ଅନୈତିକ ସମ୍ପର୍କ ହେଲା କାଳ: ହୋଟେଲ୍ ରୁମ୍ରେ ମହିଳାଙ୍କୁ ହତ୍ୟା
ପୁରୁଷ ବନ୍ଧୁ ଫେରାର, ମୋବାଇଲ୍, ଲୁହା ପାଇପ୍, ତକିଆ ଜବତ
ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ମଞ୍ଚେଶ୍ୱର ଥାନା ଅଧୀନ ହୋଟେଲ ହାଇେଓ୍ଵ-ଇନ୍ ରୁମ୍ ନମ୍ବର ୧୨୧ରୁ ମିଳିଛି ଜଣେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ। ତାଙ୍କ ନାଁ ଲକ୍ଷ୍ମୀପ୍ରିୟା ବିଶ୍ୱାଳ(୩୨)। ଘର ଖୋର୍ଧାର ଗଡ଼ଖୋର୍ଧାରେ। ଏଠାରେ ସେ ପଟିଆ କଳାଝରୀରେ ନିଜ ଭିଣୋଇଙ୍କ ଘରେ ରହି ମଞ୍ଚେଶ୍ୱର ଶଳ୍ପାଞ୍ଚଳରେ କାମ କରୁଥିଲେ। ମହିଳାଙ୍କୁ ତାଙ୍କ ପୁରୁଷବନ୍ଧୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ତାଙ୍କ ନାଁ ଆଦିତ୍ୟ ମହାପାତ୍ର। ଘର ପୁରୀ ଦୋଳମଣ୍ଡପସାହିରେ। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ହୋଟେଲ ରୁମ୍ରୁ ପୁଲିସ ରକ୍ତ ଲଗା ଏକ ଲୁହା ପାଇପ୍, ରକ୍ତଭିଜା ତକିଆ, କିଛି ଗିଫ୍ଟ ଆଇଟମ୍, ଏକ ମୋବାଇଲ, ପ୍ୟାଣ୍ଟସାର୍ଟ ଆଦି ଜବତ କରିଛି। ପୁଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣା ଅନୁସନ୍ଧାନ ଆରମ୍ଭ କରିଛି। ଘଟଣା ପରଠାରୁ ଆଦିତ୍ୟ ଫେରାର ହୋଇ ଯାଇଥିବାରୁ ପୁଲିସର ସନ୍ଦେହ ତା’ ଉପରେ ବଢ଼ି ଯାଇଛି। ଆଦିତ୍ୟକୁ ଗିରଫ କରିବାକୁ ପୁଲିସ ପୁରୀ, ଖୋର୍ଧା ଓ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ଲକ୍ଷ୍ମୀପ୍ରିୟା ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା। ସେ ୨୦୦୪ରେ ଗଡ଼ଖୋର୍ଧାର ଅକ୍ଷୟ ବିଶ୍ୱାଳଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇ ପୁଅ ଅଛନ୍ତି। ବିବାହର କିଛି ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ମତାନ୍ତର ଘଟିଥିଲା। ଏ ନେଇ ଭୁବନେଶ୍ୱର ମହିଳା ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହି କାରଣରୁ ଲକ୍ଷ୍ମୀପ୍ରିୟା ଭୁବନେଶ୍ୱର ଆସି ଭିଣୋଇ ସୁଶାନ୍ତ ପାଣିଙ୍କ ପାଖରେ ରହୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ମଧ୍ୟରେ ଲକ୍ଷ୍ମୀପ୍ରିୟାଙ୍କ ସମ୍ପର୍କ ପୁରୀର ଆଦିତ୍ୟଙ୍କ ସହିତ ହୋଇଥିଲା। ଆଦିତ୍ୟ ବିଭିନ୍ନ ସମୟରେ ଭୁବନେଶ୍ୱର ଆସନ୍ତି। ଏପରିକି ଲକ୍ଷ୍ମୀପ୍ରିୟା ଆଦିତ୍ୟଙ୍କୁ ବିବାହ କରିବେ ବୋଲି ସ୍ଥିର କରି ସାରିଥିଲେ। ଗତ ୨୨ ତାରିଖରେ ଲକ୍ଷ୍ମୀପ୍ରିୟା ସପିଂ କରିବାକୁ ଯାଉଛି ବୋଲି ଭଉଣୀ, ଭିଣୋଇକୁ ଜଣାଇଥିଲେ। ଏହା ପରେ ସେ ଘରୁ ବାହାରି ଆସିଥିଲେ।
ହୋଟେଲ ମ୍ୟାନେଜର୍ ଦୀପକ ପାତ୍ରଙ୍କଠାରୁ ମିଳିଥିବା ସୂଚନା ମୁତାବକ, ୨୨ ତାରିଖ ସଂଧ୍ୟାରେ ଦୁହେଁ ହୋଟେଲକୁ ଆସିଥିଲେ। ସେମାନଙ୍କ ବିବାହର ଫଟୋଗ୍ରାଫ୍ ଦେଖାଇଥିଲେ। ଆଦିତ୍ୟ ନିଜ ଆଧାର କାର୍ଡ ମଧ୍ୟ ହୋଟେଲ ରିସେପସନ୍ରେ ଜମା କରିଥିଲେ। ସେହିଦିନ ସେମାନେ ରାତି ତମାମ ହୋଟେଲରେ ଥିଲେ। ୨୩ ତାରିଖ ସକାଳ ସାଢ଼େ ୧୦ଟା ବେଳେ ସପିଂ କରିବାକୁ ଯାଉଛନ୍ତି କହି ଉଭୟ ଚାଲି ଯାଇଥିଲେ। ଦିନ ଗୋଟାଏ ବେଳେ କିଛି ଗିଫ୍ଟ ଆଇଟମ୍ ଧରି ହୋଟେଲକୁ ଫେରିଥିଲେ। ସଂଧ୍ୟାରେ ହୋଟେଲ ରୁମ୍ବଏ ଭଡ଼ା ଟଙ୍କା ମାଗିବାକୁ ସେମାନେ ରହୁଥିବା ରୁମ୍କୁ ଯାଇଥିଲେ। ଆଦିତ୍ୟ କହିଥିଲେ, ମୁଁ ଏଟିଏମରୁ ଟଙ୍କା କାଢ଼ି ରିସେପନ୍ରେ ଦେବି ତୁମେ ଯାଅ। ଏହା ପରେ ସେହି ରୁମ୍ରେ ଟିଭି ସାଉଣ୍ଡ ମଧ୍ୟ ବଢ଼ି ଯାଇଥିଲା। ଆଦିତ୍ୟ ଟଙ୍କା ଉଠାଇବାକୁ ହୋଟେଲ ରୁମ୍ରୁ ବାହାରି ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ହୋଟେଲ ମ୍ୟାନେଜରଙ୍କ ସନ୍ଦେହ ହୋଇଥିଲା। ସେ ଆଦିତ୍ୟଙ୍କ ମୋବାଇଲ୍କୁ ଫୋନ୍ କରିଥିଲେ। କିନ୍ତୁ ଏହା ସୁଇଚ୍ ଅଫ୍ ଦେଖାଇଥିଲା। ଏହା ପରେ ରୁମ୍ ବଏ ଟଙ୍କା ପାଇଁ ସିଧା ରୁମ୍କୁ ଯାଇଥିଲେ। ଏହି ସମୟରେ ରୁମ୍ରେ ବାହାର ପଟୁ ତାଲା ପଡ଼ିଥିଲା। ତେବେ ଭିତରୁ ଟିଭି ଚାଲୁଥିବା ଶବ୍ଦ ଶୁଭୁଥିଲା। ରୁମ୍ ବଏ ମନରେ ସନ୍ଦେହ ହୋଇଥିଲା। ଏ ନେଇ ସେ ମ୍ୟାନେଜର୍ଙ୍କୁ ଜଣାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ହୋଟେଲରେ ପହଞ୍ଚି ରୁମ୍ ତାଲା ଭାଙ୍ଗି ଯାହା ଦେଖିଲା ତାଟକା ହୋଇ ଯାଇଥିଲା। ଲକ୍ଷ୍ମୀପ୍ରିୟାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଖଟ ନିକଟରେ ପଡ଼ିଥିଲା। ସେ ଏକ ରକ୍ତଭିଜା ତକିଆ କୁଣ୍ଢାଇଥିଲେ। ତାଙ୍କ ମୁଣ୍ଡର ୩ଟି ସ୍ଥାନରେ କ୍ଷତ, ରକ୍ତ ଧାର ଧାର ବୋହି ଯାଇଛି, ଟିଭି ଚାଲୁଛି, ଫ୍ୟାନ୍ ବୁଲୁଛି, ଲାଇଟ ମଧ୍ୟ ଜଳୁଛି। ପୁଲିସ ମୃତଦେହର ପଞ୍ଚନାମା କରି କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଥିଲା। ଆଦିତ୍ୟ ଫେରାର ହୋଇଯାଇଥିବାରୁ ପୁଲିସ ତାଙ୍କୁ ହିଁ ସନ୍ଦେହ କରୁଛି। ଖବର ପାଇ ଲକ୍ଷ୍ମୀପ୍ରିୟାଙ୍କ ଭିଣୋଇ ମଞ୍ଚେଶ୍ୱର ଥାନାରେ ପହଞ୍ଚିଥିଲେ। ସେ କହିଥିଲେ ୨୩ ତାରିଖରେ ସଂଧ୍ୟାରେ ସେ ଘରକୁ ଫେରିବ ବୋଲି କହିଥିଲା। ବିଳମ୍ବ ହେବାରୁ ପୁଣି ଥରେ ଫୋନ୍ କରିବାରୁ ଲକ୍ଷ୍ମୀପ୍ରିୟାଙ୍କ ସହିତ କେହି ପାଟିତୁଣ୍ଡ କରିଥିବା ଶୁଭିଥିଲା। ଏହାର କିଛି ସମୟରେ ମୋବାଇଲ ଫୋନ୍ ବନ୍ଦ ହୋଇ ଯାଇଥିଲା। ମଞ୍ଚେଶ୍ୱର ଥାନା ପୁଲିସ କହିଛି, ଏ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୁଲିସ ଆଦିତ୍ୟଙ୍କ ଆଧାରକାର୍ଡ ଜବତ କରିଛି। ଆଧାରକାର୍ଡ ଠିକଣାରେ ପୁଲିସ ତାଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଏ ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି ଏହି ହତ୍ୟାକାଣ୍ଡ ଖୁବ୍ ଶୀଘ୍ର ପର୍ଦାଫାସ ହେବ। ଅଭିଯୁକ୍ତକୁ ପୁଲିସ ଚହ୍ନଟ କରି ସାରିଛି। କେବଳ ଗିରଫ ହେବା ବାକି ରହିଛି।
କମିସନରେଟ୍ ପୁଲିସ ନିୟମକୁ ବେଖାତିର
ହୋଟେଲ୍ରେ ନଥିଲା ସିସିଟିଭି
ହତ୍ୟାକାଣ୍ଡ ଘଟିଥିବା ହୋଟେଲ୍ରେ ସିସିଟିଭି ନ ଥିବାରୁ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି। ସୁରକ୍ଷା ଦୃଷ୍ଟିରୁ ହୋଟେଲ୍ଗୁଡ଼ିକରେ ସିସିଟିଭି ଲଗାଇବା ପାଇଁ କମିସନରେଟ ପୁଲିସର ନିୟମ ରହିଛି। କିନ୍ତୁ ହୋଟେଲ୍ ମାଲିକ ଆଇନ୍କୁ ବେଖାତରି କରି ହୋଟେଲ୍ ଚଳାଇଥିଲେ। ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ ଥାନା ପକ୍ଷରୁ ସ୍ଥାନୀୟ ଅଞ୍ଚଳର ହୋଟେଲ୍ଗୁଡ଼ିକୁ ରୀତିମତ ଯାଞ୍ଚ କରାଯାଏ। ହୋଟେଲ୍କୁ କିଏ ଆସୁଛି? କାହିଁକି ଆସୁଛି? କେତେ ଦିନ ରହିଛି? ସନ୍ଦେହ ହେଲେ ସିସିଟିଭି ଯାଞ୍ଚ କରିବା ଭଳି ଅନେକ ଦାୟିତ୍ୱ ପୁଲିସ ହାତରେ ରହିଛି। ହେଲେ ଥାନା ସମ୍ମୁଖରେ ଥିବା ହୋଟେଲ୍ରେ ବର୍ଷ ବର୍ଷ ଧରି ସିସିଟିଭି ନଥିଲେ ମଧ୍ୟ ଥାନା ପକ୍ଷରୁ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା ତା’କୁ ନେଇ ଏବେ ପ୍ରଶ୍ନ ଉଠିଛି। ପ୍ରକୃତରେ ପୁଲିସ ହୋଟେଲ୍କୁ ଯାଞ୍ଚ କରୁଥିଲା ନା ନାହିଁ? ଯଦି ଯାଞ୍ଚ କରୁଥିଲା ତା ହେଲେ ସିସିଟିଭି ଲଗାଇବା ପାଇଁ ପୁଲିସ ପକ୍ଷରୁ କାହିଁକି ତାଗିଦ୍ କରାଯାଇ ନଥିଲା? ପୁଲିସ ଜାଣତରେ ସେଠାରେ କୌଣସି ଅନୈତକ କାର୍ଯ୍ୟ ଚାଲୁ ନଥିଲା ତ? ନା ପୁଲିସ ଅନୁକମ୍ପାରେ ହୋଟେଲ୍ ଚାଲି ଥିଲା? ହତ୍ୟାକାଣ୍ଡ ପରେ ପରେ ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।