ମାସକରେ ଲୁଟିଲେଣି ସାଢ଼େ ୯୧ ଲକ୍ଷ

ରାଜଧାନୀରେ ଜାଲ ବିଛାଇଛନ୍ତି ସାଇବର ଠକ

ଭୁବନେଶ୍ୱର: ରାଜଧାନୀରେ ସାଇବର ଠକମାନେ ଜାଲ ବିଛାଇ ବସିଛନ୍ତି। ଟିକିଏ ମଉକା ପାଇଲେ ଆକାଉଣ୍ଟ ଖାଲି କରିଦେଉଛନ୍ତି। କାହାକୁ ଏଟିଏମ୍‌ ବ୍ଲକ୍‌ ହୋଇଯିବାର ଭୟ ଦେଖାଇ ତ କାହାକୁ କେୱାସି ଅପ୍‌ଡେଟ୍‌ କରିବାକୁ କହି ଲୁଟୁଛନ୍ତି। ଅନ୍ୟପକ୍ଷରେ ଏତେ ଲୁଟ୍‌, ଏତେ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ବେ ଲୋକେ ବି ଚେତୁନାହାନ୍ତି। ଫଳରେ ରାଜଧାନୀବାସୀ ସହଜରେ ସାଇବର ଠକଙ୍କ ଜାଲରେ ଫସୁଛନ୍ତି। ଗତ ମାସକ ଭିତରେ ସାଇବର ଠକମାନେ ରାଜଧାନୀରୁ ସାଢ଼େ ୯୧ ଲକ୍ଷ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି।

ମାର୍ଚ୍ଚ ମାସର ସାଇବର କ୍ରାଇମ୍‌ ତଥ୍ୟ ସୂଚନାନୁସାରେ ସାଇବର୍ କ୍ରାଇମ୍‌ ହେଲ୍ପଡେସ୍କ ୪୧୨ଟି ଅଭିଯୋଗ ଗ୍ରହଣ କରିଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ୩୬ଟି ଅଭିଯୋଗ ଆସିଥିବା ବେଳେ କେବଳ ଭୁବନେଶ୍ୱର ସହରରୁ ସର୍ବାଧିକ ୨୬୭ଟି ଅଭିଯୋଗ ଆସିଛି। ତେଣୁ ରାଜଧାନୀବାସୀ ବେଶି ସାଇବର ଠକଙ୍କ ଫାନ୍ଦରେ ପଡ଼ୁଥିବା ସ୍ପଷ୍ଟ ହୋଇଛି। ରାଜଧାନୀରେ ୧୧୦ଟି ୟୁପିଆଇ ଠକେଇ, ୮୦ଟି କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ଠକେଇ ଏବଂ ୭୭ଟି ଅନ୍‌ଲାଇନ୍‌ ଠକେଇ ହୋଇଥିବା ଅଭିଯୋଗ ହୋଇଛି।

ଏହିସବୁ ମାମଲାରେ ସାଇବର ଠକ ୯୧ଲକ୍ଷ ୫୬ହଜାର ୫୩ ଟଙ୍କା ଲୁଟିବାକୁ ସକ୍ଷମ ହୋଇଛନ୍ତି। ୭ଟି ମାମଲା ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ ହୋଇଛି। ହେଲ୍ପଡେସ୍କ ଏବଂ ଥାନା ସହଯୋଗରେ ସାଇବର ଠକଙ୍କ ୧୫ଟି ନମ୍ବରକୁ ବ୍ଲକ୍‌ କରାଯାଇଛି। ତେବେ ଠକାମିର ଶିକାର ହୋଇଥିବା ୨୫ ଅଭିଯୋଗକାରୀଙ୍କୁ ୧୦ ଲକ୍ଷ ୫୭ହଜାର ୬୬୧ ଟଙ୍କା ଫେରସ୍ତ କରାଯାଇଛି ଓ ୪୦ ହଜାର ଟଙ୍କା ବ୍ଲକ୍‌ କରାଯାଇପାରିଛି ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର