ଢେଙ୍କାନାଳ: ୩ ଆସନରେ ପୁରୁଣା ମୁହଁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ୩ଟି ବିଧାନସଭା ଆସନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ୩ଟି ଯାକ ଆସନରେ ପୁରୁଣା ମୁହଁଙ୍କୁ ଦଳ ପୁଣି ଦୋହରାଇଛି। ଢେଙ୍କାନାଳ ବିଧାନସଭା ଆସନ ପାଇଁ ସୁଧୀର କୁମାର ସାମଲ, କାମାକ୍ଷାନଗର ପାଇଁ  ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ପର୍ଜଙ୍ଗ ପାଇଁ ଡ. ନୃସିଂହ ଚରଣ ସାହୁଙ୍କ ନାଁକୁ ଦଳର ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଢେଙ୍କାନାଳ ବ୍ୟତୀତ ବାକି ୨ଟି ଯାକ ଆସନରେ ପ୍ରାର୍ଥୀ ବଦଳିବା ସମ୍ଭାବନା ନେଇ ଚର୍ଚ୍ଚା ହୋଇଥିଲେ ହେଁ ଦଳ ନୂଆ ପ୍ରାର୍ଥୀ ଦେଇ କୌଣସି ରିସ୍କ ନେବାକୁ ଚାହିଁନାହିଁ।

ଢେଙ୍କାନାଳରୁ ପ୍ରାର୍ଥୀ ହୋଇଥିବା ସୁଧୀର ସାମଲ ୨୦୦୪ରେ କେ.ପି ସିଂହଦେଓଙ୍କ ତତ୍ତ୍ବାବଧାନରେ କଂଗ୍ରେସରୁ ଟିକେଟ ପାଇ ଢେଙ୍କାନାଳର ବିଧାୟକ ଭାବେ ପ୍ରଥମକରି ନିର୍ବାଚିତ ହୋଇଥିଲେ। ତା’ ପରଠାରୁ ଆଉ ୨ଟି ପର୍ଯ୍ୟାୟ କଂଗ୍ରେସରେ ଥିଲେ ମଧ୍ୟ ବିଧାନସଭାକୁ ଯାଇପାରି ନଥିଲେ। ୨୦୧୯ ମସିହାରେ ସେ ବିଜେଡିରେ ଯୋଗଦେଇ ଟିକେଟ୍‌ ହାତେଇବା ସହ ବିଜୟୀ ହୋଇଥିଲେ। ୨୦୦୯ରେ ପର୍ଜଙ୍ଗ ନୂତନ ନିର୍ବାଚନମଣ୍ଡଳୀ ଭାବେ ଗଠିତ ହେବାପରେ ଡା. ନୃସିଂହ ଚରଣ ସାହୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ସହିତ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଅଦ୍ୟାବଧି ସେ ୩ଟି ନିର୍ବାଚନରେ ବିଜୟ ହାସଲ କରିସାରିଛନ୍ତି।

୨୦୦୪ ମସିହାରେ ପ୍ରଫୁଲ୍ଲ କୁମାର ମଲ୍ଲିକ ବିଜେଡିରେ ଯୋଗଦେଇ କାମାକ୍ଷାନଗର ବିଧାନସଭା ଆସନରୁ ବିଧାୟକ ହୋଇଥିଲେ। ସେହିଦିନଠାରୁ ସେ ଆଉ ପଛକୁ ଫେରିନାହାନ୍ତି। ତା’ ପରଠାରୁ ସେ ୩ଥର ବିଧାୟକ ଭାବେ ନିର୍ବାଚିତ ହେବାସହିତ ମନ୍ତ୍ରୀପଦ ମଧ୍ୟ ତୁଲାଇଛନ୍ତି। ଅନ୍ୟପକ୍ଷରେ, ହିନ୍ଦୋଳ ଆସନ ପାଇଁ କାହା ନାମ ଘୋଷଣା ହୋଇନଥିବାରୁ ଏହି ନିର୍ବାଚନମଣ୍ଡଳୀ ଉପରେ ସମସ୍ତଙ୍କ ନଜର ରହିଛି। ୨୦୧୪ ଓ ୨୦୧୯ ମସିହାରେ ଏଠାରୁ ବିଜୟୀ ହୋଇଥିଲେ ସୀମାରାଣୀ ନାଏକ। ଚଳିତଥର ଏଠାରେ ପ୍ରାର୍ଥୀ ବଦଳି ପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର