ଶୋଷରେ ଏମ୍‌ସ: ଆବଶ୍ୟକ ୨୫ ଲକ୍ଷ ଲିଟର ପାଣି, ମିଳୁଛି ୧୫

ଭୁବନେଶ୍ବର: ଶୋଷରେ ଏମ୍‌ସ। ୱାଟ୍‌କୋର ପ୍ରଶ୍ନ, ପାଣି ଆଣିବୁ କେଉଁଠୁ? ବର୍ତ୍ତମାନ ଏମ୍‌ସର ଯେଉଁଭଳି ଭାବେ ସଂପ୍ରସାରଣ ହେଉଛି ଓ ପ୍ରତିଦିନ ଯେତେସଂଖ୍ୟକ ରୋଗୀ ଆସୁଛନ୍ତି, ସେଥିପାଇଁ ଡାକ୍ତରଖାନାକୁ ଦୈନିକ ୨୫ଲକ୍ଷ ଲିଟର ପାଣିର ଆବଶ୍ୟକତା ରହିଛି। କିନ୍ତୁ ଚୁକ୍ତିନାମା ଅନୁସାରେ, ୱାଟ୍‌କୋ ପକ୍ଷରୁ ୧୫ ଲକ୍ଷ ଲିଟର ପାଣି ଯୋଗାଯାଉଛି। ଆବଶ୍ୟକ ପଡ଼ିଲେ, ୧୮ରୁ ୨୦ ଲକ୍ଷ ଲିଟର ପର୍ଯ୍ୟନ୍ତ ପାଣି ଦିଆଯାଉଛି। କିନ୍ତୁ ଏହା ଏମ୍‌ସ ଭଳି ଏକ ଜାତୀୟସ୍ତରର ସ୍ବାସ୍ଥ୍ୟାନୁଷ୍ଠାନର ଆବଶ୍ୟକତା ପୂରଣ କରିପାରୁନଥିବା ଅଭିଯୋଗ ହେଉଛି। ଏମ୍‌ସରେ ଏହି ପାଣି ସମସ୍ୟାକୁ ନେଇ ଏବେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି।

ସୂଚନାନୁସାରେ, ଅଭିଭାବକଙ୍କୁ ଛାଡ଼ି ଏମ୍‌ସ ଓପିଡିକୁ ଦୈନିକ ୩ରୁ ସାଢ଼େ ୩ ହଜାର ପର୍ଯ୍ୟନ୍ତ ରୋଗୀ ଆସିଥା’ନ୍ତି। ଏହାସହ ଏଠାରେ ୩୦ ବିଭାଗରେ ୯୭୮ ଶଯ୍ୟା, ୨୦ଟି ଓଟି ଏବଂ ଏମ୍‌ସ କଲେଜ ମଧ୍ୟ ରହିଛି। ଏମ୍‌ସ ପ୍ରତିଷ୍ଠା ହେବା ସମୟରେ ଯେତେ ବିଭାଗ ଏବଂ ସୁବିଧା ଥିଲା, ବର୍ତ୍ତମାନ ସବୁ ସମ୍ପ୍ରସାରିତ ହୋଇସାରିଛି। ଲୋକଙ୍କ ନିର୍ଭରଶୀଳତା ବଢ଼ିବା ସହ ଡାକ୍ତରଖାନାରେ ସବୁବେଳେ ଭିଡ଼ ଲାଗି ରହୁଛି। ମାତ୍ର ଡାକ୍ତରଖାନା ସହ ୱାଟ୍‌କୋର ହୋଇଥିବା ପୁରୁଣା ଚୁକ୍ତିନାମାର ସଂଶୋଧନ ହୋଇ ନଥିବାରୁ ଏବେ ଡାକ୍ତରଖାନା ପାଣି ସଂକଟ ଦେଇ ଗତି କରୁଛି।

ଗତ କିଛି ଦିନ ତଳେ ସ୍ଥିତି ଏଭଳି ହେଲା ଯେ ଆଇସିୟୁ, ଓଟି ଭଳି ଜରୁରୀ ବିଭାଗ ବ୍ୟତୀତ ଏମ୍‌ସର ଅନ୍ୟ ସମସ୍ତ ବିଭାଗର ଏସି ବନ୍ଦ କରିଦିଆଯାଇଥିଲା। ଏହାର କାରଣ ସମ୍ପର୍କରେ ଏମ୍‌ସ ପକ୍ଷରୁ କୁହାଯାଇଥିଲା ଯେ ସେଣ୍ଟ୍ରାଲାଇଜ୍‌ ଏସି ପାଇଁ ଏକ ଫିଲର୍‌ ପ୍ଲାଣ୍ଟ ରହିଥାଏ। ଏଥିପାଇଁ ଯେତେ ପାଣିର ଆବଶ୍ୟକତା ଥାଏ, ତାହା ମିଳି ପାରୁନଥିବାରୁ ଏସି ବନ୍ଦ ହୋଇଯାଇଥିଲା। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଏସି ବନ୍ଦ ଯୋଗୁଁ ଗରମରେ ରୋଗୀଙ୍କଠାରୁ ଆରମ୍ଭ କରି ଡାକ୍ତର, ନର୍ସ, କର୍ମଚାରୀ, ଡାକ୍ତରୀ ବିଦ୍ୟାର୍ଥୀ, ନର୍ସ ବିଦ୍ୟାର୍ଥୀ ବଡ଼ କଲବଲ ହୋଇଥିଲେ। ଅପରପକ୍ଷେ, କିଛି ବିଭାଗରେ ଅନେକ ଗୁରୁତ୍ବପୂର୍ଣ୍ଣ ସରଞ୍ଜାମ ପାଇଁ ମଧ୍ୟ ଏସିର ଆବଶ୍ୟକତା ଥାଏ। ଏସି ବନ୍ଦ ହୋଇଗଲେ, ତାହା ଅଚଳ ହେବାର ଆଶଙ୍କା ରହିଥାଏ।

ଏମ୍‌ସ ଅଧୀକ୍ଷଣ ଯନ୍ତ୍ରୀ ପି.କେ ମିଶ୍ର କହିଛନ୍ତି, ପାଣି ପାଇଁ ଏମ୍‌ସ କେବଳ ରାଜ୍ୟ ସରକାରଙ୍କ ଉପରେ ନିର୍ଭରଶୀଳ। ବର୍ତ୍ତମାନ ତାପମାତ୍ରା ଯେଉଁଭଳି ୪୦ରୁ ୪୨ଡିଗ୍ରି ମଧ୍ୟରେ ରହୁଛି, ପାଣିର ଆବଶ୍ୟକତା ସେହି ଅନୁସାରେ ବଢ଼ୁଛି। ବିଶେଷକରି ଡାକ୍ତରଖାନା ପରିସରରେ ଥିବା ସାର୍ବଜନୀନ ପାଣି ପାଇପ୍‌ରେ ପରିଜନମାନେ ଦୈନିକ ୨ରୁ ୩ଥର ଗାଧୋଉଛନ୍ତି। ବର୍ତ୍ତମାନ ସ୍ଥିତିରେ କାହାକୁ ମନା କରିବା ମଧ୍ୟ ସମ୍ଭବ ନୁହେଁ। ଏଣେ ପାଣି ସଂକଟ ଯୋଗୁଁ କଲେଜ, ନର୍ସିଂ କଲେଜ ପ୍ରଶାସନିକ କାର୍ଯ୍ୟାଳୟକୁ ପାଣି ଯୋଗାଣ ହ୍ରାସ କରିଦିଆଯାଇଛି। କିନ୍ତୁ ଡାକ୍ତରଖାନାକୁ ପାଣି ଯୋଗାଣରେ ସମସ୍ୟା ସୃଷ୍ଟି କରାଯାଇନଥିବା ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି। ତେବେ ବର୍ଷା ଋତୁ ଆସିଲେ, ସବୁ ଠିକ୍‌ ହୋଇଯିବ ବୋଲି ସେ ଆଶାପୋଷଣ କରିଛନ୍ତି। କିନ୍ତୁ ବର୍ତ୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏମ୍‌ସକୁ ୨୫ଲକ୍ଷ ଲିଟର ପର୍ଯ୍ୟନ୍ତ ପାଣି ଯୋଗାଣ କରାଯାଉ ବୋଲି ସେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିବା କହିଛନ୍ତି।

ୱାଟ୍‌କୋ ଅଧିକାରୀ ରାମଚନ୍ଦ୍ର ସାହୁ କହିଛନ୍ତି, ଚୁକ୍ତିନାମା ଅନୁସାରେ ହିଁ ଏମ୍‌ସକୁ ପାଣି ଦିଆଯାଉଛି। ୱାଟ୍‌‌କୋ ନରାଜରୁ ଯେତେ ପାଣି ପାଉଛି, ସେହି ଅନୁଯାୟୀ ପାଣି ଯୋଗାଣ ହେଉଛି। ରାଜଧାନୀର ବଡ଼ ଜନସଂଖ୍ୟାକୁ ମଧ୍ୟ ପାଣି ଯୋଗାଇବା ୱାଟ୍‌କୋର ଦାୟିତ୍ବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର