ନିଜ ନିୟମ ନିଜେ ଭାଙ୍ଗୁଛନ୍ତି: ବିଏମ୍‌ସିକୁ ଦେଖି ଅନ୍ୟ ସଂସ୍ଥା ବି ନିୟମ ମାନୁନାହାନ୍ତି

ଭୁବନେଶ୍ବର: ନିଜ ନିୟମକୁ କେମିତି ନିଜେ ଭାଙ୍ଗିପାରିବ ତାହା ବିଏମ୍‌ସିଠାରୁ ଶିଖିବା ଦରକାର। ରାଜଧାନୀବାସୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ସବୁ ନିୟମକୁ କିପରି ଜଳାଞ୍ଜଳି ଦିଆଯାଇପାରିବ ତାହା ବିଏମ୍‌ସି କର୍ତ୍ତୃପକ୍ଷଙ୍କଠାରୁ ଶିଖିବାର ଅଛି। ସାଧାରଣ ଲୋକଙ୍କଠାରୁ କେଉଁ ଉପାୟରେ ଟଙ୍କା ଅସୁଲ କରାଯାଇପାରିବ ସେନେଇ ବିଏମ୍‌ସିର ଅଧିକାରୀମାନେ ଘନଘନ ବୈଠକ କରୁଛନ୍ତି। ରାଜଧାନୀରେ କେହି କୌଣସି କାର୍ଯ୍ୟକ୍ରମ ପାଇଁ କେଉଁ ହୋଟେଲ, ଅନୁଷ୍ଠାନ ସମ୍ମୁଖ ହେଉ କି ରାସ୍ତାକଡ଼ରେ ହୋର୍ଡିଂଟିଏ ଲଗାଇ ଦେଉଛି, ବିଏମ୍‌ସି କର୍ମଚାରୀ ମାଡ଼ି ବସୁଛନ୍ତି। ସଙ୍ଗେସଙ୍ଗେ ହୋର୍ଡିଂ କାଟି ନେବା ସହ ୫ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରୁଛନ୍ତି। ହେଲେ ନିଜର ପ୍ରଚାର ପ୍ରସାର ପାଇଁ ରାସ୍ତା ମଝିରେ ବାଉଁଶ ପୋତି ଫ୍ଲେକ୍ସ ଲଗାଉଛନ୍ତି। ଏପରିକି ନୋ ହୋର୍ଡିଂ ଜୋନ୍‌ରେ ନିଜର ମାଳମାଳ ସାଇନେଜ୍ ଲଗାଉଛନ୍ତି। ଅନ୍ୟକୁ ନିୟମ କାନୁନ୍‌ର ପାଠ ପଢ଼ାଉଥିବା ବିଏମ୍‌ସିର ଅଧିକାରୀଙ୍କୁ କ’ଣ ଏହା ଦେଖାଯାଉନି?

ବିଏମ୍‌ସି ପକ୍ଷରୁ ଏବେ ସ୍ମାର୍ଟ ଜନପଥକୁ ନୋ ହୋର୍ଡିଂ ଜୋନ୍‌ ଘୋଷଣା କରାଯାଇଛି। ଶିଶୁଭବନରୁ ରାଜମହଲ ଛକ ପର୍ଯ୍ୟନ୍ତ ରାସ୍ତାରେ କେହି ବି କୌଣସି ପ୍ରକାରର ହୋର୍ଡିଂ ଲଗାଇପାରିବେନି ବୋଲି ନିୟମ କରିଛନ୍ତି। ହେଲେ ଏଠାରେ ବିଏମ୍‌ସି, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ବିଭିନ୍ନ ପ୍ରକାରର ସାଇନେଜ୍ ଲଗାଯାଇଛି। ରାଜଧାନୀର ସବୁଠୁ ବଡ଼ ବିଫଳ ପ୍ରକଳ୍ପ ଭାବେ ଗଣା ହେଉଥିବା ‘ମୋ ସାଇକେଲ୍‌’ର ପ୍ରଚାର ପ୍ରସାର କରିବାକୁ ବିଏସ୍‌ସିଏଲ୍‌ ଓ ବିଏମ୍‌ସି କର୍ତ୍ତୃପକ୍ଷ ଜୋରଦାର ପ୍ରଚାର କରୁଛନ୍ତି। ଏହି ପ୍ରଚାର କରିବାକୁ ଯାଇ ରାଜଧାନୀର ବିଭିନ୍ନ ସ୍ଥାନରେ ସାଇନେଜ୍‌ ଲାଗିଛି। ‘ସାଇକେଲିଆଙ୍କୁ ଦିଅ ସମ୍ମାନ। ସବୁ ଫ୍ରାଇଡେ ହେଉ ସାଇକେଲ୍‌ ଡେ’ ଲେଖା ଥିବା ସାଇନେଜ୍ ବିଭିନ୍ନ ସ୍ଥାନରେ ଲାଗିଛି। ବିଏମ୍‌ସି ଓ ବିଏସ୍‌ସିଏଲ୍‌ ଲୋଗୋ ଥିବା ଏହି ସାଇନେଜ୍‌ ବି ସ୍ମାର୍ଟ ଜନପଥର ଝଲକ୍ ଦେଖିବାକୁ ମିଳୁଥିବା ରାସ୍ତାରେ ଲଗାଇ ଦେଇଛନ୍ତି। ଏହି ରାସ୍ତା କଡ଼ରେ କେହି ଦୋକାନର ବୋର୍ଡ କି ଷ୍ଟାଣ୍ଡିଟିଏ ଲଗାଇଲେ ବିଏମ୍‌ସି ୫ହଜାର ଟଙ୍କା ଜରିମାନା ଆଦାୟ କରୁଛି। ହେଲେ ରାସ୍ତା ମଝିରେ ବେଆଇନ ଭାବେ ଲାଗିଥିବା ନିଜର ସାଇନେଜ୍‌ ଉପରେ କିପରି ଆଖି ପଡ଼ୁନି ବୋଲି ପ୍ରଶ୍ନ ଉଠିଛି।

କେବଳ ଏତିକି ନୁହେଁ; ଏବେ ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ବଚ୍ଛ ସର୍ବେକ୍ଷଣ ‌ନେଇ ସଚେତନତା ସୃଷ୍ଟି କରିବାକୁ ଯାଇ ବିଏମ୍‌ସି ରାସ୍ତା କଡ଼ରେ, ବିଭିନ୍ନ ଛକରେ ଥିବା ଗୋଲେଇରେ ବାଉଁଶ ପୋତି ଫ୍ଲେକ୍ସ ମାରିଦେଇଛି।

ଏଠାରେ ପ୍ରଶ୍ନ ଉଠୁଛି ବିଏମ୍‌ସି ପରିମଳଜନିତ ସଚେତନତା ସୃଷ୍ଟି କରିବା ପାଇଁ ତିନି ସଫେଇ ସଂସ୍ଥାଙ୍କ ଠାରୁ ପ୍ରତି ମାସରେ ଲକ୍ଷାଧିକ ଟଙ୍କା କାଟି ରଖୁଛି। ହେଲେ ହୋର୍ଡିଂ ଲଗାଇବାକୁ ଟେଣ୍ଡର ପାଇଥିବା ସଂସ୍ଥାଙ୍କୁ ଟଙ୍କା ଦେଇ ହୋର୍ଡିଂ ଲଗାଉନି। ବିଏମ୍‌ସିରୁ ଟେଣ୍ଡର ନେଇଥିବା ସଂସ୍ଥାଙ୍କୁ ବିଏମ୍‌ସି ଅର୍ଥ ଦେଇ କାହିଁକି ହୋର୍ଡିଂ ଲଗାଇବନି? ବିଏମ୍‌ସି ନିଜେ ଏ କ୍ଷେତ୍ରରେ ବଡ଼ ଖିଲାପକାରୀ ସାଜିଥିବାରୁ ଏହାକୁ ଦେଖାଦେଖି ବହୁ ବ୍ୟକ୍ତି, ରାଜନେତା, ସଂସ୍ଥା ରାଜଧାନୀରେ ବିଭିନ୍ନ ସ୍ଥାନରେ ବେଆଇନ୍ ଭାବେ ସାଇନେଜ୍, ଷ୍ଟାଣ୍ଡିଂ, ଫ୍ଲେକ୍ସ ଲଗାଉଛନ୍ତି। ଏପରିକି କିଏ ୟୁ ଟ୍ୟୁବ୍ ଚ୍ୟାନେଲ୍‌ ଖୋଲିବା ପାଇଁ ରାଜଧାନୀରେ ମୁଖ୍ୟ ରାସ୍ତାରୁ ଆରମ୍ଭ କରି ଗଳିକନ୍ଦିରେ ସାଇନେଜ୍, ଫ୍ଲେକ୍ସ ଲଗାଉଛି ତ କିଏ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ବେଆଇନ ଭାବେ ସାଇନେଜ୍ ଲଗାଉଛି। ସବୁ ବେଆଇନ୍ ଭାବେ ହେଉଥିବାରୁ ବିଏମ୍‌ସି ଲକ୍ଷାଧିକ ଟଙ୍କା ରାଜସ୍ବ ହରାଉଛି। ହେଲେ ଏଥିପ୍ରତି କର୍ତ୍ତୃପକ୍ଷଙ୍କ ନଜର ନାହିଁ।

ଅଧିକାଂଶ ସରକାରୀ ସଂସ୍ଥା ବିଏମ୍‌ସି ପନ୍ଥା ଆପଣାଇଛନ୍ତି
ରାଜଧାନୀରେ ହେଉ କି ରାଜଧାନୀ ବାହାରେ। ପର୍ଯ୍ୟଟନ ବିଭାଗ କୌଣସି ଉତ୍ସବ କି କାର୍ଯ୍ୟକ୍ରମ କଲେ ରାଜଧାନୀରେ ବେଆଇନ ହୋର୍ଡିଂ ଛାଇ ଦେଉଛି। ବିଏମ୍‌ସି ଅଫିସଠାରୁ ୨୦୦ ମିଟର ଦୂରରେ ଥିବା କଳ୍ପନା ଛକରେ ବାଉଁଶ ପୋତି ବେଆଇନ ଭାବେ ବଡ଼ବଡ଼ ହୋର୍ଡିଂ ଲଗାଉଛି। ଏପରିକି ‌ଜନପଥରୁ ଆରମ୍ଭ କରି ବିଭିନ୍ନ ପ୍ରମୁଖ ରାସ୍ତାରେ ଏହିଭଳି ବେଆଇନ ହୋର୍ଡିଂ ଲାଗୁଛି। ଟେଣ୍ଡର ନେଇଥିବା ବିଜ୍ଞାପନ ସଂସ୍ଥା ଏ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି। ସେମାନେ ଏହି ହୋର୍ଡିଂ ହଟାଇବାକୁ ବିଏମ୍‌ସି ନିକଟରେ ଅଭିଯୋଗ କରୁଛନ୍ତି କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନି। କେବଳ ପର୍ଯ୍ୟଟନ ବିଭାଗ ନୁହେଁ ହସ୍ତତନ୍ତ ଓ ହସ୍ତକଳା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ବିଭାଗ ରାଜଧାନୀରେ ବେଆଇନ ହୋର୍ଡିଂ ଛା‌ଇ ଦେଉଛନ୍ତି।

ପରିବହନ ବିଭାଗ ଦେବ ୧୨ ଲକ୍ଷ, କମିସନରେଟ୍ ପୁଲିସ କିଛି ଦେଲାନି
ସଡ଼କ ସୁରକ୍ଷା ମାସ ପାଇଁ ରାଜଧାନୀରେ ବିଭିନ୍ନ ସଚେତନତା ବାର୍ତ୍ତା ଦେଇ ପରିବହନ ବିଭାଗ ଓ କମିସନରେଟ୍ ପୁଲିସ ପକ୍ଷରୁ ହୋର୍ଡିଂ ଓ ଫ୍ଲେକ୍ସ ଲଗାଯାଇଥିଲା। ହେଲେ ପରିବହନ ବିଭାଗ ବିଏମ୍‌ସିରୁ ଅନୁମତି ନେଇ ହୋର୍ଡିଂ, ସାଇନେଜ୍ ଲଗାଇଥିଲେ ହେଁ କମିସନରେଟ୍ ପୁଲିସ ବିନା ଅନୁମତିରେ ଲଗାଇଥିଲା। ଲୋକଙ୍କୁ ନିୟମ ବତାଉଥିବା ପୁଲିସ ବେଆଇନ ଭାବେ ଫ୍ଲେକ୍ସ/ସାଇନେଜ୍ ଲଗାଇଲା। ହେଲେ ବିଏମ୍‌ସି କିଛି କାର୍ଯ୍ୟାନୁଷ୍ଠାନ ନେଲାନି। ଏପଟେ ପରିବହନ ବିଭାଗ ବିଏମ୍‌ସିରୁ ଅନୁମତି ନେଇ ଲଗାଇଥିବାବେଳେ ଏ ବାବଦକୁ ପ୍ରାୟ ୧୨ଲକ୍ଷ ଟଙ୍କା ଦେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର