ଚନ୍ଦ୍ରଶେଖରପୁର: ଦେଶର ପ୍ରାୟ ୩୦୦ କୁକୁରଙ୍କୁ ପଛରେ ପକାଇ ଚାମ୍ପିଅନ୍ ଆଖ୍ୟା ହାସଲ କରିଛନ୍ତି ‘ଆଞ୍ଜେଲିନା’ ଓ ‘ଟିଫାନି’। କେନେଲ୍ କ୍ଲବ ପକ୍ଷରୁ ଦୁଇ ଦିନ ଧରି କିଟ୍ ଷ୍ଟାଡିୟମ୍ରେ ଚାଲିଥିବା ଡଗ୍ ସୋ’ର ଉଦ୍ଯାପନୀ ଉତ୍ସବର ୫୮ତମ ସୋ’ରେ ବେଙ୍ଗାଲୁରୁର ଏମ୍ଏଚ୍ ମଞ୍ଜୁନ୍ଦାରଙ୍କ ଡୋବରମ୍ୟାନ୍ ବ୍ରିଡ୍ର ‘ଟିଫାନି’ ଚାମ୍ପିଅନ୍ ହୋଇଥିବା ବେଳେ ୫୬ ଓ ୫୭ତମ ସୋ’ରେ କୋଲକାତାର ଆଗ୍ନିଭୋ ଘୋଷଙ୍କ ଜିଏସ୍ଡି ବ୍ରିଡ୍ର କୁକୁର ‘ଆଞ୍ଜେଲିନା’ ବିଜେତା ହୋଇଛନ୍ତି। ସବୁ କ୍ଷେତ୍ରରେ ଏହି ଦୁଇ କୁକୁର ଉତ୍କୃଷ୍ଟ ପ୍ରଦର୍ଶନ କରିବା ସହ ଜଜ୍ମାନଙ୍କ ମନ ଜିଣିଥିଲେ। ଦ୍ବିତୀୟ ଦିବସରେ ବିଭିନ୍ନ କୁକୁର ପ୍ରଜାତିକୁ ନେଇ ସୋ’ର ଆୟୋଜନ କରାଯାଇଥିଲା। କୁକୁରମାନେ ସେମାନଙ୍କ ମାଲିକ ଓ ପ୍ରଶିକ୍ଷକଙ୍କ ସହ ଅଂଶଗ୍ରହଣ କରିଥିଲେ। ଗତବର୍ଷ ୨୮ଟି ପ୍ରଜାତି ଭାଗ ନେଇଥିବା ବେଳେ ଏଥର ୪୦ରୁ ଅଧିକ ସାମିଲ ହୋଇଥିଲେ। ହାଇଦ୍ରାବାଦ, ଲକ୍ଷ୍ନୌ, ମୁମ୍ବାଇ, ଚଣ୍ଡିଗଡ଼, ଓଟି, କୋଏମ୍ବାଟୁର, ବେଙ୍ଗାଲୁରୁ ଆଦି ସହରରୁ କୁକୁରମାନେ ଅଂଶଗ୍ରହଣ କରିଥିଲେ। ଭିଲାଇ, କୋଲକାତା, ବିଶାଖାପାଟଣା, ରାଇପୁର ସହରରୁ ବହୁ କୁକୁର ଆସିଥିଲେ। କୋଲକାତାରୁ ସର୍ବାଧିକ ୭୦ଟି କୁକୁର ଆସିଥିବା ବେଳେ ଭୁବନେଶ୍ବରରୁ ୨୮ଟି କୁକୁର ସାମିଲ ହୋଇଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାର କୁକୁରଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି। ଏବେ ଆଉ କେବଳ ଭୁବନେଶ୍ବର କିମ୍ବା କଟକର କୁକୁର ଭାଗ ନେଇନାହାନ୍ତି, ବରଂ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା, ବ୍ରହ୍ମପୁର ଆଦି ସହରର କୁକୁରମାନେ ସାମିଲ ହୋଇଥିଲେ। ଏଥର ସୋ’ରେ ବିଦେଶରୁ ୫ ଜଣ ଜଜ୍ ସାମିଲ ହୋଇଥିଲେ। ସ୍ବଡେନ୍ର ହାନ୍ସ ଆଲମର୍ଜନ, ସର୍ବିଆର ରାଲେ ଚେକିକ୍, ଅଷ୍ଟ୍ରେଲିଆର ଡେଭିଡ୍ ଷ୍ଟ୍ରାଚାନ୍ ପ୍ରମୁଖ ଜଜ୍ ରହିଥିଲେ। କୁକୁରଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖିବା ସହ ଶ୍ରେଷ୍ଠ କୁକୁରଙ୍କୁ ବାଝିଥିଲେ। ରାଜଧାନୀବାସୀଙ୍କର କୁକୁରଙ୍କ ପ୍ରତି ଆଗ୍ରହ ବଢ଼ୁଥିବାରୁ ଫେସ୍ବୁକ୍ ମାଧ୍ୟମରେ ଡଗ୍ ସୋ’ର ସିଧା ପ୍ରସାରଣ କରାଯାଇଥିଲା। ବିଶ୍ବର ଯେକୌଣସି ସ୍ଥାନର ଲୋକେ ଡଗ୍ ସୋ’ ଦେଖିବାକୁ ପାଇଥିଲେ।