ମାତିଛନ୍ତି ଗୋରୁ ଚୋର : ଆଗରୁ ରାସ୍ତାରେ ବୁଲୁଥିବା ଗୋରୁମାନଙ୍କୁ ଉଠାଇ ନେଉଥିଲେ ଏବେ ଟାର୍ଗେଟ୍‌ ଗୁହାଳ

ଖଣ୍ଡଗିରି : ଆଗରୁ ରାସ୍ତାରେ ବୁଲୁଥିବା ଗୋରୁମାନଙ୍କୁ ଉଠାଇ ନେଉଥିଲେ। ଏବେ ଗୁହାଳକୁ ଟାର୍ଗେଟ୍‌ କଲେଣି ଗାଈବଳଦ ଚୋରମାନେ। ତେଣୁ ସ୍ଥାନୀୟ ଅଞ୍ଚଳରେ ଗାଈଚୋରଙ୍କୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳର ଏକାଧିକ ରୢାକେଟ୍‌ ଏହି କାରବାର କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଏହି ରୢାକେଟ୍‌କୁ ଠାବ କରିବାରେ ସଫଳ ନହେଲେ, ଆଗାମୀ ଦିନରେ ଦୁର୍ବୃତ୍ତମାନେ ଗୁହାଳଗୁଡ଼ିକୁ ଗୋରୁ ଶୂନ୍ୟ କରିଦେବେ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ପାତ୍ରପଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ଗୁମାନସିଂହଙ୍କ ଅଭିଯୋଗ ଅନୁସାରେ କିଛି ଦୁର୍ବୃତ୍ତ ତାଙ୍କ ଗୁହାଳରୁ ଏକ ବଳଦ ଚୋରି କରି ନେଇଛନ୍ତି। ପୂର୍ବରୁ ସିଜୁଆ ଗାଁର କିଛି ଗାଈ ଚୋରି ହୋଇଥିଲା। ସେହିଭଳି ପାତ୍ରପଡ଼ା, ସୁଆଙ୍ଗ, ଦାମୋଦରପୁର, ଛୋଟରାୟପୁର, ଭଗବାନପୁର ଆଦି ଗାଁରୁ ନିୟମିତ ଗାଈ ଚୋରି ହେଉଥିବା ସେ ଅଭିଯୋଗ କରିଛନ୍ତି। ଏହି କାରବାରରେ ସମ୍ପୃକ୍ତ ଥିବା ରୢାକେଟ୍‌ରେ କିଛି ସ୍ଥାନୀୟ ଦୁର୍ବୃତ୍ତ ସାମିଲ୍ ହୋଇଥିବା ଲୋକେ କହିଛନ୍ତି। ଚୋରି ହେଉଥିବା ଗାଈବଳଦଙ୍କୁ ଦୁର୍ବୃତ୍ତମାନେ କଂସେଇଖାନାକୁ କିମ୍ବା ଖୋର୍ଧା-ବେଗୁନିଆକୁ ଚାଲାଣ କରୁଛନ୍ତି ଓ ପରେ ସେମାନଙ୍କୁ ଟ୍ରକ୍‌ ଯୋଗେ କୋଲକାତା ପଠାଇ ଦିଆଯାଉଛି।

ସମ୍ବନ୍ଧିତ ଖବର