ଖତ ଖାଉଛି ଅଙ୍ଗନବାଡ଼ି କୋଠା, ଦିଦିଙ୍କ ଘରେ ପଢ଼ୁଛନ୍ତି ପିଲା

ଖଣ୍ଡଗିରି: ୪ ଲକ୍ଷ ଟଙ୍କାରେ ନିର୍ମାଣ ହେଲା ଅଙ୍ଗନବାଡ଼ି କେନ୍ଦ୍ର। ମାତ୍ର ସେଠି ପାଠ ନ ପଢ଼ି ଦୁଇ ବର୍ଷ ହେଲା ଅଙ୍ଗନବାଡ଼ି କର୍ମୀଙ୍କ ଘରେ ପାଠ ପଢୁଛନ୍ତି ପଣ୍ଡାକୁଦିଆ ଜଗନ୍ନାଥ ସାହି ବସ୍ତିର ପିଲା। ନୂଆ କୋଠା ଖତ ଖାଉଛି। ପ୍ରଶାସନିକ ଅପରାଗତା ନା ସ୍ଥାନୀୟ ଅସାମାଜିକ ବ୍ୟକ୍ତିଙ୍କ ଦାଦାଗିରି, କାହା ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହେଉଛି, ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିଯୋଗୁଁ ପିଲାମାନେ ହିଁ କ୍ଷତିଗ୍ରସ୍ତ ହେଉଛନ୍ତି।
ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗ ଅନୁଯାୟୀ ୨୦୧୯ ମସିହାର ରାଜଧାନୀରେ ବିଶ୍ବକପ ହକିର ଆୟୋଜନ କରାଯାଇଥିଲା। ଏଥିପାଇଁ ୨୦୧୮ ମସିହା ବେଳକୁ ଜୟଦେବବିହାର କଳିଙ୍ଗ ଷ୍ଟାଡିୟମ ନିକଟସ୍ଥ ବସ୍ତିର ୩୦୦ ପରିବାରକୁ ବିସ୍ଥାପିତ କରାଯାଇ ପଣ୍ଡାକୁଦିଆକୁ ସ୍ଥାନାନ୍ତର କରାଯାଇଥିଲା।

ସେମାନଙ୍କ ପାଇଁ ଜଗନ୍ନାଥ ସାହି ବସ୍ତିର ନିର୍ମାଣ ହେଲା। ସେତେବେଳେ ବିସ୍ଥାପିତ ହୋଇଥିବା ୩୦୦ ପରିବାରଙ୍କ ମଧ୍ୟରୁ ପ୍ରାୟ ୫୦ରୁ ଅଧିକ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବାକୁ ଥିବା ଯୋଗ୍ୟ ପିଲା ଥିଲେ। ଏଥିପାଇଁ ସରକାରଙ୍କ ପକ୍ଷରୁ ୨୦୨୦ ମସିହାରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହେଲା। ଆଶା ଥିଲା, ରାଜଧାନୀର ଅନ୍ୟ ପିଲାଙ୍କ ଭଳି ଏମାନେ ମଧ୍ୟ ସୁରକ୍ଷିତ ପରିବେଶରେ କ୍ଲାସରେ ପାଠ ପଢ଼ିବେ। ସେମାନଙ୍କର ମଧ୍ୟ ବୌଦ୍ଧିକ ବିକାଶ ହେବ। ମାତ୍ର ୨୦୨୧ ମସିହାରେ କରୋନା ସ୍ଥିତି ସ୍ବାଭାବିକ ହେବା ପରେ ରାଜ୍ୟରେ ସବୁ ଅଙ୍ଗନବାଡ଼ି କେନ୍ଦ୍ର ସ୍ବାଭାବିକ ହୋଇପଡ଼ିଲା। କିନ୍ତୁ ଏହି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଲା ନାହିଁ। ପ୍ରାୟ ୨୫ରୁ ୩୦ ପିଲା ପଢ଼ିବା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ଘରକୁ ଗଲେ। ଏହାର କାରଣ ସମ୍ପର୍କରେ ସ୍ଥାନୀୟ ଅଧିବାସୀ କୁହନ୍ତି, ଯେଉଁ ପିଲାଙ୍କ ପାଇଁ ଏହି କେନ୍ଦ୍ର ନିର୍ମାଣ ହୋଇଛି ପୂର୍ବରୁ ଏହା ଭୁବନେଶ୍ବର-୨ ସିଡିପିଓଙ୍କ ଅନ୍ତର୍ଗତରେ ଆସୁଥିଲେ। ଏହି ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ଛତୁଆ, ଅଣ୍ଡା ଦିଆଯାଏ।

ବର୍ତ୍ତମାନ ଯେଉଁ ଅଞ୍ଚଳରେ ତାଙ୍କୁ ଥଇଥାନ କରାଯାଇଛି, ଏହା ଭୁବନେଶ୍ବର-୩ ସିଡିପିଓ ଅନ୍ତର୍ଗତରେ ଆସୁଛି। କାଗଜପତ୍ରରେ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାନାନ୍ତରଣ ହୋଇ ନଥିବାରୁ ପିଲାଙ୍କ ପାଇଁ ଏହି କେନ୍ଦ୍ର ଖୋଲା ଯାଇନଥିବା ସ୍ଥାନୀୟ ଅଧିବାସୀ ମତ ଦେଉଛନ୍ତି। ମାତ୍ର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ସ୍ଥାନୀୟ ଅଞ୍ଚଳବାସୀ ହିଁ ଏହି ଅଙ୍ଗନବାଡ଼ି କେନ୍ଦ୍ରଟି ଦୂରରେ ରହିଯାଇଥିବା କହି ନିଜ ପିଲାଙ୍କୁ ପଠାଉ ନାହାନ୍ତି। ସ୍ଥାନୀୟ ଅଞ୍ଚଳର କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ପ୍ରରୋଚନାରେ ପଡ଼ି ଅଭିଭାବକମାନେ ଏଭଳି କରୁଛନ୍ତି। ଏହି କେନ୍ଦ୍ରଟି ବର୍ତ୍ତମାନ ଜବରଦଖଲରେ ରହିଥିବା କୁହାଯାଉଛି। ପ୍ରଶାସନ ପକ୍ଷରୁ ଏହି ସମସ୍ୟାର ସମାଧାନ କରାଯାଇ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ସ୍ଥାନାନ୍ତର କରାଯିବା ଲାଗି ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର