ବିଡିଏ ପ୍ରସ୍ତୁତ କରିବ ସିଡିପି-୨୦୨୦, ସାମିଲ ହେବେ ୫୬୮ଗାଁ

ଭୁବନେଶ୍ବର: ରାଜଧାନୀକୁ ଯୋଜନାବଦ୍ଧ ଭାବେ ସମ୍ପ୍ରସାରଣ କରିବା ପାଇଁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ସିଡିପି (‌କମ୍ପ୍ରେହେନସିଭ୍ ଡେଭଲପମେଣ୍ଟ ପ୍ଲାନ୍) ପ୍ରସ୍ତୁତ ହେବ। ୨୦୩୦ର ଭୁବନେଶ୍ବର ସ୍ଥିତିକୁ ଆଖି ଆଗରେ ରଖି ବିଡିଏ ଏହି ଯୋଜନା କରିଛି। ଏଥିପାଇଁ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲୋକାଲ୍‌ ସେଲ୍ଫ ଗଭର୍ଣ୍ଣମେଣ୍ଟ ସଂସ୍ଥାକୁ ଚୟନ କରାଯାଇଛି। ୨ ବର୍ଷ ମଧ୍ୟରେ ଏହି ସଂସ୍ଥା ସିଡିପି ପ୍ରସ୍ତୁତ କରିବାକୁ ଚୁକ୍ତି ହୋଇଛି। ଶେଷ ଥର ପାଇଁ ୨୦୧୦ ମସିହାରେ ସିଡିପି ପ୍ରସ୍ତୁତ ହୋଇଥିଲା।

୨୦୧୧ ମସିହାରେ ୩୬୩ଟି ଗ୍ରାମ ବିଡିଏ ସୀମାଭୁକ୍ତ ହୋଇଥିଲା। ଏଣୁ ୨୦୨୦ ମସିହାରେ ସିଡିପି ପ୍ରସ୍ତୁତ କରିବାକୁ ବିଡିଏ ଯୋଜନା କରିଥିଲା। କିନ୍ତୁ କରୋନା ଓ ଅନ୍ୟାନ୍ୟ କାରଣରୁ ଏହା ସ୍ଥଗିତ ରହିଥିଲା। ନୂଆ ସିଡିପିରେ ଜମି, ନିର୍ମାଣାଧୀନ ପ୍ରକଳ୍ପ, ଘର, ଜଳାଶୟ, ଶିକ୍ଷାନୁଷ୍ଠାନ ଆଦିକୁ ଜିପିଏସ୍‌ ଟ୍ୟାଗିଂ କରାଯିବ। ସମ୍ପୃକ୍ତ ଠିକାସଂସ୍ଥା ସାଟେଲାଇଟ୍ ଇମେଜ୍ ବ୍ୟବହାର କରି ଡିଜିଟାଲ ରାଜସ୍ବ ମ୍ୟାପ୍‌ ପ୍ରସ୍ତୁତ କରିବ। ସିଡିପି-୨୦୧୦ରେ ଯେଉଁ ଅଞ୍ଚଳରେ ଯେତେ ରାସ୍ତା ଛଡ଼ା ଯାଇଥିଲା ସେଗୁଡ଼ିକର ସ୍ଥିତି ଅନୁଧ୍ୟାନ କରାଯିବ। ଯଦି ଏହାର ଆବଶ୍ୟକ ନଥିବ ତେବେ ଏହାକୁ ନୂଆ ସିଡିପିରୁ ବାଦ୍‌ ଦିଆଯିବ।

ସିଡିପି ପ୍ରସ୍ତୁତ ହେବା ପରେ ଏହା ଉପରେ ଲୋକଙ୍କ ପ୍ରସ୍ତାବ ଓ ଅଭିଯୋଗ ଆହ୍ବାନ କରାଯିବ। ଏହା ପରେ ସରକାରଙ୍କ ଅନୁମୋଦନ ଲୋଡ଼ାଯିବ।
ସେହିଭଳି ଅମୃତ ଉପଯୋଜନା ଅଧୀନରେ ଲୋକାଲ୍‌ ଏରିଆ ପ୍ଲାନ୍‌(ଏଲ୍‌ଏପି) ଓ ଟିପି ସ୍କିମ୍‌ ପ୍ରସ୍ତୁତ ହେବାକୁ ଯାଉଛି। ପାଇଲଟ୍‌ ପ୍ରକଳ୍ପ ଭାବରେ ପୁରୁଣା ଭୁବନେଶ୍ବରର ଐତିହ୍ୟ ଅଞ୍ଚଳକୁ ଏଥିରେ ସାମିଲ କରାଯାଇଛି। ଟିପି ସ୍କିମ୍‌ରେ ବଡ଼ଗଡ଼ ଓ ବାଙ୍କୁଆଳ ମୌଜାକୁ ପାଇଲଟ୍‌ ପ୍ରକଳ୍ପ ଭାବରେ ନିଆଯାଇଛି। ଏଥିରେ ମୋଟ ୩୩୮ ହେକ୍ଟର ଜମି ରହିଛି। କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ଏହାକୁ ମୋହର ମାରି ସାରିଛି। ଏଣୁ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର