ୍ଣବ ପରିଡ଼ାଙ୍କ ୮୨ତମ ଜୟନ୍ତୀ ସମାରୋହରେ ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବ ଗୃହୀତ ହୋଇଛି।

ଇଂରାଜୀ ମାଧ୍ୟମ ଉଚ୍ଚ ବିଦ୍ୟାଳୟରେ ଓଡ଼ିଆ ବାଧ୍ୟତାମୂଳକ ହେଉ
ଓଡ଼ିଆ ଭାଷା କମିସନ ଗଠନ କରନ୍ତୁ ସରକାର

ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସଭା ସମିତି ହେଉଛି ଗଣତାନ୍ତ୍ରିକ ଉତ୍ସବ। ଏହି ବାହାନାରେ ଭାବର ଆଦାନ ପ୍ରଦାନ ହୋଇ ଏକ ସହମତି ପ୍ରକାଶ ପାଏ। କିନ୍ତୁ କରୋନା ପାଇଁ ତିନି ବର୍ଷ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିଲା। ଏବେ କରୋନା ଯାଇଛି, ମୁହଁରୁ ତୁଣ୍ଡି ଖୋଲିଛି। ହେଲେ ତୁଣ୍ଡ‌ ଖୋଲି ସତ କହିବାକୁ କେହି ସାହସ ଜୁଟାଇ ପାରୁନାହାନ୍ତି। ଏବେ ଏହି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବିନିଯୋଗ କରି ନାଗରିକ ସମାଜକୁ ସମୃଦ୍ଧ କରିବା ଉଚିତ। ଯେଉଁକଥା ନିର୍ବାଚିତ ସରକାର କରିପାରୁନାହାନ୍ତି, ସମାଜର ହିତ ପାଇଁ ନାଗରିକ ସମାଜକୁ ତାହା କରିବାକୁ ପଡ଼ିବ। ଗାନ୍ଧୀଜୀଙ୍କୁ ସତ୍ୟର ଉପାସକ ବୋଲି କୁହାଯାଏ। ବୈଷ୍ଣବ ପରିଡ଼ା ମଧ୍ୟ ସତ୍ୟର ଉପାସକ ହୋଇ ମାଟି ପାଇଁ ଲଢ଼େଇ କରୁଥିଲେ। ତେଣୁ ନାଗରିକ ସମାଜ ୧୦ଥର ମନ୍ଦିର ଯିବା ଅପେକ୍ଷା ସତ୍ୟର ପୂଜାରୀ ହୋଇ କ୍ଷମତାକୁ ଉତ୍ତରଦାୟୀ କରିପାରିଲେ ଏହା ହିଁ ସ୍ବର୍ଗତ ପରିଡ଼ାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।

‘ଗାନ୍ଧୀଙ୍କ ପ୍ରାସଙ୍ଗିକତା’ ବିଷୟବସ୍ତୁ ଉପରେ ସ୍ମାରକୀ ବକ୍ତୃତା ପ୍ରଦାନ କରି ବିଶିଷ୍ଟ ଶିକ୍ଷାବିତ୍ ଓ ସାହିତ୍ୟିକ ଅଭିରାମ ବିଶ୍ୱାଳ କହିଲେ, ଗାନ୍ଧୀ ବିଚାର ଏବେ ଆଗ ଅପେକ୍ଷା ଅଧିକ ପ୍ରାସଙ୍ଗିକ। ଗାନ୍ଧୀ ବହୁବାଦୀ ସଂସ୍କୃତିର ସପକ୍ଷରେ ଥିଲେ। ତାଙ୍କ ପାଇଁ ରାଜନୀତି ଥିଲା ଲୋକନୀତି। ସେ ରାଜନୀତିରେ ଭିନ୍ନ ମତ ଓ ଦ୍ୱିମତକୁ ସମ୍ମାନ ଦେଉଥିଲେ। ବିରୋଧ, ସମାଲୋଚନା ଓ ପ୍ରତିବାଦରେ ଅଟକି ନଯାଇ ସମାଧାନ ଓ ବିକଳ୍ପ ଯୋଗାଇ ଦେଉଥିଲେ। ଏବେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା। ହେଲେ ସେ ସମୟରୁ ଗାନ୍ଧୀ ପରିବେଶ ସହ ମଣିଷର ସହାବସ୍ଥାନ କଥାକୁ ଗୁରୁତ୍ୱ ଦେଇଥିଲେ ଏବଂ ନିରନ୍ତର ବିକାଶ କଥା କହିଥିଲେ। ସମ୍ମାନିତ ଅତିଥି ବିଧାୟକ ପ୍ରଫୁଲ୍ଲ ସାମଲ କହିଲେ, ବୈଷ୍ଣବ ପରିଡ଼ା ଆଦର୍ଶ ବିଶ୍ବାସୀ, ସାମ୍ୟବାଦୀ ଚିନ୍ତାଧାରାର ବ୍ୟକ୍ତି ଥିଲେ। ଭାଷା ପ୍ରତି ଅଙ୍ଗୀକାର ଓ ମାଟି ପ୍ରତି ପ୍ରତିବଦ୍ଧତା ପାଇଁ ସେ ଚିରନମସ୍ୟ ହୋଇ ରହିବେ।

ପ୍ରତି ଘରେ ଓଡ଼ିଆ ପତ୍ରିକା ଓ ଓଡ଼ିଆ ସମ୍ବାଦପତ୍ର ପଡ଼ୁ ବୋଲି ‘କାଦମ୍ବିନୀ’ ଓ ‘କୁନିକଥା’ର ସମ୍ପାଦିକା ଇତି ସାମନ୍ତ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବାପା ନନ୍ଦ କୁମାର ବାଘେଲ ଯୋଗଦେଇ ବୈଷ୍ଣବଙ୍କ ସ୍ମୃତିଚାରଣ କରିଥିଲେ। ଭାଷା ସୁରକ୍ଷା ସମ୍ମିଳନୀର ସମ୍ପାଦକ ଅମିତାଭ ଖିଲାର ସ୍ବାଗତ ଭାଷଣ ଓ ଅଧ୍ୟାପକ ମାନସ ବେହେରା ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ ବୈଷ୍ଣବ ପରିଡ଼ା ସ୍ମୃତିନ୍ୟାସ ପକ୍ଷରୁ ସ୍ବର୍ଗତ ପରିଡ଼ାଙ୍କ ଝିଅ ଲୁନିତା ବାରିକ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସ୍ମୃତିନ୍ୟାସର ସଦସ୍ୟ ବିଶ୍ବନାଥ ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର