ତୁଟିଲା‌ନି ଭୁଆସୁଣି ଅଳିଆ ବିବାଦ: ଫେଲ୍‌ ମାରିଲେ ଭୁବନେଶ୍ବର ମେୟର, କମିସନର

ଭୁବନେଶ୍ବର/ବାରଙ୍ଗ: ବିଏମ୍‌ସିର ସବୁ ଚେଷ୍ଟା ପରେ ବି ତୁଟୁନୁ ଭୁଆସୁଣି ଅଳିଆ ବିବାଦ। ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ଡମ୍ପିଂୟାର୍ଡରେ ଅଳିଆ ପକାଇବା ପାଇଁ ଗାଡ଼ି ଛାଡ଼ିବାକୁ ଆଜି ମେୟର୍‌ ଓ କମିସନର୍‌ ମିଳିତ ଭାବେ ଚେଷ୍ଟା କରିଥିଲେ ହେଁ ତାହା ଫେଲ୍‌ ମାରି ଯାଇଛି। ବିଧାୟକ ସୁର ରାଉତରାୟ ଓ ସରପଞ୍ଚ ତପନ ଚକ୍ରବର୍ତ୍ତୀଙ୍କ ସମେତ ୫୦ରୁ ଊର୍ଧ୍ବ ଗ୍ରାମବାସୀ ଏହି ବୈଠକରେ ଯୋଗ ଦେଇଥିଲେ ହେଁ ସେମାନେ ବିଏମ୍‌ସିକୁ ପ୍ରବଳ ବିରୋଧ କରିଥିଲେ। ମେୟର୍‌ ଓ କମିସନର୍‌ଙ୍କ କୌଣସି କଥାକୁ ସେମାନେ ଶୁଣିବା ସ୍ଥିତିରେ ନଥିଲେ।

ଏକା ଜିଦ୍‌, ବାୟୋମାଇନିଂ କରି ତୁରନ୍ତ ଆବର୍ଜନା ସଫା କର। ବୈଠକରେ କିଛି ନିଷ୍କର୍ସ ବାହାରି ନପାରିବାରୁ, ଗ୍ରାମସଭା ଜରିଆରେ ନିଷ୍ପତ୍ତି ନିଆଯିବ ବୋଲି କହି ଗ୍ରାମବାସୀମାନେ ଚାଲି ଯାଇଥିଲେ।

ଦାରୁଠେଙ୍ଗ ଜାଗୃତି ମହିଳା ସମିତି ଗୃହରେ ହୋଇଥିବା ଏହି ବୈଠକରେ ପୁଲିସ ଡିସିପି ପ୍ରତୀକ ସିଂହଙ୍କ ସହ ଆଲୋଚନା ପାଇଁ ପହଞ୍ଚିଥିଲେ ମଧ୍ୟ ପ୍ରବଳ ବିରୋଧର ଶିକାର ହୋଇଥିଲେ। ମେୟର କହିଥିଲେ, ପୁରୁଣା କଥାକୁ ଭୁଲି ଆମକୁ ସହଯୋଗ କରନ୍ତୁ। ବାୟୋ ମାଇନିଂ ପ୍ରକ୍ରିୟା ଦ୍ୱାରା ଆବର୍ଜନା ଖତ ହୋଇଯିବ। ଏଠାରେ ଏକ ସୁନ୍ଦର ପାର୍କ ହେବ। ବହୁତ ଆବର୍ଜନା ଆମେ ଏମ୍‌ସିସି ଜରିଆରେ ପରିଚାଳନା କରୁଛୁ। ଏଠାକୁ କମ୍‌ ଆବର୍ଜନା ଆସିବ। ଗୋଟିଏ ପଟେ ବହୁ ପରିମାଣର ଆବର୍ଜନା ବାୟୋମାଇନିଂ ହେବ, କିନ୍ତୁ କମ୍‌ ପରିମାଣର ଆବର୍ଜନା ଆସିବ। ଏଣୁ ଗ୍ରାମବାସୀ ସହଯୋଗ କରନ୍ତୁ। ସେହିଭଳି କମିସନର ମଧ୍ୟ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ। ହେଲେ କେହି ଶୁଣିବାକୁ ପ୍ରସ୍ତୁତ ନଥିଲେ।

ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତର ୧୫ ୱାର୍ଡ ମେମ୍ବର ସହ ପୂର୍ବତନ ସମିତି ସଭ୍ୟ ଅକ୍ଷୟ କୁମାର ପାହାଡ଼ସିଂହ, ତପନ ବଳିୟାରସିଂହ, ଆଇନଜୀବୀ ଧନୁର୍ଧର ସୁନ୍ଦରାୟ, ପ୍ରଦୀପ ବଳିୟାରସିଂହ, ଦିଲ୍ଲୀପ ପ୍ରଧାନ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ରାଉତରାୟ, ସଂଗ୍ରାମ ପ୍ରଧାନ ପ୍ରମୁଖ ଆଲୋଚନାରେ ଉପସ୍ଥିତ ଥିଲେ। ଅତିରିକ୍ତ ଡିସିପି ରମେଶ ଚନ୍ଦ୍ର ବିଶୋଇ, ଚନ୍ଦକା ଆଇଆଇସି ସୁରେନ୍ଦ୍ର ବଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର