ରାଜନୈତିକ ଶତ୍ରୁତାରୁ ହୋଲିରେ ଗୋଷ୍ଠୀ ସଂଘର୍ଷ: ସରପଞ୍ଚଙ୍କ ସ୍ବାମୀ, ଦିଅରଙ୍କ ସହ ୧୦ ଆହତ

ପୁଲିସର ଫ୍ଲାଗ୍‌ମାର୍ଚ୍ଚ, ଗ୍ରାମ ପୁରୁଷଶୂନ୍ୟ

ତିଗିରିଆ: କଟକ ଜିଲ୍ଲା ତିଗିରିଆ ଥାନା ଭୋଗଡ଼ା ପଞ୍ଚାୟତ ଅନ୍ତର୍ଗତ ବେଲଅଣ୍ଟା ଗ୍ରାମରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଶତ୍ରୁତାରୁ ହୋଲି ଦିନ ସଂଘର୍ଷ ରୂପ ନେଇଛି। ଗଣ୍ଡଗୋଳରେ ଭୋଗଡ଼ା ସରପଞ୍ଚଙ୍କ ସ୍ୱାମୀ ଓ ଦିଅରଙ୍କ ସମେତ ଉଭୟ ପକ୍ଷର ୧୦ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଖବର ପାଇ ଆଠଗଡ଼ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ, ତିଗିରିଆ ଥାନା ଆଇଆଇସି ଜ୍ଞାନରଞ୍ଜନ ସାମଲ, ତହସିଲଦାର ଅକ୍ଷୟ କୁମାର ପରିଡ଼ା, ଅତିରିକ୍ତ ତହସିଲଦାର କୌସ୍ତୁଭ ଷଡ଼ଙ୍ଗୀଙ୍କ ସମେତ ତିଗିରିଆ ଥାନା କର୍ମଚାରୀ ଓ ଅତିରିକ୍ତ ପୁଲିସ ଫୋର୍ସ ଗ୍ରାମରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଆଜି ସକାଳେ ଅତିରିକ୍ତ ଏସ୍‌ପି ଦେବଦତ୍ତ ବରାଳଙ୍କ ନେତୃତ୍ୱରେ ଏସଡିପିଓ ଶ୍ରୀ ମଲ୍ଲିକ, ଆଇଆଇସି ଶ୍ରୀ ସାମଲ ଓ ଅତିରିକ୍ତ ୩ ପ୍ଲାଟୁନ ଫୋର୍ସ ବେଲଅଣ୍ଟା ଗ୍ରାମରେ ପହଞ୍ଚି ଫ୍ଲାଗ୍‌ମାର୍ଚ୍ଚ କରିଥିଲେ। ଗିରଫ ଭୟରେ ଗ୍ରାମ ପୁରୁଷ ଶୂନ୍ୟ ହୋଇଯାଇଥିବା ଜଣାପଡ଼ିଛି। ଏ ନେଇ ଉଭୟ ପକ୍ଷର ଅଭିଯୋଗକ୍ରମେ ଦୁଇଟି ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି ବୋଲି ଆଇଆଇସି ଶ୍ରୀ ସାମଲ ସୂଚନା ଦେଇଛନ୍ତି।

ବେଲଅଣ୍ଟା ଗ୍ରାମର ମାଳତୀ ମଲ୍ଲ (୫୦)ଙ୍କ ଅଭିଯୋଗ ଅନୁସାରେ ଗତକାଲି ଦିନ ପ୍ରାୟ ସାଢ଼େ ୧୧ଟାରେ ଗ୍ରାମ କୋଠଘର ନିକଟରେ ହୋଲି ଖେଳ ଚାଲିଥିଲା। ଏହି ସମୟରେ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କର ସହଯୋଗୀ ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବେ ମାଳତୀଙ୍କ ପୁଅ ସୁରେନ୍ଦ୍ର ମଲ୍ଲଙ୍କୁ ରାସ୍ତାରେ ଅଟକାଇ ଗାଳିଗୁଲଜ କରିଥିଲେ। ସୁରେନ୍ଦ୍ର ପ୍ରତିବାଦ କରିବାରୁ ସରପଞ୍ଚଙ୍କ ସ୍ୱାମୀ ଅରୁଣ ନାୟକ ହତ୍ୟା କରିବାକୁ ଧମକ ଦେବା ସହ ମାଡ଼ ମାରିଥିଲେ। ପରେ ଅରୁଣଙ୍କ ଭାଇ ଅକ୍ଷୟ ନାୟକ ଖଣ୍ଡାରେ ସୁରେନ୍ଦ୍ରଙ୍କ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ହାତରେ ଗଭୀର କ୍ଷତ ହୋଇଛି। ପାଟି ଶୁଣି ଗ୍ରାମବାସୀ ପହଞ୍ଚି ତାଙ୍କୁ ରକ୍ଷା କରିଥିବା ଏତଲାରେ ଦର୍ଶାଯାଇଛି। ଏ ନେଇ ଥାନାରେ ବିଭିନ୍ନ ଦଫାରେ ଏକ ମାମଲା (କେସ ନମ୍ବର-୭୬/୨୪) ରୁଜୁ କରାଯାଇଛି।
ସେହିପରି ସରପଞ୍ଚ ଶର୍ମିଳା ନାୟକଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ଦିନ ୧୦ଟାରେ ତାଙ୍କ ସ୍ୱାମୀ ଅରୁଣ ନାୟକ ଓ ମୁକେଶ ମଲ୍ଲ ନୂଆପାଟଣା ହାଟକୁ ଯାଇଥିଲେ। ସେଠାରେ ପୂର୍ବ ଶତ୍ରୁତାରୁ ପ୍ରସ୍ତୁତ ହୋଇ ଆସିଥିବା ଦୀପକ ରାଉତ, ଆକାଶ ରାଉତ, ପାପୁନି ନାୟକ, ସୁରେନ୍ଦ୍ର ମଲ୍ଲ, ବଣ୍ଟି ନାୟକ ପ୍ରମୁଖ ଘେରିଯାଇ ଅରୁଣଙ୍କୁ ଗାଳିଗୁଲଜ କରିଥିଲେ। ଏହି ସମୟରେ ଅଭିଯୁକ୍ତମାନେ ବାଇକ୍‌ରେ ଲୁଚାଇ ରଖିଥିବା ଖଣ୍ଡାରେ ସୁରେନ୍ଦ୍ର ଓ ଦୀପକ ଆକ୍ରମଣ କରିଥିଲେ। ଆକ୍ରମଣରେ ଅରୁଣଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଖବର ପାଇ ସରପଞ୍ଚ ଶ୍ରୀମତୀ ନାୟକଙ୍କ ଦିଅର ଅନ୍ତର୍ଯ୍ୟାମୀ ନାୟକ ଓ ଗ୍ରାମର ବିଜୟ ମଲ୍ଲ, ଦାଶରଥି ବେହେରା, ଗୁରୁବାରୀ ବେହେରା, ଦେବାଶିଷ ସାମନ୍ତରାୟ ପ୍ରମୁଖ ସେଠାରେ ପହଞ୍ଚି ଅରୁଣଙ୍କୁ ସେମାନଙ୍କ କବଳରୁ ରକ୍ଷା କରିଥିଲେ। ଏହି ସମୟରେ ଅଭିଯୁକ୍ତମାନେ ସରପଞ୍ଚଙ୍କ ଦିଅର ଅନ୍ତର୍ଯ୍ୟାମୀକୁ ଠେଙ୍ଗାରେ ମାଡ଼ ମାରିବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ।

ଖବର ପାଇ ଘଟଣାସ୍ଥଳକୁ ଯାଉଥିବା ସରପଞ୍ଚ ଶ୍ରୀମତୀ ନାୟକଙ୍କୁ ଅଭିଯୁକ୍ତମାନେ ଗାଳିଗୁଲଜ କରିବା ସହ ତାଙ୍କର ଲୁଗାପଟା ଟଣାଓଟରା କରି ପରିବାରବର୍ଗଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏପରି କି, ଅଭିଯୁକ୍ତମାନେ ସରପଞ୍ଚଙ୍କ ଘର ଉପରକୁ ଟେକାପଥର ମାଡ଼ କରିବା ସହ କାର, ବୁଲେଟ୍‌ ସହ ଘର ଆଗରେ ଲାଗିଥିବା ସିସିଟିଭି କ୍ୟାମେରା ଭାଙ୍ଗି ଦେଇଥିଲେ ବୋଲି ଏତଲାରେ ଦର୍ଶାଯାଇଛି। ଏ ନେଇ ଥାନାରେ ବିଭିନ୍ନ ଦଫାରେ ଅନ୍ୟ ଏକ ମାମଲା (କେସ୍‌ ନଂ-୭୭/୨୪) ରୁଜୁ କରାଯାଇଛି। ଗଣ୍ଡଗୋଳରେ ସରପଞ୍ଚଙ୍କ ସ୍ୱାମୀ ଓ ଦିଅରଙ୍କ ସମେତ ୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ପଠାଯାଇଛି। ଅପରପକ୍ଷର ୫ଜଣ ଆହତ ହୋଇଥିଲା ବେଳେ ଗୁରୁତର ଆହତ ସୁରେନ୍ଦ୍ରଙ୍କୁ କଟକ ନିଆଯାଇଥିବା ସୂଚନା ମିଳିଛି। ଉଭୟପକ୍ଷ ଏତଲାକ୍ରମେ ୩୬ଜଣ ନାମରେ ମାମଲା ରୁଜୁ କରାଯାଇଛି। ଉତ୍ତେଜନା ଲାଗି ରହିଥିବାରୁ ରିପୋର୍ଟ ଲେଖା ପର୍ଯ୍ୟନ୍ତ ଗ୍ରାମରେ ପୁଲିସ ମୁତୟନ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର