ପବ୍‌ ଭିତରେ ଦୁଇ ଗ୍ରାହକଙ୍କୁ ହାଣିବା ଘଟଣା : ବାଉନ୍‌ସରଙ୍କୁ ଖୋଜୁଛି ପୁଲିସ

ଭୁବନେଶ୍ବର : ଶନିବାର ବିଳମ୍ବିତ ରାତିରେ ଏକ ପବ୍‌ରେ ଦୁଇ ଗ୍ରାହକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇ ରହିଛି। ତେବେ ଖାରବେଳନଗର ଅଞ୍ଚଳରେ ଥିବା ମ୍ୟାଡ୍‌ ମୁଲ୍‌ ଦ ବ୍ରିଉ କ୍ଲବ୍‌ର ଅଭିଯୁକ୍ତ ବାଉନ୍‌ସରମାନେ ଫେରାର ହୋଇ ଯାଇଛନ୍ତି। ଖାରବେଳନଗର ଥାନା ପୁଲିସ ଆଜି ବିଭିନ୍ନ ଜାଗାରେ ଚଢ଼ଉ କରିଥିଲେ ମଧ୍ୟ ସେମାନଙ୍କ ଟେର୍ ପାଇ ନାହିଁ। ବାଉନ୍‌ସରମାନଙ୍କୁ ଆଣି ଥାନାରେ ହାଜର କରିବା ପାଇଁ ପୁଲିସ ପବ୍‌ ମାଲିକକୁ ନୋଟିସ କରିଛି। ଅନ୍ୟପଟେ ଏହି ମାମଲରେ ଆହତ ଦୁଇ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଉଭୟଙ୍କର ବେକରେ ଗଭୀର ଆଘାତ ଲାଗିଛି। ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ଆହତଙ୍କ ବାପା ମହେନ୍ଦ୍ର ପ୍ରସାଦଙ୍କ ଅଭିଯୋଗକୁ ଆଧାର କରି ଖାରବେଳ ନଗର ଥାନା ପୁଲିସ ଏକ ମାମଲା ରୁଜୁ କରିଛି।

ଅଭିଯୋଗ ମୁତାବକ, ମହେନ୍ଦ୍ରଙ୍କ ପୁଅ ଆର୍ଯ୍ୟ ବେଦାନ୍ତ ଓ ତାଙ୍କ ସାଙ୍ଗ ଶୁଭାଶିଷ ଗତ ରାତିରେ ଏହି ପବ୍‌କୁ ଯାଇଥିଲେ। ପବ୍‌ ଭିତରେ ମଦ୍ୟପାନ ଓ ନାଚକୁ ନେଇ ସେଠାରେ ବାଉନ୍‌ସରଙ୍କ ସହ ଉଭୟଙ୍କର ବଚସା ହୋଇଥିଲା। ବାଉନ୍‌ସରମାନେ ଉଭୟଙ୍କୁ ହତ୍ୟା ଧମକ ଦେଇଥିଲେ। ବଚସା ଉଗ୍ର ରୂପ ନେବା ପରେ ୨ ଯୁବକ ଓ ବାଉନ୍‌ସର ବାହାରକୁ ଆସି ଯାଇଥିଲେ। ବାହାରେ ବାଉନସରମାନେ ଆଉ୫ ଜଣଙ୍କୁ ଡାକି ଅ‌ାଣି ଉଭୟଙ୍କୁ ଛୁରି ଓ ଭୁଜାଲି‌ରେ ଗୋଡ଼ାଇ ଗୋଡ଼ାଇ ହାଣି ପକାଇଥିଲେ। ଏଥିରେ ଶୁଭାଶିଷ ଓ ଆର୍ଯ୍ୟଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ଖାରବେଳ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଅଭିଯୁକ୍ତଙ୍କୁ ମେଡିକାଲ ନେଇଥିଲା। ଉଲ୍ଲେଖନୀୟ ଏହି ଲକ୍‌ଡାଉନ୍‌ ସମୟରେ ଏହି ପବ୍‌ ଉପରେ ପୁଲିସ ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର