କ୍ୟାମ୍ପସ୍‌ ଆଳାପ ବିଜେବି କଲେଜ: ଜଳବାୟୁ ପରିବର୍ତ୍ତନ ରୋକିବାକୁ କ’ଣ କରିବା?

ହରପ୍ରିୟା ପୃଷ୍ଟି

ଖଣ୍ଡଗିରି: କଳ୍ପନା‌ସ୍ଥିତ ବକ୍ସିଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହ‌ାବିଦ୍ୟାଳୟରେ କ୍ଲାସ୍‌ ପରେ କ୍ୟାଣ୍ଟିନ୍ ନିକଟସ୍ଥ ଚାନ୍ଦିନୀ ପା‌ଖେ ଚାଲିଥିଲା ଗପସପ। ବାଣିଜ୍ୟ ବିଭାଗର ତୃତୀୟ ବର୍ଷର ଛ‌ାତ୍ରଛାତ୍ରୀ ଏକାଠି ହୋଇ ଛୁଟିରେ କେଉଁଠିକୁ ବୁଲିଯି‌ବେ ‌‌ବୋଲି ଯୋଜନା ଚଳାଇଥିଲେ। ବିଭାଗର ସତ୍ୟବ୍ରତ ଶତପଥୀ ଆରମ୍ଭରେ କହିଥିଲେ, ‘‘ଆଜିକାଲି ପାଣିପାଗ କିଛି ଠିକ୍‌ ରହୁନି। ବୁଲାବୁଲି ଯୋଜନା ଏବେ କରିବା‌ ପୂରା‌ ମୂର୍ଖାମି।’’ ବାସ୍‌ ଏତିକି କଥାରୁ ଚର୍ଚ୍ଚା ଜୋର ଧରିଲା। ସତ୍ୟଙ୍କ କଥା ନସରୁଣୁ ପଲକ୍ ଅଗ୍ରୱାଲ କହିଲେ, ‘‘ପୂରା ଠିକ୍ କହିଲ। ଏବେ ଯେମିତି ଶୀତ ହେଲା, ଖରାଦିନେ ମୁଁ କେବେ ଅନୁଭବ କରିନଥିଲି। କାଳବୈଶାଖୀ ହେ‌ଲେ ରାତିରେ ଟିକେ ଥଣ୍ଡା ହୁଏ, ହେଲେ ଉପକୂଳଠାରୁ ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ, ସବୁଠି ଏମିତି କୋହଲା ପାଗ ଆଉ ଥଣ୍ଡା, ବାପ୍‌ରେ!’’ ତାଙ୍କ କଥାରେ ଆଉ ପଦେ ଯୋଡି ଜାକିର୍‌ ହୁସେନ୍ କହି‌ଲେ, ‘‘ହଁ, ଗ୍ରୀଷ୍ମରେ ଉଭୟ ଶୀତ ଓ ବର୍ଷା ଦିନ ଅନୁଭୂତ ହେଉଛି।’’ ଏମିତି ଗୋଟିଏ ହିସାବ ଶୁଣି ତାତି ଉଠିଲେ ସୋହମ୍ ଅଗ୍ରୱାଲ୍‌, ‘‘ଏମିତି କଥାରେ ଆମେ କେବଳ ଭାବିଲେ ହେବନି। ଆମେ କ’ଣ କଲେଣି ଏ ପରିବେଶକୁ! ଓଡ଼ିଶା ଜଳବାୟୁ ପରିବର୍ତ୍ତନର ଏକ ହବ୍‌ ହେଇଗଲାଣି। ଏଦିଗରେ ଗଣମାଧ୍ୟମ ଲୋକଙ୍କୁ ସଚେତନ କରିବା ଦରକାର।’’ ‌ସୋହମ୍‌ଙ୍କୁ ବିରୋଧ କରି ପ୍ରତ୍ୟୁଷା ନାୟକ କହିଲେ, ‘‘କ’ଣ ସବୁ ଖାଲି ଗଣମାଧ୍ୟମ କରିବ! ଏମିତି ପରିବେଶ ପାଇଁ ଆମର କିଛି କର୍ତ୍ତବ୍ୟ ନାହିଁ?’’

ତାଙ୍କ କଥାର ଉତ୍ତର ଦେଇ ସସ୍ମିତା ଖି‌ଲୋ କହି‌ଲେ, ‘‘କାହିଁକି ନାହିଁ? ଆମେ ରେଡକ୍ରସ, ଆମ କଲେଜ୍‌ ଆଉ ବିଭିନ୍ନ ଅନୁଷ୍ଠାନମାନେ ତ ଗଛ ଲଗାଉଛନ୍ତି। ଲୋକଙ୍କୁ ବି ସ‌‌‌‌‌‌‌ଚେତନ କରୁଛନ୍ତି।’’ ସସ୍ମିତା‌ଙ୍କ କଥା ଶୁଣି ଏମ୍‌ଡି ନିଜାମ୍‌ ବଡ଼ପାଟିରେ ହସିଲେ। ହସକୁ ହଠାତ୍ ପୁଣି ରୋକି ସେ କହିଲେ, ‘ଶୁଣ, ଗଛ ଯଦି ସତରେ ଲଗାଯା’ନ୍ତା, ତେବେ ପୂରା ଭାରତ କେବଳ ଗଛରେ ‌ପୋତି ହୋଇଯାନ୍ତା। ହାତ ଗଣତି ଲୋକ ଆଉ ଅନୁଷ୍ଠାନଙ୍କୁ ଛାଡ଼ି‌ଦେଲେ ଆଉ ସବୁ ଗଛଲଗା ପ୍ରହସନ।’’ ତାଙ୍କ କଥାରେ ଆଉ ପଦେ ଯୋଡ଼ି ସ୍ବୟଂ ସତ୍ୟଦର୍ଶୀ କହିଲେ, ‘‘ଭାଇଜାନ୍‌ ବଢ଼ିଆ କଥାଟେ କହିଲ। ମୋ’ ମନକୁ ପାଇଲା। ଗଛ ଲଗାଇବା‌ କଥା ତ କହିଲ, କାଟିବା କଥା ଶୁଣୁନ! ଆମେ ପିଲାବେଳେ ଚିପ୍‌କୋ ଆନ୍ଦୋଳନ, ଜଙ୍ଗଲ ବଞ୍ଚାଅ ଆନ୍ଦୋଳନ କଥା ପଢ଼ିଥିଲେ। ‌ହେଲେ ସମୟ ସହିତ ସେଭଳି ଆଉ ଆନ୍ଦୋଳନ ହେଉନି କି ଗଛ କଟା ରୋକୁନି।’’ତାଙ୍କ କଥାରେ ଆଉ ପଦେ ଯୋଡ଼ି ଅର୍ପିତା ଜେନା କହି‌‌‌ଲେ‌, ‘‘ମୁଁ ଛୋଟବେଳେ ଯେ‌ବେ କଳ୍ପନା‌ରୁ ଖୋର୍ଦ୍ଧା ଯାଉଥିଲି, ସେ‌ବେ ରାସ୍ତା‌ସା‌ରା‌ ଖାଲି ପଣସ, ପିଜୁଳି, ଜାମୁକୋଳି ଗଛ ଥିଲା।

ଏ‌‌ବେ ଖାଲି ସୋ’ ଗଛ। ସେ ବଡ଼ଗଛ କୁଆଡ଼େ ଗଲାଣି…।’’ ଶୁଭମ୍ ଶଙ୍କର ସାହୁ କହିଲେ, ‘‘ହଁ, ସରକାର କିଛି କରୁ ନାହାନ୍ତି।’’ ତାଙ୍କ ଏଇ ପଦକ କଥାରେ ଦେବେଶ ଦାସ ଚିଡ଼ିଗଲେ, ‘‘ସେମିତି କାହିଁକି କହୁଛ? ସରକାର କରିଛନ୍ତି। ବନୀକରଣକୁ ଗୁରୁତ୍ବ ଦିଆଯାଉଛି। ଜଙ୍ଗଲକୁ ପା‌ର୍କ କରାଯାଇଛି।’’ କଥା ଛଡ଼ାଇ ଅରଜିତ ତ୍ରିପାଠୀ କହିଲେ, ‘‘ବନ, ଜଙ୍ଗଲ, ପରି‌ବେଶ ନୀତି ପ୍ରସ୍ତୁତ କରିବା ଓ ଏହାକୁ ଠିକ୍‌ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପଡ଼ିଛି। ତେଣୁ ନୀତି ଅନୁଯାୟୀ କାର୍ଯ୍ୟ କରିବା ଦରକାର।’’ ଦୀପକ କୁମାର କହିଲେ, ‘‘ହଁ, ସରକାରୀ ଅଧିକାରୀମାନେ ନିୟମକୁ କଡ଼ା‌କରି ପାଳିବା ଦରକାର। କଠୋର ଦଣ୍ଡ ବ୍ୟବସ୍ଥା କରିବା ଦରକାର।’’ ଶିବ ପ୍ରସାଦ ମହାରଣା ସବୁ ଶୁଣି ଶୁଣି ଶେଷରେ କହିଲେ, ‘‘ହଁ, ମୁଁ ସବୁ ବୁଝିଗଲି। ଭାଇ ସବୁ ହେଲାଯେ, ଆମ ବୁଲିଯିବା କଥାଟି କ’ଣ ହେଲା…‌?’’ ତାଙ୍କ କଥାରେ ସମସ୍ତେ ହସିହସି ଗଡ଼ିଗଲେ।

ସମ୍ବନ୍ଧିତ ଖବର