ବିଏମ୍‌ସିର ସହରୀ ବନ୍ୟା ସମୀକ୍ଷା: ବର୍ଷା ପୂର୍ବରୁ ଡ୍ରେନ କାମ ସାର

ଭୁବନେଶ୍ୱର: ପ୍ରତି ବର୍ଷ ସମୀକ୍ଷା ହେଉଛି। ଯୋଜନା ବି ହେଉଛି। ଯୋଜନା କାର୍ଯ୍ୟକାରୀ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ କିଛି କାମ ଦେଉନି। ବର୍ଷା ହେଲେ ଭୁବନେଶ୍ବର ଭାସୁଛି। ବର୍ଷ ବର୍ଷ ଧରି ଏଭଳି ପରିସ୍ଥିତି ହେଉଛି। ଏହି ସହରୀ ବନ୍ୟା ଦାଉରୁ ଭୁବନେଶ୍ବରବାସୀଙ୍କୁ ରକ୍ଷା କରିବା ପାଇଁ ଏଥର ବିଏମ୍‌ସି ଯଥେଷ୍ଟ ଆଗରୁ ଅଣ୍ଟା ଭିଡ଼ିଛି। ଆଜି ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏ ନେଇ ମାନସମନ୍ଥନ ହେବା ସହ ଏନ୍‌ଏଚ୍‌ଏଆଇ, ପୂର୍ତ୍ତ ଓ ବିଏମ୍‌ସି ଅଧୀନରେ ଥିବା ଡ୍ରେନ୍‌ଗୁଡ଼ିକ ବର୍ଷା ପୂର୍ବରୁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ୱାଟ୍‌କୋ କରୁଥିବା ସ୍ବେରେଜ୍‌ କାମ ମଧ୍ୟ ବର୍ଷା ପୂର୍ବରୁ ସାରିବା ପାଇଁ କୁହାଯାଇଛି।

ରାଜଧାନୀର ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ୧୦ଟି ମୁଖ୍ୟ ଡ୍ରେନ୍‌ ଓ ୨ଟି ଶାଖା ଡ୍ରେନ୍‌ର ସମ୍ପ୍ରସାରଣ ଆବଶ୍ୟକତା ଥିଲା। ତା’ ସାଙ୍ଗକୁ କେତେକ ଡ୍ରେନ୍‌ ଉପରୁ ଜବରଦଖଲ ଉଚ୍ଛେଦର ଆବଶ୍ୟକତା ଥିଲା। ଏଣୁ ଦୁଇଟି ପର୍ଯ୍ୟାୟରେ ରାଜଧାନୀର ୧୦ଟି ପ୍ରମୁଖ ଡ୍ରେନ୍, ୨ଟି ଶାଖା ଡ୍ରେନ୍‌, ମୁଖ୍ୟ ଡ୍ରେନ୍‌କୁ ସଂଯୋଗ ହୋଇପାରୁନଥିବା ଡ୍ରେନ୍‌କୁ ସଂଯୋଗ କରିବା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧୪ ଏକର ଜମି ଅଧିଗ୍ରହଣ ହେବାକୁ ଥିଲା। ଏଥିପାଇଁ ୧୧୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ଜମି ଅଧିଗ୍ରହଣ ପ୍ରକ୍ରିୟା ଗତ ବର୍ଷ ନଭେମ୍ବର ୧୫ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ବିଏମ୍‌ସିର ଅପାରଗତା ଯୋଗୁଁ ମାତ୍ର ଦେଢ଼ ଏକର ଅଧିଗ୍ରହଣ ହୋଇପାରିଥିଲା। ଏଣୁ ଏହି ଯୋଜନା ଫସରଫାଟିଲା। ଏବେ ଡ୍ରେନ୍‌ଗୁଡ଼ିକ କେବଳ ସଫା କରିବା ଓ ଚାଲିଥିବା କାମ ସାରିବା ଉପରେ ଗୁରୁତ୍ବ ଦିଆଯାଇଛି।

୨୦୨୧ ମସିହାରେ ଜଣେ ଛାତ୍ର ଭାସିଯାଇ ପ୍ରାଣ ହରାଇବା ପରେ ଖୋଲା ଥିବା ଡ୍ରେନଗୁଡ଼ିକରେ ବିଏମ୍‌ସି ବାଉଁଶବାଡ଼ ଲଗାଇଥିଲା। କେତେକ ଜାଗାରେ ଲୁହାବାଡ଼ ମଧ୍ୟ କରିଥିଲା। ବାଉଁଶବାଡ଼ ସବୁ ନଷ୍ଟ ହୋଇଯାଇଥିବା ବେଳେ ସମସ୍ତ ଡ୍ରେନ ଉପରେ ସ୍ଲାବ୍‌ ପଡ଼ି ନାହିଁ। କେତେକ ଡ୍ରେନ ଉପରେ ସ୍ଲାବ୍‌ ପଡ଼ିବା ନିୟମ ନାହିଁ। ଏଣୁ ସେହି ସବୁ ଜାଗାରେ ପୁଣି ଥରେ ବାଡ଼ କରିବା ସହ ସମ୍ବେଦନଶୀଳ ଜାଗା ଚିହ୍ନଟ କରିବାକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ପୂର୍ବରୁ ୭୦ରୁ ଊର୍ଦ୍ଧ୍ବ ସମ୍ବେଦନଶୀଳ ଅଞ୍ଚଳ ଚହ୍ନଟ କରାଯାଇଛି। ସେହିଭଳି ଇସ୍କନ ମନ୍ଦିର ସାମ୍ନାରେ ଅଳ୍ପ ବର୍ଷାରେ ପାଣି ଜମୁଥିବାରୁ ବିଭିନ୍ନ ସମୟରେ ପରିସ୍ଥିତିରେ ସୁଧାର ଆଣିବାକୁ ଯୋଜନା ହୋଇଛି। କିନ୍ତୁ ସବୁ ଫେଲ୍‌ ମାରିଛି। ଏଥର ଡ୍ରେନ ଓସାର କରାଯିବା ସହ ଦୁଇଟି ଜାଗାରେ ଜଳ ନିଷ୍କାସନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବୈଠକରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର