ଲମ୍ବୁଛି ନକଲି ଡାକ୍ତର ରଙ୍ଗିଲା ରମେଶ ନାଁରେ ଅଭିଯୋଗ: ୧୭ ନମ୍ବର ସ୍ତ୍ରୀଙ୍କ ୩୫ ଲକ୍ଷ ଚଳୁ

ଭୁବନେଶ୍ବର : ନକଲି ଡାକ୍ତର ରଙ୍ଗିଲା ରମେଶ ସ୍ବାଇଁ ନାଁରେ ଅଭିଯୋଗ ଫର୍ଦ୍ଦ ଲମ୍ବିବାରେ ଲାଗିଛି। ପୁଲିସ ତାକୁ ରିମାଣ୍ଡରେ ଆଣି ଖୋଳତାଡ୍‌ କରିବା ଭିତରେ ତା’ ଗୁମର ଯେତିକି ଖୋଲିଛି, ତା’ଠୁ ବହୁ ଅଧିକ ଅଭିଯୋଗ ଆସିବାରେ ଲାଗିଛି। ପ୍ରଥମରୁ ଲୋକଲଜ୍ଜା ଡରରେ ମୁହଁ ଖୋଲୁନଥିବା ସ୍ତ୍ରୀମାନେ ଏବେ ସାମ୍ନାକୁ ଆସିବା ଆରମ୍ଭ କଲେଣି। ପ୍ରଥମେ ଦିଲ୍ଲୀର ଶିକ୍ଷୟିତ୍ରୀ ତଥା ରମେଶର ୭ ନମ୍ବର ସ୍ତ୍ରୀଙ୍କ ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା। ଏବେ କୋଲକାତାର ବଙ୍ଗୀୟ ମହିଳା ତଥା ୧୭ ନମ୍ବର ସ୍ତ୍ରୀ ରମେଶ ବିରୋଧରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ରମେଶ ତାଙ୍କୁ ମିଛ କହି ବିବାହ କରିବା ସହ ତାଙ୍କଠାରୁ ୩୫ ଲକ୍ଷ ଟଙ୍କା ଓ ବହୁ ସୁନାଗହଣା ନେଇଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଲୋକଲଜ୍ଜାକୁ ଭୟ କରି ସେ ମୁହଁ ଖୋଲିବାକୁ ରାଜି ହେଉନଥିଲେ ବି ପରେ ପୁଲିସର ପରାମର୍ଶକ୍ରମେ ଅଭିଯୋଗ କରିଛନ୍ତି। ବଡ଼ କଥା ହେଉଛି, ଏବେ ରମେଶର କ୍ଲିନିକ୍‌ ଓ ଫାର୍ମ ହାଉସ୍‌ ବାବଦରେ ବହୁ ତଥ୍ୟ ପୁଲିସର ହସ୍ତଗତ ହୋଇଛି। ସେହିଭଳି ତା’ ଭିଣୋଇ ଓ ଦ୍ବିତୀୟ ସ୍ତ୍ରୀ ବାବଦରେ ମଧ୍ୟ ବହୁ ଚାଞ୍ଚଲ୍ୟକର ତଥ୍ୟ ମିଳିଲାଣି। ରମେଶର କଳା ସାମ୍ରାଜ୍ୟ ବୃଦ୍ଧି ପଛରେ ଭିଣୋଇ ଓ ଦ୍ବିତୀୟ ପତ୍ନୀଙ୍କ ଭୂମିକାକୁ ନେଇ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି।

କ୍ଲିନିକ୍‌ ଭୂତଳ କୋଠରିରେ ଅପରେସନ
ଢେଙ୍କାନାଳ କାମାକ୍ଷାନଗରସ୍ଥିତ ରମେଶର କ୍ଲିନିକ୍‌ରେ ଏକ ଭୂତଳ ଗୁପ୍ତ କୋଠରି ଥିଲା। ସେହି କୋଠରିରେ ବିଭିନ୍ନ ଅସ୍ତ୍ରୋପଚାର ହେଉଥିଲା ବୋଲି କୁହାଯାଉଛି। ପ୍ରାୟ ୬ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି କୋଠରିକୁ ରମେଶ ସିଡ଼ି ଲଗାଇ ଯିବା ଆସିବା କରୁଥିଲା। ତେଣୁ ପୁଲିସ ସେଠାକୁ ଯାଇ ଛାନଭିନ୍ କଲେ ଅନେକ ଗୁପ୍ତ ରହସ୍ୟ ଖୋଲିପାରିବ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ୧୯୯୦ ମସିହାରେ ରମେଶ ପ୍ରଥମେ ସେଠାରେ ଏକ ଭଡ଼ା ଘରେ କ୍ଲିନିକ୍‌ କରିଥିଲା। ମାଟ୍ରିକ୍‌ ଫେଲ୍‌ ରମେଶକୁ ସ୍ଥାନୀୟ ଲୋକେ କଟକର ବଡ଼ ଡାକ୍ତର ଭାବି ଭିଡ଼ ଜମାଉଥିଲେ। କିଛି ଦିନ ପରେ ସେ ସେଠାରେ ଏକ ଘର କିଣି ସାଇଶ୍ରୀ ଏକ୍ସ-ରେ ନାଁରେ କ୍ଲିନିକ୍ କରିଥିଲା। ପ୍ରଥମ ପତ୍ନୀ ତା’ ସାଙ୍ଗରେ ରହୁଥିଲେ। ପ୍ରାୟ ୨୦ ବର୍ଷ ଧରି ୨୦୧୦ ମସିହା ପର୍ଯ୍ୟନ୍ତ କ୍ଲିନିକ୍ ଚାଲୁଥିଲା। ଅନ୍ୟ ପକ୍ଷରେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଅଭିଯୋଗ କରିଥିଲେ ଯେ ଅସ୍ତ୍ରୋପଚାର ବାହାନାରେ ତାଙ୍କ ସ୍ବାମୀକୁ କଟକ ନେଇ ରମେଶ କିଡ୍‌ନି କାଢ଼ି ନେଇଥିଲା। ଅନ୍ୟ ଜଣେ ଯୁବକ ମଧ୍ୟ ତାଙ୍କ ବାପାଙ୍କର ହାର୍ଣ୍ଣିଆ ଅପରେସନ୍ ନାଁରେ ରମେଶ କିଡ୍‌ନି ଚୋରି କରି ନେଇଥିଲା ବୋଲି ଅଭିଯୋଗ କରିଥିଲେ। ସେହିପରି ଅନ୍ୟ ଜଣେ ମହିଳାଙ୍କୁ ଚିକିତ୍ସା ନାଁରେ ମାରି ଦେଇଥିବା ମଧ୍ୟ ଅଭିଯୋଗ ଆସିଥିଲା। ତେବେ ପୁଲିସ ପାଖରେ ଏହିସବୁ ଅଭିଯୋଗ ପହଞ୍ଚିଲେ, ତଦନ୍ତ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କେହି ଏଭଳି ଅଭିଯୋଗ କରିନାହାନ୍ତି।

କେନ୍ଦ୍ରାପଡ଼ା ଫାର୍ମରୁ ୬ ଚିଆଁ ଫୁଟା ମେସିନ୍‌ ଜବତ
ରମେଶ ଭାରତ ସରକାରଙ୍କ କୃଷି ବିଭାଗର ଅଧିକାରୀ ପରିଚୟ ଦେଇ କୋଲକାତାର ଜଣେ ଉଦ୍ୟୋଗପତିଙ୍କଠାରୁ ୬ଟି କୁକୁଡ଼ା ଚିଆଁ ଫୁଟା ମେସିନ୍‌ ନେଇଆସିଥିଲା। ଓଡ଼ିଶା ପାଇଁ ଏକ ହଜାର ମେସିନ୍‌ ବରାଦ ଦେଇ ସେ ପରୀକ୍ଷା ପାଇଁ ୬ଟି ମେସିନ୍‌ ନେଇ ଆସିଥିଲା। ନକଲି କୃଷି ଅଧିକାରୀକୁ ଚିହ୍ନିନପାରି ବଙ୍ଗୀୟ ବ୍ୟବସାୟୀ ତା’ ଫାସରେ ଫସିଥିଲେ। ମେସିନ୍‌ଗୁଡ଼ିକର ଦାମ୍‌ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି। ତେବେ ଏନେଇ ବ୍ୟବସାୟୀ ଜଣକ ଅଭିଯୋଗ କରିବା ପରେ ପୁଲିସ ଟିମ୍‌ କେନ୍ଦ୍ରାପଡ଼ାସ୍ଥିତ ତା’ର ୩ କୁକୁଡା ଫାର୍ମରେ ଚଢ଼ଉ କରି ସେଠାରୁ ୬ଟି ମେସିନ୍‌କୁ ଜବତ କରିଛି।

ବନ୍ଧା ହେବେ କି ଭିଣୋଇ, ଦ୍ବିତୀୟ ପତ୍ନୀ?
ଠକ ରମେଶର କାଣ୍ଡକାରଖାନାରେ ତା’ ପରିବାରର ବହୁ ସଦସ୍ୟ ସାମିଲ୍‌ ଥିବା ପୁଲିସ ସନ୍ଦେହ କରୁଛି। ଭଉଣୀ ରଶ୍ମିତାର ସମ୍ପୃକ୍ତି ନେଇ ପ୍ରମାଣ ମିଳିବା ପରେ ତାକୁ ଗିରଫ କରାଯାଇଛି। ଏବେ ଦ୍ବିତୀୟ ପତ୍ନୀ ଓ ଭିଣୋଇଙ୍କ ସମ୍ପୃକ୍ତି ଜଣାପଡ଼ିବା ପରେ ଉଭୟଙ୍କୁ ଜେରା ପାଇଁ ପୁଲିସ ଡ଼କାଇଛି। ଯଦି ସେମାନେ ହାଜର ହୋଇ ନିଜ ପକ୍ଷ ନ ରଖନ୍ତି, ଖୁବ୍‌ ଶୀଘ୍ର ପୁଲିସ ସ୍ବତନ୍ତ୍ର ଟିମ୍‌ ସେମାନଙ୍କୁ ଗିରଫ କରିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ଜେରକ୍ସ ମେସିନ୍‌ରେ ଚାଲିଥିଲା ଏକ୍ସ-ରେ!
କାମାକ୍ଷାନଗର କ୍ଲିନିକ୍‌ରେ ଏକ ଅଜବ କଥା ହେଉଥିଲା ବୋଲି ଜଣାପଡ଼ିଛି। ଜେରକ୍ସ ମେସିନ୍‌ ବସାଇ ତାହା ଏକ୍‌ସ-ରେ ମେସିନ୍‌ ବୋଲି ସେ ରୋଗୀଙ୍କୁ କହୁଥିଲା। ଆଦିବାସୀବହୁଳ ଅଞ୍ଚଳର ନିରୀହ ଲୋକଙ୍କୁ ସେ ଏମିତି ଭୂଆଁ ବୁଲାଇ ସେମାନଙ୍କୁ ଶୋଷଣ କରୁଥିଲା। ସେଠାରୁ ପୁଲିସ ଏକ ରେଜିଷ୍ଟର ପାଇଛି ଯେଉଁଥିରେ ରୋଗୀଙ୍କ ନାଁ, ଠିକଣା ଆଦି ଉଲ୍ଲେଖ କରାଯାଉଥିଲା।

କୁଆଡେ ଗଲା ଭୁବନେଶ୍ବର କ୍ଲିନିକ୍‌?
୨୦୧୫ ମସିହାରେ ସହିଦନଗର ଅଞ୍ଚଳରେ ରମେଶ ଏକ କ୍ଲିନିକ୍‌ ଚଳାଉଥିଲା। ମଧୁମେହ ବିଶେଷଜ୍ଞଙ୍କୁ ନେଇ ସେ ପାଖାପାଖି ୪ବର୍ଷ କ୍ଲିନିକ୍‌ ଚଳାଇଥିଲା। ତେବେ ୨୦୧୯ରେ ହଠାତ୍‌ କ୍ଲିନିକ୍‌ ବନ୍ଦ ହୋଇଥିଲା। ତେବେ କ୍ଲିନିକ୍‌ ଆପେ ଆପେ ବନ୍ଦ ହୋଇଥିଲା କି ଏହାକୁ ସିଲ୍‌ କରାଯାଇଥିଲା, ତାହା ଜଣାପଡ଼ିନାହିଁ। ଏନେଇ ପୁଲିସର ସ୍ବତନ୍ତ୍ର ଟିମ୍‌ ତଦନ୍ତ ଆରମ୍ଭ କରିଛି।

ଭିଡିଓ କନ୍‌ଫରେନ୍‌ସିଂରେ ଭାଇ, ଭଉଣୀ ଓ ଭାଉଜମାନଙ୍କୁ ଯୋଡ଼ିଲା ପୁଲିସ
ମିଛ ସମ୍ପର୍କର ଗୁମର ଖୋଲିବା ପାଇଁ ପୁଲିସ ତା’ର କିଛି ସ୍ତ୍ରୀଙ୍କ ସହ ତା’ ଭଉଣୀ ରଶ୍ମିତା ବେଉରା ଓ ତାକୁ ଭିଡିଓ କନ୍‌ଫରେନ୍‌ସିଂରେ ଯୋଡ଼ିଥିଲା। ଭାଇ ଓ ଭଉଣୀଙ୍କୁ ମୁହାଁମୁହିଁ ଜେରା କରିବା ସମୟରେ ପୁଲିସ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଏକାଧିକ ସ୍ତ୍ରୀଙ୍କୁ ଯୋଡ଼ିଥିଲା। ସେମାନେ ରମେଶ ଓ ତା’ ଭଉଣୀଙ୍କୁ ଚିହ୍ନିଥିଲେ। ଉଭୟେ କିଭଳି ସେମାନଙ୍କୁ ମିଛ କହି ପାଲରେ ପକାଇ ଚୂନ ଲଗାଇଥିଲେ, ସବୁ ବର୍ଣ୍ଣନା କରିଥିଲେ। ଭଉଣୀ କିଭଳି ନଣନ୍ଦ ପୁଟୁଳି ପାଇଁ ସବୁ ବାହାଘରରେ ହାଜର ହେଉଥିଲେ ଓ ନଣନ୍ଦ ପୁଟୁଳି ବାବଦକୁ ମୋଟା ରକମର ଟଙ୍କା ସହ ସୁନାଗହଣା ନେଉଥିଲା, ସେସବୁ ବାବଦରେ କହିଥିଲେ। ଭଉଣୀ ରଶ୍ମିତା ବେଉରା ସବୁ ନଣନ୍ଦ ପୁଟୁଳି ନେଇଛନ୍ତି ଓ ଜଣେ ସ୍ତ୍ରୀ ତାକୁ ସୁନା ଓ ହୀରା ମୁଦି ଦେଇଥିବା କହିଥିଲେ।

ଫାର୍ମ ହାଉସ୍‌ରେ ୩ ଏକର ଗୋଚର ଜମି
ଖୁଣ୍ଟୁଣିସ୍ଥିତ ରମେଶର ଫାର୍ମ ହାଉସ୍‌ରୁ ବହୁ ଠକେଇ କଥା ପଦାକୁ ଆସିଛି। ୬ ବର୍ଷ ତଳୁ ପାଖାପାଖି ୨୦ ଏକର ଜାଗାରେ କରାଯାଇଥିବା ଫାର୍ମ ହାଉସ୍‌କୁ ତା’ ଶ୍ବଶୁର ତଦାରଖ କରୁଥିଲେ। ଫାର୍ମ ହାଉସ୍‌ ଚାରିପଟେ ବିଶାଳ ପାଚେରି ବୁଲିଛି। ଏହା ଭିତରେ ସେ ୩ ଏକର ଗୋଚର ଜମି ମାଡ଼ି ବସିଛି। ଭିତରେ ଦୁଇ ଦୁଇଟି ‌ପୋଖରୀ ରହିଛି। ଆମ୍ବ, ପଣସ, କଦଳୀ, ନଡ଼ିଆ, ସଜନା ସମେତ ବହୁ ଔଷଧୀୟ ବୃକ୍ଷ ରହିଛି। ନିର୍ମାଣାଧୀନ ଏକ ମହଲା କୋଠା ରହିଛି। ଜଣେ ଆନ୍ଧ୍ର ବ୍ୟବସାୟୀଙ୍କଠାରୁ ଆଣିଥିବା ସାଢ଼େ ୪ଲକ୍ଷ ଟଙ୍କାର ଚାରା ଲଗାଯାଇଛି। କିନ୍ତୁ ଚାରା ବ୍ୟବସାୟୀଙ୍କୁ ପଇସାଟିଏ ଦେଇନାହିଁ। ସେମିତି ସେଠାରେ କାମ କରୁଥିବା ଶ୍ରମିକମାନେ ମଧ୍ୟ ମଜୁରି ପାଇନାହାନ୍ତି।

ସମ୍ବନ୍ଧିତ ଖବର