ଏମ୍ସରେ ଚାକିରି ଦେବା ନାଁ’ରେ ଠକେଇ, ୩ଜଣଙ୍କଠାରୁ ପ୍ରାୟ ୨ଲକ୍ଷ ଚଳୁ

ଭୁବନେଶ୍ବର : ଏମ୍ସରେ ଚାକିରି କରାଇବାକୁ ପ୍ରତିଶ୍ରୁତି ଦେଇ ଜଣେ ଧୂର୍ତ୍ତ ୩ଜଣ ଯୁବକଙ୍କ ପାଖରୁ ପ୍ରାୟ ୨ଲକ୍ଷ ଟଙ୍କା ଚଳୁ କରିନେଇଛି। ଏନେଇ ବୁଧବାର ଦିନ ପାତ୍ରପଡ଼ାର ନଗେନ୍ଦ୍ର କୁମାର ନାୟକ, ସନ୍ଦୀପ ସାହୁ ଓ ବଳରାମ ସେଠୀ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି।

ଅଭିଯୋଗକାରୀଙ୍କ ଏତଲା ଅନୁଯାୟୀ, ଗତ ଫେବ୍ରୁଆରିରେ ଏମ୍ସରେ ନିଯୁକ୍ତି ଦିଆଯାଉଥିବା ଖବର ପାଇ ଆସିଥିଲେ। ମାତ୍ର ଏମ୍ସରେ ପହଞ୍ଚିବା ବେଳକୁ ସେଭଳି କୌଣସି ନିଯୁକ୍ତି ପ୍ରକ୍ରିୟା ହେଉନଥିବା ଜଣାପଡ଼ିନଥିଲା। ଏହା ପରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ତାଙ୍କୁ ଏମ୍ସରେ ଚାକିରି କରାଇଦେବ ବୋଲି କହିଥିଲା। ଏପରିକି ସେ ଏମ୍ସରେ ନିଜେ କାର୍ଯ୍ୟରତ ଏହିଭଳି ଶତାଧିକ ଯୁବକ ଯୁବତୀଙ୍କୁ ସେ ଚାକିରି କରାଇଦେଇଥିବା କହିଥିଲା। ଧୂର୍ତ୍ତ କଥାରେ ବିଶ୍ବାସ କରି ଅଭିଯୋଗକାରୀ ମାର୍ଚ୍ଚ ପହିଲାରେ ତା’କୁ ଜଣକା ୬୦ହଜାର ହିସାବରେ ମୋଟ ଲକ୍ଷେ ୮୦ହଜାର ଟଙ୍କା ଦେଇଥିଲେ। ଏହା ପରେ ଧୂର୍ତ୍ତ ତାଙ୍କୁ ଆଜିକାଲି ଚାକିରି କରାଇଦେବ କହି ଠକିଥିଲା। ତେଣୁ ବାଧ୍ୟ ହୋଇ ୩ଜଣ ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି। ସେହିଭଳି ଧୂର୍ତ୍ତ ଏହିଭଳି ଅନେକ ବେକାର ଯୁବକଯୁବତୀଙ୍କ ଠାରୁ ଟଙ୍କା ନେଇ ଠକିଥିବା ଅଭିଯୋଗକାରୀମାନେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର