ଜୀବନରଙ୍ଗ: ଓଡ଼ିଆ ମେଲୋଡିକୁ ବଲିଉଡ୍‌ରେ ପହଞ୍ଚାଇବାକୁ ଚାହେଁ: ଅଭିଜିତ ମଜୁମ୍‌ଦାର

ଭୁବନେଶ୍ବର: ଦୁର୍ଗା ପୂଜା ଆସିଲେ ତାଙ୍କ ଗୀତରେ ମଞ୍ଚ ଦୁଲୁକେ। ସମ୍ବଲପୁରୀ ହେଉ କି ଓଡ଼ିଆ ମେଲୋଡି, ପୂଜା ବଜାରରେ ତାଙ୍କ ଗୀତ ହିଁ ମଜା ବଢ଼ାଇଥାଏ। ସମ୍ବଲପୁରୀ ସଂଗୀତ ଇଣ୍ଡଷ୍ଟ୍ରିରୁ କାମ ଆରମ୍ଭ କରି ଧୀରେଧୀରେ ସେ ଓଲିଉଡ୍‌ମୁହାଁ ହୋଇଥିଲେ। ନିଜର କଠିନ ଅଧ୍ୟବସାୟ ଓ ମେଲୋଡିୟସ୍‌ ଭଙ୍ଗୀ ତାଙ୍କୁ ଓଡ଼ିଶାର ମେଲୋଡି କିଙ୍ଗ୍‌ ବନେଇ ଦେଇଥିଲା। ବର୍ତ୍ତମାନ ସୁଦ୍ଧା ସେ ସମ୍ବଲପୁରୀ, ଆଲ୍‌ବମ୍‌ ଓ ଓଡ଼ିଆ ଚଳଚ୍ଚିତ୍ରରେ ୭୦୦ରୁ ଅଧିକ ସଙ୍ଗୀତ ସଂଯୋଜନା କରିସାରିଛନ୍ତି। ୨୨ବର୍ଷ ଧରି ଓଡ଼ିଆ ଶ୍ରୋତାଙ୍କୁ ମେଲୋଡି ରସରେ ରସସିକ୍ତ କରିଥିବା ଏହ‌ି ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ ମଜୁମ୍‌ଦାର୍‌। ତାଙ୍କ ସହ ଏଥରର ଆମ ସାକ୍ଷାତକାର…

ଆପଣ ସମ୍ବଲପୁରୀ ଗୀତ ଗାଇ ଲୋକଲୋଚନକୁ ଆସିଥିଲେ ଏବଂ ଓଲିଉଡ୍‌ର ମେଲୋଡି କିଙ୍ଗ୍‌ ହୋଇଗଲେ। ସମ୍ବଲପୁରୀ ଓ ଓଡ଼ିଆ ଗୀତ ମଧ୍ୟରେ ସମନ୍ବୟ କେମିତି ରକ୍ଷା କରନ୍ତି?

ଓଡ଼ିଶାରେ ଅନେକ ଲୋକସଙ୍ଗୀତ ରହିଛି। ମୁଁ ସମ୍ବଲପୁରୀ ଗୀତରୁ ସଙ୍ଗୀତ ଯାତ୍ରା ଆରମ୍ଭ କରିଥିଲି। ଏହାପରେ କୋରାପୁଟର ଲୋକସଙ୍ଗୀତ ଝୁମର୍‌, ଭଦ୍ରକର ମୋଗଲ ତାମ୍‌ସା ଆଦି ଲୋକସଙ୍ଗୀତକୁ ନେଇ ସଙ୍ଗୀତ କରିବାକୁ ଚେଷ୍ଟା କରିଛି। ମୁଁ ମେଲୋଡି କିଙ୍ଗ୍‌ ନୁହେଁ। ସ୍ବର୍ଗତ ରାଧାକୃଷ୍ଣ ଭଞ୍ଜ, ଭୁବନ-ହରି, ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର ଓ ସରୋଜ ନନ୍ଦ ପ୍ରମୁଖ ହେଉଛନ୍ତି ମେଲୋଡି କିଙ୍ଗ୍‌। ମୁଁ ଶ୍ରୋତାଙ୍କ ଭଲ ପାଇବାକୁ ପାଥେୟ କରି ସଙ୍ଗୀତ ଶିକ୍ଷା କରି ଚାଲିଛି।

ଓଡ଼ିଶା ମେଲୋଡିର ସ୍ଥିତି କ’ଣ ରହିଛି। ଏହାର ଭବିଷ୍ୟତକୁ ନେଇ ଆପଣ କେତେ ଆଶାବାଦୀ?

ଓଡ଼ିଆ ମେଲୋଡିରେ ମିଠାପଣ ଭରି ରହିଛି। ଆମ ଭାଷା ପରି ଆମ ପାରମ୍ପରିକ ସଙ୍ଗୀତ ବି ମିଠା। ସବୁଠୁ ମିଠା ହେଉଛି ଜଗନ୍ନାଥ ସଙ୍ଗୀତ ‘ଓଡ଼ିଶୀ’। ମୁଁ ଭାବୁଛି ଏ ସବୁକୁ ସଙ୍ଗୀତ ମାଧ୍ୟମରେ ଆମେ ‌ବିଶ୍ବ ଦରବାରରେ ପହଞ୍ଚାଇବା ଉଚିତ। ଫଳରେ ଓଡ଼ିଶାର ମେଲୋଡି ଅଧିକରୁ ଅଧିକ ଜନାଦୃତ ହୋଇପାରିବ।

ଟୁଙ୍ଗୁରୁ ଭୋଳଙ୍କୁ ନେଇ ବହୁ ଚର୍ଚ୍ଚା ହେଲା। ଅନେକ ତାଙ୍କୁ ନେଇ ଗୀତ କଲେ। କିନ୍ତୁ ଆପଣ ଯେତେବେଳେ ଟୁଙ୍ଗୁରୁ ଭୋଳଙ୍କୁ ନେଇ ଗୀତଟିଏ କଲେ ବିବାଦ ତେଜିଲା। ଏହାକୁ ନେଇ ଆପଣଙ୍କ ମନରେ କ’ଣ ସବୁ ପ୍ରତିକ୍ରିୟ‌ା ଉଠେ?

ମୁଁ କେବଳ ଟୁଙ୍ଗୁରୁ ଭୋଳ ଗୀତଟି ଗାଇଛି। ନା ସେ ଗୀତ ମୁଁ ଲେଖିଥିଲି ନା ସ୍ବର ଦେଇଥିଲି। ତଥାପି ବିବାଦ ହେବା ଯଥେଷ୍ଟ ପୂର୍ବରୁ ୟୁ-ଟ୍ୟୁବରୁ ଗୀତଟିକୁ ହଟାଇ ‌ଦେଇଥିଲି।

କିଛି ଗୀତ ଆସେ, ଏକ ନିର୍ଦ୍ଦି‌ଷ୍ଟ ସମୟ ପାଇଁ। କିନ୍ତୁ ମେଲୋଡି ୯୦ ଦଶକରୁ ଏଯାବତ୍‌ ଲୋକପ୍ରିୟତାର ଶୀର୍ଷରେ ରହିଛି କିପରି?

ଆସିବା ଓ ଯିବା ଏକ ଚିରନ୍ତନ ପ୍ରକ୍ରିୟା। ଗୀତ କ୍ଷେତ୍ରରେ ବି ଏହି ସତ୍ୟ ଲାଗୁ। କିନ୍ତୁ ଗୀତରେ ମେଲୋଡି ବା ମିଠାପଣ ଥିଲେ, ତାହା ହୃଦୟରେ ରହିଯାଏ। ମୋର କିଛି ଗୀତ ଯେମିତିକି; ‘ସକାଳର ପହିଲି ଗାଡ଼ିରେ…, ନୀଳନୟନା.., ରେ ମନ…, ନୂଆ ସାଏରି ଆଦି ଗୀତକୁ ଶ୍ରୋତା ଆଜି ବି ଗୁଣୁଗୁଣାଉଛନ୍ତି।

ଓଡ଼ିଶାରେ ଅନେକ ସୁନ୍ଦର ସ୍ଥାନ ରହିଥିଲେ ମଧ୍ୟ ଚଳଚ୍ଚିତ୍ର ନିର୍ମାତାମାନେ ସୁଟିଂ ପାଇଁ ଅନ୍ୟ ରାଜ୍ୟ ବା ଦେଶର ଲୋକେସନ୍‌ ଉପରେ ନିର୍ଭରଶୀଳ। ଏପରି କାହିଁକି?

ଏହା ଶତପ୍ରତିଶତ ସତ କଥା। ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ହୁଏ ତ ଆଉ କେଉଁଠି ନଥିବ। ପୁରୀଠାରୁ ଶିମିଳିପାଳ, କୋରାପୁଟ, ଭିତରକନିକା, ଚିଲିକା, ଦେବଝରନ୍‌, ସପ୍ତଶଯ୍ୟା ଆଦି ସୁଟିଂ ଲୋକସନ୍‌ ପାଇଁ ଶ୍ରେଷ୍ଠ ସ୍ଥାନ ରହିଛି। ଚଳଚ୍ଚିତ୍ର ନିର୍ମାତାମାନେ ମନ ବଳାଇଲେ, କମ୍‌ ଖର୍ଚ୍ଚରେ ଓଡ଼ିଶାର ପ୍ରା‌କୃତିକ ବନାନୀରେ ଶ୍ରେଷ୍ଠ ଚଳଚ୍ଚିତ୍ର ସବୁ ନିର୍ମିତ ହୋଇପାରନ୍ତା। ଏଥିପାଇଁ ସରକାର ମଧ୍ୟ ପ୍ରୋତ୍ସାହିତ କରିବା ଆବଶ୍ୟକ।

ମେଲୋଡି ଛଡ଼ା ଅନ୍ୟ କେଉଁ ସଙ୍ଗୀତରେ ଆପଣଙ୍କ ଅଧିକ ରୁଚି ରହିଛି?

ମୁଁ ସବୁପ୍ରକାର ସଙ୍ଗୀତରେ ରୁଚି ରଖେ। କାହାଣୀର ଆବଶ୍ୟକତା ଅନୁସାରେ ସ୍ବର ଚୟନ କରେ।

ଆପଣଙ୍କ ଜୀବନର ଏମିତି କିଛି ସ୍ବପ୍ନ ସମ୍ପର୍କରେ କହିବେ କି, ଯାହାକୁ ନେଇ ଆପଣ ଏବେ ବି ବଞ୍ଚିବାକୁ ଚାହାନ୍ତି?

ଓଡ଼ିଆ ମେଲୋଡିକୁ ବଲିଉଡ୍‌ରେ ପହଞ୍ଚାଇବା ଏବେ ମୋର ସବୁଠାରୁ ବଡ଼ ସ୍ବପ୍ନ।

ଓଡ଼ିଆ ଶ୍ରୋତାଙ୍କ ମଧ୍ୟରେ ଏବେ କେଉଁ ଧରଣର ଓଡ଼ିଆ ଗୀତର ଚାହିଦା ବଢ଼ିଛି?

ଶ୍ରୋତାଙ୍କ ପସନ୍ଦ ଜାଣିବା ବହୁତ କଷ୍ଟ। ତଥାପି ମିଠା ଓ ଭଲ ଅର୍ଥବୋଧକ ଗୀତକୁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି।

ସମ୍ବନ୍ଧିତ ଖବର