ପୁଣି ଆରମ୍ଭ ହେବ ଡ୍ୟାନ୍ସବାର୍‌, ରାଜଧାନୀର ୭ଟି ବାର୍‌କୁ ଅବକାରୀ ବିଭାଗ ଦେଲା ଅନୁମତି

ଭୁବନେଶ୍ବର: ରାଜଧାନୀରେ ପୁଣି ଆରମ୍ଭ ହେବ ଡ୍ୟାନ୍ସବାର୍‌। ଚିକିମିକି, ରଙ୍ଗିନ ଆଲୋକ ଓ ଛାତିଥରା ଡିଜେ ମ୍ୟୁଜିକରେ ମତୁଆଲା ହେବେ ମଦ୍ୟପ। ଯୁବତୀମାନେ ବାର୍‌ ଭିତରେ ନୃତ୍ୟ କରିବେ, ଗୀତ ବି ଗାଇବେ। ଆଉ ଏଥିରେ କେହି ବାରଣ କରି ପାରିବେ ନାହିଁ। ପୁଲିସ ମଧ୍ୟ ପୂର୍ବଭଳି ବାର୍‌ରେ ଚଢ଼ଉ କରି ବାର୍‌ଗର୍ଲ ଓ ଗ୍ରାହକମାନଙ୍କୁ ଥାନାକୁ ଆଣି ପାରିବ ନାହିଁ। ଅବକାରୀ ବିଭାଗ ଏ ନେଇ ବିଦ୍ଧିବଦ୍ଧ ଭାବେ ଅନୁମତି ପ୍ରଦାନ କରିବା ପରେ ବାର‌୍ ମାଲିକ ଓ ବାର୍‌ଗର୍ଲମାନେ ଆଶ୍ବସ୍ତ ହୋଇଛନ୍ତି। କିନ୍ତୁ ଏଥିରେ କେତେକ ସର୍ତ ରଖାଯାଇଛି। ସର୍ତର ଖିଲାପ କଲେ ବାର୍‌ ଲାଇସେନ୍ସ ରଦ୍ଦ ମଧ୍ୟ କରାଯିବ ବୋଲି ଅବକାରୀ ବିଭାଗ ଚେତାଇ ଦେଇଛି।

ଗତ ଜୁଲାଇ ମାସ ୨୬ ତାରିଖରେ କମିସନରେଟ ପୁଲିସ ପକ୍ଷରୁ ଲକ୍ଷ୍ମୀସାଗର ଥାନା ଅଧୀନରେ ଥିବା ସମସ୍ତ ଡ୍ୟାନ୍ସବାର୍‌ଗୁଡିକ ଉପରେ ଏକାକାଳୀନ ଚଢ଼ଉ କରି ପାଖାପାଖି ୧୫୦ ଜଣ ବାର‌୍ଗର୍ଲ ଓ କେତେ ଜଣ ମ୍ୟାନେଜରଙ୍କୁ ଉଠାଇ ଆଣିଥିଲା। ଏହା ପରେ ବାର୍‌ଗୁଡିକ ସିଲ୍‌ ମଧ୍ୟ କରିଥିଲା। ଏହା ବିରୋଧରେ ରାଜ୍ୟ ଡ୍ୟାନ୍ସବାର୍‌ ଆସୋସିଏସନ ଓ ରେ‌ସ୍ତାରାଁ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ୪ ସପ୍ତାହ ମଧ୍ୟରେ ତର୍ଜମା କରି ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ନି‌ର୍ଦେଶ ଦେଇଥିଲେ। ଅବକାରୀ ବିଭାଗ ବିଭିନ୍ନ ଡ୍ୟାନ୍ସବାର୍‌ ବୁଲି ସ୍ଥିତି ପରିଖିଥିଲା। ଏହାପରେ ଅବକାରୀ ବିଭାଗ ପକ୍ଷରୁ ଏକ ବିସ୍ତୃତ ରିପୋର୍ଟ ହାଇକୋର୍ଟରେ ଉପସ୍ଥାପନ କରାଯାଇଥିଲା। ହାଇକୋର୍ଟ ଡ୍ୟାନ୍ସବାର୍‌ ଖୋଲିବା ପାଇଁ ଅନୁମତି ଦେବାକୁ ଅବକାରୀ ସଚିବଙ୍କୁ ନି‌ର୍ଦେଶ ଦେଇଥିଲେ। ଚଳିତ ମାସ ୧୭ ତାରିଖରେ ଅବକାରୀ ସଚିବ ଖୋର୍ଧା‌ ଜିଲ୍ଲାପାଳଙ୍କୁ ଏ ନେଇ ଅବଗତ କରାଇଥିଲେ।

ସମ୍ବନ୍ଧିତ ଖବର