ସିଟି ହେଲ୍‌ଥ ଅଫିସରଙ୍କୁ ଅଦାଲତ ନୋଟିସ୍‌

ମୃତ୍ୟୁ ପ୍ରମାଣପତ୍ର ପାଇବାରେ ବିଳମ୍ବ

ପୁରୁଣା ଭୁବନେଶ୍ୱର: ଆଜି ଆସ, କାଲି ଆସ, କିଛି ଟଙ୍କା ଦିଅ, ନ ହେଲେ ସାର୍ଟିଫିକେଟ୍‌ ପାଇବ ନାହିଁ। ମୃତ୍ୟୁ ପ୍ରମାଣପତ୍ର ହେଉ କି ଜନ୍ମ ପ୍ରମାଣପତ୍ର ସିଟି ହେଲ୍‌ଥ କାର୍ଯ୍ୟାଳୟରେ ଆବେଦନ କଲେ ଗୋଡ଼ରୁ ଚପଲ ଘୋରି ହୋଇ ଯାଉଛି। ଜଣେ କି ଦୁଇ ଜଣ ନୁହେଁ, ପ୍ରତ୍ୟେକ ଦିନ ୫୦ରୁ ଅଧିକ ସିଟି ହେଲ୍‌ଥ କାର୍ଯ୍ୟାଳୟରୁ ସାର୍ଟିଫିକେଟ ପାଇବା ପାଇଁ ନାକେଦମ୍‌ ହେଉଛନ୍ତି। ଦିନ ଗଡ଼ାଇ ଲୋକଙ୍କୁ ଏଭଳି ଭାବେ ଶୋଷଣ କରାଯାଉଛି। ମୃତ୍ୟୁ ସାର୍ଟିଫିକେଟ୍‌ ପାଇବା ପାଇଁ ଜଣେ ମହିଳାଙ୍କୁ ବାରମ୍ବାର ହଇରାଣ କରିବା ଓ ପ୍ରମାଣପତ୍ର ନ ମିଳିବା ଘଟଣାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅଦାଲତରୁ ନୋଟିସ୍‌ ଜାରି ହୋଇଛି।

ସୂଚନା ଅନୁଯାୟୀ, କଳ୍ପନା ଫ୍ଲାଟ୍‌ ଅଞ୍ଚଳରେ ରହୁଥିବା ତନୁଶ୍ରୀ ପଟ୍ଟନାୟକଙ୍କ ମା’ ଗୀତାଞ୍ଜଳି ପଟ୍ଟନାୟକ ଗତ ଅକ୍ଟୋବର ୨ ତାରିଖରେ ପ୍ରାଣ ହରାଇଥିଲେ। ଅକ୍ଟୋବର ୨୬ତାରିଖରେ ତନୁଶ୍ରୀ ସିଟି ହେଲଥ୍‌ ଅଫିସ୍‌ରେ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ତାଙ୍କୁ ୯୧ନଂ ସିରିଏଲ୍‌ ପ୍ରଦାନ କରାଯାଇଥିବା ବେଳେ ତାଙ୍କର ସମସ୍ତ କାଗଜପତ୍ର ଠିକ୍‌ ଅଛି ବୋଲି କୁହାଯାଇଥିଲା। ସପ୍ତାହେ ପରେ ଆସି ପ୍ରମାଣପତ୍ର ନେବାକୁ କାର୍ଯ୍ୟାଳୟର ଅଧିକାରୀ କହିଥିଲେ। ତେବେ ପରବର୍ତୀ ସମୟରେ ତନୁଶ୍ରୀ ସହରାଞ୍ଚଳ ସ୍ୱାସ୍ଥ୍ୟ କାର୍ଯ୍ୟାଳୟକୁ ୨୫ରୁ ଅଧିକ ଥର ଯାଇଥିଲେ ହେଁ ତାଙ୍କୁ ବାରମ୍ବାର ଫେରିବାକୁ ପଡ଼ିଥିଲା। ଏପରିକି ଲାଞ୍ଚ ନ ଦେଲେ ପ୍ରମାଣପତ୍ର ମିଳିବ ନାହିଁ ବୋଲି କିଛି କର୍ମଚାରୀ ରୋକଠୋକ୍‌ ଭାବେ ଶୁଣାଇ ଦେଇଥିଲେ। ଏହାର ପ୍ରତିବାଦରେ ତନୁଶ୍ରୀ ସ୍ଥାୟୀ ଲୋକ ଅଦାଲତର ଆଶ୍ରୟ ନେଇଥିଲେ। ତାଙ୍କ ମା’ଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇବା ସହ ମାନସିକ ଅଶାନ୍ତି ପାଇଁ ୧କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ଏନେଇ ସ୍ଥାୟୀ ଲୋକ ଅଦାଲତ ପକ୍ଷରୁ ୧୬୮ନଂରେ ଏକ ମାମଲା ରୁଜୁ ହେବା ସହିତ ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରଙ୍କୁ ନୋଟିସ୍‌ କରାଯାଇଛି। ମୃତ୍ୟୁ ପ୍ରମାଣପତ୍ର ଦେବାରେ ବିଳମ୍ବ କରିବା ଓ ସେଠାରେ କର୍ମଚାରୀମାନେ ଲାଞ୍ଚ ମାଗିବା ନେଇ ଏହି ନୋଟିସ୍‌ ଜାରି ହୋଇଛି। ଆସନ୍ତା ଡିସେମ୍ବର ୫ତାରିଖରେ ଲୋକ ଅଦାଲତରେ ହାଜିରା ହେବାକୁ କୁହାଯାଇଥିବା ତନୁଶ୍ରୀଙ୍କ ଆଇନଜୀବୀ ସଞ୍ଜୀବ ପୂଜାପଣ୍ଡା ସୂଚନା ଦେଇଛା ଏ ନେଇ ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀ ଚନ୍ଦ୍ରିକା ପ୍ରସାଦ ଦାସ କହିଛନ୍ତି, ପ୍ରମାଣପତ୍ର ପାଇବାରେ କେଉଁଠି ଅସୁବିଧା ରହିଛି ଓ କ’ଣ ଭୁଲ ରହିଛି ଏନେଇ ଅନୁଧ୍ୟାନ କରାଯିବ। ତେବେ ଅଦାଲତଙ୍କୁ ଓକିଲ ମାଧ୍ୟମରେ ଉତ୍ତର ଦିଆଯିବ ବୋଲି ବୋଲି ଶ୍ରୀ ଦାସ କହିଛନ୍ତି। ଘଟଣା ସମ୍ପର୍କରେ ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି, ଏନେଇ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର