ବନ୍ଧୁକ ଦେଖାଇ ବାଇକ୍‌ ଓ ମୋବାଇଲ ଛଡ଼ାଇନେଲେ

ବାଲିଅନ୍ତା : ଭୁବନେଶ୍ବର–କଟକ ବାଇପାସ୍‌ ଜାତୀୟ ରାଜପଥର ଲିଙ୍ଗିପୁର ଟ୍ରାଫିକ୍‌ ପୋଷ୍ଟ ନିକଟରେ ଦୁଇଜଣ ଦୁର୍ବୃତ୍ତ ଜଣେ ବାଇକ ଆରୋହୀଙ୍କୁ ବନ୍ଧୁକ ଦେଖାଇ ବାଇକ୍‌ ଓ ଦୁଇଟି ମୋବାଇଲ ଫୋନ୍‌ ଲୁଟି ନେଇଛନ୍ତି। ଲୁଟର ଶିକାର ବାଇକ୍‌ ଆରୋହୀ ହେଲେ ନିମାପଡ଼ା ଥାନା ଅଧୀନ ଦେଉଳିଆଖଣ୍ଡ ଗ୍ରାମର ଶଶିକାନ୍ତ ପରିଡ଼ା (୨୬)। ଶଶିକାନ୍ତ ‌ଧଉଳି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଛାନଭିନ କରିଥିଲେ ମଧ୍ୟ ଲୁଟେରାଙ୍କ ପତ୍ତା ପାଇନାହିଁ। ଅଭିଯୋଗ ମୁତାବକ ଶଶିକାନ୍ତଙ୍କର ଖଣ୍ଡଗିରି ଥାନା ପାତ୍ରପଡ଼ାରେ ଏକ ହାର୍ଡୱେର ଦୋକାନ ଅଛି। ଆଜି ସଂଧ୍ୟାରେ ସେ ଅନ୍ୟ ଜଣେ ଯୁବକଙ୍କ ସହିତ ବାଇକ୍‌ରେ କଟକ ଯାଉଥିଲେ। ପଛରୁ ଦୁଇଜଣ ଯୁବକ ବାଇକ୍‌ରେ ଆସି ତାଙ୍କୁ ଅଟକାଇଥିଲେ। ଶଶିକାନ୍ତ ବାଇକ୍‌ ଅଟକାଇବା କ୍ଷଣି ଜଣେ ଯୁବକ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବାଇକ୍‌ ଓ ଦୁଇଟି ମୋବାଇଲ ଛଡ଼ା‌ଇ ନେଇ କଟକ ଅଭିମୁଖେ ପଳାଇଥିଲା। ଋଣଟଙ୍କା ଖିଲାପ କରିବାରୁ ଫାଇନାନ୍ସ କର୍ମଚାରୀମାନେ ଶଶିକାନ୍ତଙ୍କୁ ମାଡ଼ମାରି ଏଭଳି କରିଛନ୍ତି କିମ୍ବା ପ୍ରକୃତରେ ଲୁଟ୍‌ ହୋଇଛି ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର