ସଂଗ୍ରହ ହେବ ରାଜଧାନୀବାସୀଙ୍କ ଭ୍ରମଣ ତଥ୍ୟ, ଘରକୁ ଘର ବୁଲି ସଂଗ୍ରହ କରିବେ ଅଙ୍ଗନୱାଡ଼ି କର୍ମୀ

ଏସ୍‌ଓପି ନେଇ ବିଏମ୍‌ସିର ଚଢ଼ଉ ଜୋରଦାର୍

ଭୁବନେଶ୍ବର: ବିଏମ୍‌ସି ଅଞ୍ଚଳରେ ‌କେଉଁ ଘରର ବାସିନ୍ଦା ନିକଟରେ କେଉଁଠିକୁ ବୁଲିବାକୁ ବା କୌଣସି କାର୍ଯ୍ୟରେ ଯାଇଛନ୍ତି କି ନାହିଁ, ତା’ର ତାଲିକା ପ୍ରସ୍ତୁତ ହେବ। କିଏ ବିଦେଶ ଯାଇଥିଲେ କି ବାହାର ରାଜ୍ୟକୁ ଯାଇଥିଲେ, କେଉଁଥିରେ ଯାଇଥିଲେ, କାହିଁକି ଯାଇଥିଲେ, କେବେ ଯାଇଥିଲେ ଓ କେବେ ଫେରିଲେ, ଫେରିବା ପରେ କୁଆଡ଼େ ଯାଇଛନ୍ତି, କ’ଣ କରିଛନ୍ତି ତା’ର ତାଲିକା ସଂଗ୍ରହ ହେବ। ଅଙ୍ଗନୱାଡି କର୍ମୀ ଓ ବିଭିନ୍ନ ସ୍କୁଲର ଶିକ୍ଷକମାନେ ଏହି କାମ କରିବେ। ବିଏମ୍‌ସି ପାଖରେ ରାଜଧାନୀବାସୀଙ୍କର ଯାତାୟାତର ଡାଟାବେସ୍‌ ରହିବ ବୋଲି ନି‌ଷ୍ପତ୍ତି ହୋଇଛି। ବିଏମ୍‌ସି ଅଞ୍ଚଳରେ ଥିବା ୩୭୪ଟି ଅଙ୍ଗନୱାଡି କେନ୍ଦ୍ରର କର୍ମଚାରୀମାନେ ଏଥିରେ ନିୟୋଜିତ ହେବେ ବୋଲି ଜଣାପଡ଼ିଛି। ଏହି ସର୍ଭେ ନେଇ ଆଜି ବିଏମ୍‌ସି ରାଜଧାନୀର ତିନିଜଣ ସିଡିପିଓ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଛି।

ଅପରପକ୍ଷେ ବିଏମ୍‌ସି ଜାରି କରିଥିବା ଏସ୍‌ଓପିକୁ ହୋଟେଲ, ସପିଂ ମଲ୍‌, କଲ୍ୟାଣମଣ୍ଡପ, ତାରକା ହୋଟେଲ, ରେସ୍ତୋରାଁ, ବାର୍‌, କର୍ପୋରେଟ୍ ଅଫିସଗୁଡ଼ିକରେ ଚଢ଼ଉ କରିଛି। ବିଏମ୍‌ସିର ଅତିରିକ୍ତ କମିସନର୍‌ ଅବନୀ ପଟ୍ଟନାୟକ, ଡେପୁଟି କମିସନର୍‌ କମଲଜିତ୍‌ ଦାସଙ୍କ ନେତୃତ୍ବରେ ତିନିଟି ଜୋନ୍‌ର ଜୋନାଲ ଡେପୁଟି କମିସନର୍‌ମାନେ ବିଡିଏ ଓ କମିସନରେଟ୍ ପୁଲିସ ସହଯୋଗରେ ଏହି ଚଢ଼ଉ କରିଛନ୍ତି। ଆଜି ବିଏମ୍‌ସି ପକ୍ଷରୁ ୧୪ଟି ହୋଟେଲ, ୧୭ଟି ସପିଂ ମଲ୍‌, ମାର୍କେଟ୍ କମ୍ପ୍ଲେକ୍ସ, ୨ଟି ରେସ୍ତୋରାଁ, ୧୦ଟି କର୍ପୋରେଟ୍ ଅଫିସ୍‌ରେ ଚଢ଼ଉ ହୋଇଥିଲା। କେତେକ ସ୍ଥାନରେ ଅନୁଷ୍ଠାନଗୁଡ଼ିକ ଏସ୍‌ଓପି କାର୍ଯ୍ୟକାରୀ କରିଥିବା ବେଳେ କିଛି ସ୍ଥାନରେ କରିନଥିଲେ। ସମସ୍ତଙ୍କୁ ଏସ୍‌ଓପି କଡ଼ାକଡ଼ି ଲାଗୁ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର